ଓଡ଼ିଶାଲାଇଭ୍ ବ୍ୟୁରୋ

ପୁସ୍ତକ ଶୀର୍ଷକ: ଊର୍ମି ଅଧିରା ରୂପସୀ ଚିଲିକା
ଲେଖକ: ଦିପ୍ତୀ ରଞ୍ଜନ ମାର୍ଥା
ପ୍ରକାଶକ: ପକ୍ଷୀଘର ପ୍ରକାଶନୀ
ମୂଲ୍ୟ: ୪୦୦ ଟଙ୍କା
‘ଉତ୍କଳକମଳା ବିଳାସ ଦୀର୍ଘିକା, ମରାଳମାଳିନୀ ନୀଳାମ୍ବୁ ଚିଲିକା’ – ଚିଲିକାର ଅପରୂପ ସୌନ୍ଦର୍ଯ୍ୟରେ ପ୍ରଭାବିତ ହୋଇ ଦିନେ ଓଡ଼ିଆ କବି ରାଧାନାଥ ରାୟ ଏହି କାଳଜୟୀ କବିତା ରଚନା କରିଥିଲେ। ସବୁ ସମୟରେ ଚିଲିକା ତା’ର ପ୍ରାକୃତିକ ଶୋଭାରାଜି, ପାରିବେଶିକ ବିବିଧତା ଏବଂ ପର୍ଯ୍ୟଟନ ଆକର୍ଷଣ ପାଇଁ ପରିଚିତ। ଚିଲିକାର ଏହି ବୈଚିତ୍ର୍ୟକୁ ଏକ ପୁସ୍ତକ ଆକାରରେ ଧରି ରଖିବାକୁ ଚେଷ୍ଟା କରିଛନ୍ତି ଦିପ୍ତୀ ରଞ୍ଜନ ମାର୍ଥା। ବହିର ନାଁ ‘ଊର୍ମି ଅଧିରା ରୂପସୀ ଚିଲିକା’।
ଏହି ପୁସ୍ତକଟି ନିକଟରେ ଲୋକାର୍ପିତ ହୋଇଯାଇଛି। ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ ଭୁବନେଶ୍ୱରରେ ଏହାର ଉନ୍ମୋଚନ କରିଥିଲେ।
୧୦୮ ପୃଷ୍ଠାବିଶିଷ୍ଟ ଏହି ବହି ହେଉଛି ଚିଲିକା ଉପରେ ଏକ ସଚିତ୍ର ଉପସ୍ଥାପନା। ଏଥିରେ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ପରିବେଶର ବିବିଧତା, ବିଦେଶୀ ପକ୍ଷୀଙ୍କ ସମ୍ଭାର, ଚିଲିକାର ପର୍ଯ୍ୟଟକ ଆକର୍ଷଣ ଏବଂ ଚିଲିକା ହ୍ରଦ ତଥା ଆଖପାଖରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ଉପରେ ବର୍ଣ୍ଣନା କରାଯାଇଛି। ତେଣୁ ଏହା ପର୍ଯ୍ୟଟକଙ୍କ ପାଇଁ ଏକ ସୁଦୃଶ ଗାଇଡ୍ ଭଳି କାମ କରିବ। ତା’ ସହିତ ଚିଲିକା ଉପରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ପାଇଁ ଏହା ଏକ ସହାୟକ ପୁସ୍ତିକା ହୋଇପାରିବ।
ଦକ୍ଷିଣ-ପୂର୍ବ ଏସିଆର ଚିଲିକା ଏକ ବିରଳ ପ୍ରାକୃତିକ ଆକର୍ଷଣ। ଏହା କେବଳ ବିଦେଶାଗତ ପକ୍ଷୀଙ୍କ ପାଇଁ ପ୍ରସିଦ୍ଧ ନୁହେଁ, ବରଂ ପରିବେଶ ବିଜ୍ଞାନ ଦୃଷ୍ଟିରୁ ଏହା ଜୈବବିବିଧତା ପାଇଁ ମଧ୍ୟ ପ୍ରସିଦ୍ଧ। ତା’ ସାଙ୍ଗକୁ ଏଠାରେ ଦେଖାଯାଉଥିବା ଇରାୱାଡି ଡଲଫିନ୍ ଗତ କିଛି ବର୍ଷ ଧରି ପର୍ଯ୍ୟଟକଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିଛି। ‘ଊର୍ମି ଅଧିରା ରୂପସୀ ଚିଲିକା’ ପୁସ୍ତକରେ ଚିଲିକାର ଏହି ବିଭିନ୍ନ ରୂପ ପ୍ରକାଶିତ ହୋଇଛି।
“ପିଲାବେଳୁ ଚିଲିକା ମୋତେ ଆକର୍ଷିତ କରିଆସିଛି। ମୋ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଆକର୍ଷଣୀୟ ବିଷୟ। ତେଣୁ ଏହି ବହି ମାଧ୍ୟମରେ ଚିଲିକା ପ୍ରତି ମୁଁ ପାଠକମାନଙ୍କ ବିଶେଷ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛି”, ଓଡ଼ିଶାଲାଇଭ୍କୁ କହିଛନ୍ତି ଦିପ୍ତୀ ରଞ୍ଜନ ମାର୍ଥା।
ଏହି ବହିରେ ଚିଲିକା ସମ୍ପର୍କରେ ପ୍ରାରମ୍ଭିକ ବର୍ଣ୍ଣନା ବେଳେ ଲେଖକ ଉତ୍କଳମଣି ଗୋପବନ୍ଧୁଙ୍କ ରେଳ ଉପରୁ ଚିଲିକା ଦର୍ଶନ କବିତାର ‘ରହ ରହ କ୍ଷଣେ ବାଷ୍ପୀୟ ଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ୍ଟ’ କଥା ଲେଖିଛନ୍ତି। ସେହିପରି ଏଥିରେ ଚିଲିକା କୂଳରେ ଜନ୍ମ ହୋଇଥିବା କବି ମାୟାଧର ମାନସିଂଙ୍କ କବିତା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ତା’ ସାଙ୍ଗକୁ ପୁଣି ଗୋଦାବରୀଶ ମିଶ୍ରଙ୍କ ‘କାଳିଜାଈରେ ସନ୍ଧ୍ୟା’ କବିତାର ଉଲ୍ଲେଖ ରହିଛି। ତେଣୁ ସାହିତ୍ୟ ଏବଂ କିମ୍ବଦନ୍ତୀ ମାଧ୍ୟମରେ ଚିଲିକା କିଭଳି ଜନମାନସକୁ ପ୍ରଭାବିତ କରିଆସିଛି, ସେ ବିଷୟରେ ବର୍ଣ୍ଣନା କରିବାକୁ ଲୋଭ ସମ୍ଭରଣ କରିପାରିନାହାନ୍ତି ଲେଖକ।
ଏହି ପୁସ୍ତକରେ ଚିଲିକାର ବିଭିନ୍ନ ବିଷୟକୁ ଛୋଟ ଛୋଟ ଅଧ୍ୟାୟରେ ଭାଙ୍ଗି ଉପସ୍ଥାପନ କରାଯାଇଛି। ସେହି ବିଷୟଗୁଡ଼ିକ ଭିତରେ ରହିଛି: ନିଆରା ହେବ ଭ୍ରମଣ ଅନୁଭୂତି, ଡଲଫିନ୍ କେନ୍ଦ୍ର, ମଙ୍ଗଳାଯୋଡ଼ି, ସାତପଡ଼ା, ପକ୍ଷୀମେଳନ, କାହିଁକି ଚିଲିକାରେ ଏତେ ପକ୍ଷୀ, ପକ୍ଷୀ ବିଶାରଦ ଡକ୍ଟର ସଲିମ୍ ଅଲ୍ଲୀ, ସ୍ୱାଦରେ ନିଆରା ଚିଲିକା ମାଛ, ନଳବଣ, ନିର୍ମଳଝର, ନାରାୟଣୀ ମନ୍ଦିର, ଜଟିଆନାସୀ, ପକ୍ଷୀଦ୍ୱୀପ, ମା’ ଭଗବତୀ ପୀଠ, ଭିନ୍ନ ଏକ ପର୍ଯ୍ୟଟନ କ୍ଷେତ୍ର ବାଣପୁର, ତାରାତାରିଣୀ ମନ୍ଦିର, କାଳିଜାଈ ମନ୍ଦିର, ହନିମୁନ୍ ଦ୍ୱୀପ, ଭାବକୁଣ୍ଡଳେଶ୍ୱର ମନ୍ଦିର ଇତ୍ୟାଦି।
ଊର୍ମି ଅଧିରା ରୂପସୀ ଚିଲିକା ପୁସ୍ତକରେ ଚିଲିକାରେ ଦେଖାଯାଉଥିବା ବିଦେଶୀ ଓ ଦେଶୀ ପ୍ରଜାତିର ପକ୍ଷୀମାନଙ୍କ ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି। ଏହା ପକ୍ଷୀପ୍ରେମୀଙ୍କ ପାଇଁ ଉପାଦେୟ ହୋଇପାରିବ। ସେହିପରି ମଙ୍ଗଳାଯୋଡ଼ି ଅଧ୍ୟାୟରେ ଏହି ବିଶେଷ ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ପକ୍ଷୀମାନଙ୍କ ସମ୍ପର୍କରେ ବର୍ଣ୍ଣନା ବେଳେ ସେମାନଙ୍କର ପରିଚୟ, ବିବିଧତା ଏବଂ ସ୍ୱାତନ୍ତ୍ର୍ୟ ସମ୍ପର୍କରେ ମଧ୍ୟ କୁହାଯାଇଛି।
ଏହି ପୁସ୍ତକରେ ମଧ୍ୟ ଚିଲିକା ସହିତ ଆଖପାଖରେ ରହିଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଫଳରେ ଜଣେ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ହେଉଥିବା ସୂଚନା କେବଳ ଚିଲିକା ହ୍ରଦ ମଧ୍ୟରେ ସୀମିତ ନରହି ଏକ ବିସ୍ତୃତ ବିଷୟ ହୋଇପାରିଛି।
ଚିଲିକା ଭିତରେ ଏବଂ ଆଖପାଖରେ ରହିଥିବା ଗାଁ, ଲୋକସଂସ୍କୃତି ଏବଂ ଜୀବନଜୀବିକା ସମ୍ପର୍କରେ ମଧ୍ୟ ଏହି ବହିରେ ବର୍ଣ୍ଣନା ଦେଖିବାକୁ ମିଳେ। ପ୍ରତ୍ୟେକ ବିଷୟରେ ଦିଆଯାଇଥିବା ସୁନ୍ଦର ରଙ୍ଗିନ ଫଟୋ ଲେଖାକୁ ଅଧିକ ଆକର୍ଷଣୀୟ କରିବା ସହ ପୁସ୍ତକର ଶୋଭାବର୍ଦ୍ଧନ କରିପାରିଛି।
“ଚିଲିକା ଭଳି ଏକ ବିଶାଳ ହ୍ରଦର ସମସ୍ତ ପ୍ରକାରର ଜୈବବିବିଧତାର ତଥ୍ୟ ଦେବା ସହଜ ନୁହେଁ। ତଥାପି ଏହାକୁ ସମ୍ଭବ କରିବାକୁ ପ୍ରୟାସ କରାଯାଇଛି। ଏହା ମଧ୍ୟରେ ତଥା ପରିପାର୍ଶ୍ୱରେ ପର୍ଯ୍ୟଟନ କ୍ଷେତ୍ର ବିଷୟରେ ଅଧିକରୁ ଅଧିକ ଜଣାଇବା ପାଇଁ ଚେଷ୍ଟା କରାଯାଇଛି। ଆମେ ଭାବୁଛୁ ଏହା ନିଶ୍ଚିତ ଚିଲିକା ପର୍ଯ୍ୟଟକ, ବୈଜ୍ଞାନିକ, ଗବେଷକ, ପରିବେଶବିଦ୍ ଏବଂ ପ୍ରକୃତିପ୍ରେମୀଙ୍କ ପାଇଁ ସହାୟକ ହେବ” – ପୁସ୍ତକର ଆଦ୍ୟ କଥନରେ ଏକଥା କହିବାକୁ ଚାହିଁଛନ୍ତି ଲେଖକ ଦିପ୍ତୀ ରଞ୍ଜନ ମାର୍ଥା।


















