ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭୋର୍‌ ୩ଟାରେ ଖୋଲିବ ଶ୍ରୀମନ୍ଦିର ଦୁଆର
  • ସାଢ଼େ ୯ଟାରେ ଶେଷ ହେବ ଭୋଗମଣ୍ଡପ କାର୍ଯ୍ୟକ୍ରମ
  • ୧୦ଟାରେ ଶ୍ରୀମନ୍ଦିରକୁ ଶୋଧ କରାଯିବ
  • ୧୧ଟାରେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ନେପାଳ ରାଜା
  • ରତ୍ନ ସିଂହାସନରେ ଶ୍ରୀଜିଉଙ୍କୁ କରିବେ ପୂଜାର୍ଚ୍ଚନା
  • ୩ ଘଣ୍ଟା ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ

ରବିବାର ଶ୍ରୀମନ୍ଦିର ଯିବେ ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ। ସ୍ବତନ୍ତ୍ର ରୀତିନୀତିରେ ସେ ଶ୍ରୀଜିଉଙ୍କୁ କରିବେ ପୂଜାର୍ଚ୍ଚନା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ଆୟୋଜନ।

ଭୋର୍ ୩ଟାରେ ଶ୍ରୀମନ୍ଦିରର ଦୁଆର ଖୋଲାଯିବ। ସକାଳ ସଢ଼େ ୯ଟା ସୁଦ୍ଧା ଭୋଗ ମଣ୍ଡପ କାର୍ଯ୍ୟକ୍ରମ ଶେଷ କରାଯିବ। ୧୦ଟାରେ ଶ୍ରୀମନ୍ଦିରକୁ ଶୋଧ କରାଯିବ। ୧୧ଟାରେ ନୋପାଳ ରାଜା ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ।

ପ୍ରଥମେ ବଟ ଗଣେଶ ଏବଂ ସର୍ବମଙ୍ଗଳାଙ୍କ ଦର୍ଶନ ପରେ ଗରୁଡ଼ସ୍ତମ୍ଭ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ନେପାଳ ରାଜା।

ପରେ ଜୟ ବିଜୟ ଦ୍ୱାର ଦେଇ ଗର୍ଭଗୃହକୁ ପ୍ରବେଶ କରିବା ଭିତର କାଠ ନିକଟରୁ ଗଜପତି ମହାରାଜା ତାଙ୍କୁ ରତ୍ନ ସିଂହାସନ ନିକଟକୁ ପାଛୋଟି ନେବେ।

ନେପାଳ ରାଜା ରତ୍ନସିଂହାସନ ଉପରେ ନିଜ ହାତରେ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା କରିବେ। ଶ୍ରୀଜିଉଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ କରିବା ସହିତ କର୍ପୁର ଆଳତି କରିବେ। ପରେ ବନ୍ଦାପନା ଓ ନୈବେଦ୍ୟ ଅର୍ପଣ କରିବେ ନେପାଳ ନରେଶ।

ଏହି ବିଶେଷ କାର୍ଯ୍ୟକ୍ରମ ପାଇଁ ସକାଳ ୯ଟାରୁ ୧୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ।

ଜଗନ୍ନାଥଙ୍କ ପ୍ରଥମ ସେବକ ଗଜପତି ମହାରାଜାଙ୍କର ଯେଉଁ ଅଧିକାର ଶ୍ରୀମନ୍ଦିରରେ ନାହିଁ ସେହି ଅଧିକାର ନେପାଳ ରାଜାଙ୍କର ରହିଛି। ଦୀର୍ଘ ବର୍ଷ ପରେ ଏହି ପରମ୍ପରା ଶ୍ରୀମନ୍ଦିରରେ ପୁଣି ଦେଖିବାକୁ ମିଳିବ।

ନେପାଳ ରାଜା ମହେନ୍ଦ୍ର ବୀର ବିକ୍ରମ ଶାହା ଦେବ ୧୯୬୫ ମସିହାରେ ମହାରାଣୀଙ୍କ ସହ ପୁରୀ ଆସିଥିଲେ। ଏହି ସମୟରେ ସେ ସେ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିବା ଶ୍ରୀମନ୍ଦିର ରେକର୍ଡରୁ ଜଣାପଡ଼ିଛି।

ଇତିହାସ କହୁଛି ୧୪୪ ବର୍ଷ ତଳେ ସୋନପୁରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପାତାଳି କରାଯାଇଥିଲା। ସେତେବେଳେ ଶ୍ରୀଜିଉଙ୍କୁ ଶଙ୍କରାଚାର୍ଯ୍ୟ ଉଦ୍ଧାର କରିଥିଲେ। ହେଲେ ପାତାଳି ହେବା ଦ୍ୱାରା ଶ୍ରୀଜିଉଙ୍କ ବ୍ରହ୍ମ ନଷ୍ଟ ହୋଇ ଯାଇଥିଲା। ସେତେବେଳେ ଶଙ୍କରାଚାର୍ଯ୍ୟ ତତ୍କାଳୀନ ନେପାଳ ରାଜାଙ୍କୁ ଅନୁରୋଧ କରିଥିଲେ ଯେ, ଗଣ୍ଡୁକି ନଦୀରେ ଥିବା ଶାଳଗ୍ରାମ ଆଣିବା ପାଇଁ। ଶାଳଗ୍ରାମ ଆସିବା ପରେ ଶ୍ରୀଜୀଉଙ୍କ ଗର୍ଭରେ ସ୍ଥାପନ କରାଯାଇଥିଲା। ଏଥିପାଇଁ ନେପାଳ ରାଜାଙ୍କୁ ସ୍ୱତନ୍ତ୍ର ଅଧିକାର ଦିଆଯାଇଛି।

ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ୭ ତାରିଖରେ ସେ ଭୁ୍ବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ଜଟଣୀ ଗଡ଼ରଥୀପୁରକୁ ପାଛୋଟି ନିଆଯାଇଥିଲା। ସେଠାରେ ସେ ଗୋ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ। ୮ ତାରିଖରେ ସେ ଲିଙ୍ଗରାଜ ଏବଂ ସାକ୍ଷୀଗୋପାଳ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ଉତ୍ସବରେ ଯୋଗ ଦେଇଥିଲେ।

Comment