ଓଡ଼ିଶାଲାଇଭ୍ ବ୍ୟୁରୋ

- ଗୋବର ମାଡ଼ ଘଟଣାରେ କମିଶନରେଟ ପୋଲିସର ତନାଘନା
- ଗିରଫ ସଂଖ୍ୟା ୬କୁ ବୃଦ୍ଧି
- ଝାରପଡ଼ା ଜେଲରେ ୪ ଜଣ
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ଙ୍କ ବାସଭବନକୁ ବିଜେପି କର୍ମୀ ଧସେଇ ପଶିବା ଘଟଣାରେ ଗିରଫ ସଂଖ୍ୟା ବଢ଼ି ଚାଲିଛି। ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ରାକେଶ ଜେନାଙ୍କୁ କମିଶନରେଟ୍ ପୋଲିସ ବୁଧବାର ଗିରଫ କରିଛି। ଏବେ ଗିରଫ ସଂଖ୍ୟା ୬ରେ ପହଞ୍ଚିଛି। ରାକେଶଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ଫେବ୍ରୁଆରି ୧୦ ତାରିଖରେ ପାଣ୍ଡିଆନଙ୍କ ବାସଭବନରେ ପ୍ରାୟ ୩୦ ଜଣ ବିଜେପି କର୍ମୀ ପତାକା ଧରି ଧସେଇ ପଶିଥିଲେ। ବାସଭବନ ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଗେଟ୍କୁ ଗୋବର ମାଡ଼ କରିଥିଲେ। ଏହି ଘଟଣାରେ ପୋଲିସ ସେହିଦିନ ୪ ଜଣଙ୍କୁ ଗିରଫ କରିଥିଲା।
ଯୁଗଳ ଜ୍ୟୋତି ସ୍ୱାଇଁ, ରଶ୍ମିରଞ୍ଜନ ମୁଦୁଲି, ବିଭୁତି ଭୂଷଣ ପୃଷ୍ଟି ଏବଂ ବିଶ୍ୱଭୂଷଣ ବଡ଼ଜେନାଙ୍କୁ ଗିରଫ କରିଥିଲା। ମଙ୍ଗଳବାର ବଳରାମ ଖୁଣ୍ଟିଆଙ୍କୁ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରିଥିଲା ପୋଲିସ।
ଗିରଫ କରିବା ପରେ ପୋଲିସ ଏମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଏସ୍ଡିଜେଏମ୍ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ଏମାନଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ଏମାନଙ୍କ ବିରୋଧରେ ଆଇପିସି ଧାରା ୩୦୭ରେ ମାମଲା ରୁଜୁ କରାଯାଇଛି।
ପାଣ୍ଡିଆନଙ୍କ ବାସଭବନକୁ ଗୋବର ମାଡ଼ ହେବା ପରେ ବିଜେପି-ବିଜେଡି ମୁହାଁମୁହିଁ ହୋଇଥିଲେ। ଆଇଏଏସ୍, ଆଇପିଏସ୍ ଏବଂ ଅଣଗେଜେଟେଡ ସମନ୍ୱୟ କର୍ମଚାରୀ ସଂଘ ପକ୍ଷରୁ ଘଟଣାକୁ ନିନ୍ଦା କରାଯାଇଥିଲା।
ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବିରେ ଅଫିସର ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲା।


















