ଓଡ଼ିଶାଲାଇଭ୍ ବୁରୋ
ମାର୍ଚ୍ଚ ୩ ତାରିଖରେ ମାଲେସିଆଠାରେ ଆରମ୍ଭ ହେବାକୁ ଥିବା ସୁଲତାନ ଅଜଲନ ଶାହା କପ୍ ପାଇଁ ଭାରତୀୟ ଟିମ୍ରେ ଓଡ଼ିଶାର ୪ ଜଣ ହକି ଖେଳାଳି ସ୍ଥାନ ପାଇଛନ୍ତି। ଏମାନେ ହେଲେ ଦୀପସନ ତିର୍କୀ, ଅମିତ ରୋହିଦାସ୍, ନିଲମ ସଞ୍ଜୀପ ଜେସ ଓ ଶୈଳେନ୍ଦ୍ର ଲାକ୍ରା। ତେବେ ଜାତୀୟ ଟିମରେ ମୁଖ୍ୟ ଖେଳାଳି ବୀରେନ୍ଦ୍ର ଲାକ୍ରା ବାଦ୍ ପଡ଼ିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।
ଫେବୃଆରି ଆରମ୍ଭରେ ହୋଇଥିବା ୪ ରାଷ୍ଟ୍ର ନିମନ୍ତ୍ରଣ ଟୁର୍ଣ୍ଣାମେଣ୍ଟରେ ବୀରେନ୍ଦ୍ରଙ୍କୁ ଭାରତର ଏକମାତ୍ର ଖେଳାଳି ଭାବେ ଚୟନ କରାଯାଇଥିଲା। ଏହି ଆମନ୍ତ୍ରଣ ଟୁର୍ଣ୍ଣାମେଣ୍ଟ ନ୍ୟୁଜିଲାଣ୍ଡରେ ଖେଳାଯିବ। ଅଜଲନ କପ୍ ପାଇଁ ସର୍ଦ୍ଦାର ସିଂହଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଥିବା ବେଳେ ମନପ୍ରିତ ସିଂଙ୍କୁ ବିଶ୍ରାମ କରିବା ପାଇଁ କୁହାଯାଇଛି। ଫରୱାର୍ଡ ରମନଦିପ ସିଂ ଉପ-ଅଧିନାୟକ ହେବେ।
ଅଜଲନ କପ୍ରେ ଟପ୍ ରାଙ୍କରେ ଥିବା ଅଷ୍ଟ୍ରେଲିଆ, ଦୁଇ ନମ୍ବରରେ ଥିବା ଆର୍ଜେଣ୍ଟିନା, ଇଂଲଣ୍ଡ, ଆୟର୍ଲ୍ୟାଣ୍ଡ ଓ ହୋଷ୍ଟ ଦେଶ ମାଲେସିଆ ମଧ୍ୟରେ କଡ଼ା ମୁକାବିଲା ହେବ। ଅଜଲନ କପ୍ ୨୦୧୮ ହେଉଛି ପ୍ରଥମ ଆନ୍ତର୍ଜାତିକ ହକି ଖେଳ ଯେଉଁଥିରେ ଓଡ଼ିଶାର ଖେଳାଳିଙ୍କ ଦବଦବା ରହିବ।
ନିକଟରେ ହକି ଇଣ୍ଡିଆ ସହିତ ହୋଇଥିବା ଚୁକ୍ତି ଅନୁସାରେ ହକିର ଜାତୀୟ ଟିମକୁ ଓଡ଼ିଶା ପୃଷ୍ଠପୋଷକତା କରିବ। ଏ ବର୍ଷର ସୂଚୀ ଅନୁଯାୟୀ ଭାରତୀୟ ହକି ଟିମ୍ ଏପ୍ରିଲ ୪ରୁ ଆରମ୍ଭ ହେଉଥିବା ଗୋଲଡ କୋଷ୍ଟ ରାଷ୍ଟ୍ରମଣ୍ଡଳ ଖେଳରେ ଭାଗ ନେବ। ଏହାପରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱ କପ ପାଇଁ ଦଳ ନିଜକୁ ପ୍ରସ୍ତୁତ କରିବ।