ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବରପାଲ୍ଲି ବ୍ଲକର ବଡ଼ଗାଁଠାରେ ନବୀନ ରିତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି। ବିଜେଡିକୁ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି।

“ବରପାଲ୍ଲି ହେଉଛି ସ୍ୱାଭିମାନର ମାଟି। ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମମାଟିକୁ ମୁଁ ପ୍ରଣାମ କରୁଛି। ବରପାଲ୍ଲି ଆମ ସ୍ୱାଧୀନତା ସଂଗ୍ରାମର ପୀଠ ଥିଲା। ଏହି ଅବସରରେ ମୁଁ ବିଶିଷ୍ଟ ସଂଗ୍ରାମୀ ଭାଗିରଥି ପଟ୍ଟନାୟକଙ୍କୁ ସମ୍ମାନ ଜଣାଉଛି। ଏହି ପବିତ୍ର ମାଟିରୁ ଆପଣଙ୍କ ପ୍ରିୟ ନେତା ସୁବଳ ସାହୁ ତିନି ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏଥିରୁ ଜଣାପଡ଼ୁଛି ଯେ ସୁବଳ ସାହୁ ଜଣେ ପ୍ରିୟ ନେତା ଥିଲେ”, ସାଧାରଣ ଲୋକଙ୍କୁ ଉଦ୍‌ବୋଧନ ଦେଇ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି, “ବିଜେପୁରର ଚାଷୀମାନଙ୍କ ସମସ୍ୟା ସମାଧାନ ପାଇଁ ରାଜ୍ୟ ସରକାର ଖୁବଶିଘ୍ର ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ କାର୍ଯ୍ୟକ୍ଷମ କରିବାକୁ ଯାଉଛନ୍ତି। ବୁଣାକାରମାନଙ୍କ ପାଇଁ ରାଜ୍ୟ ସରକାର ଅନେକ କାମ କରିଛନ୍ତି। ବୁଣାକାରଙ୍କ ହାତ ତିଆରି ଲୁଗା ଉପରେ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ କରିଥିଲେ। ଏହାକୁ ରାଜ୍ୟ ସରକାର ୫ ପ୍ରତିଶତକୁ ହ୍ରାସ କରିଛନ୍ତି।”

ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ କଥା ମଧ୍ୟ କହିଲେ ନବୀନ। ବିଜେପୁରର ବିକାଶ କଥା ସବୁବେଳେ ଚିନ୍ତା କରୁଥିଲେ ସୁବଳ ସାହୁ।  ସେ ମୋତେ ଯେତେବେଳେ ଭେଟୁଥିଲେ ବିଜେପୁର କଥା କହୁଥିଲେ। ବିଜେପୁରର ଚାଷୀମାନଙ୍କର କେମିତି ଉନ୍ନତି ହେବ ସେ ସମ୍ପର୍କରେ ଆଲୋଚନା କରୁଥିଲେ। ଚାଷୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମେ ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ କାମ ଆରମ୍ଭ କରିଛୁ। ଏଣୁ ସୁବଳ ସାହୁ ଛାଡ଼ି ଯାଇଥିବା ଅଧୁରା ସ୍ୱପ୍ନକୁ ତାଙ୍କ ସ୍ତ୍ରୀ ରିତା ସାହୁ ପୂରଣ କରିବେ।

ବିଜେଡି ସୁପ୍ରିମୋ ବରପାଲ୍ଲିରେ ପହଞ୍ଚିବା ପରେ ୬ କି ମି ରୋଡ ସୋରେ ଯାଇଥିଲେ। ବରପାଲ୍ଲି ବଡ଼ଗାଁଠାରେ ସାଧାରଣ ସଭାରେ ଜନତାଙ୍କୁ ଉଦବୋଧନ ଦେଇଥିଲେ। ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ଼ ସର୍କିଟ ହାଉସରେ ରାତ୍ରିଯାପନ କରିବେ। ବୁଧବାର ପୁଣି ଗାଇସିଲଟ ଏବଂ ବିଜେପୁରରେ ରିତା ସାହୁଙ୍କ ପାଇଁ ପ୍ରଚାର କରିବେ।

Comment