ଓଡ଼ିଶାଲାଇଭ୍ ବ୍ୟୁରୋ
- ୧୫୫ଟି ବୁଥ୍ ସମ୍ବେଦନଶୀଳ
- ବିଜେପୁରରେ ୧୨ଟି ପୋଲିସ ସ୍କ୍ୱାଡ୍ ଏବଂ ୩ ଫ୍ଲାଇଙ୍ଗ୍ ସ୍କ୍ୱାଡ୍
- ୧୫୦ ସବ୍-ଇନ୍ସିପେକ୍ଟର ଏବଂ ୪୦ ମୋବାଇଲ୍ ଟିମ୍ ନିୟୋଜିତ
ଶନିବାର ବିଜେପୁର ଉପ-ନିର୍ବାଚନ ପାଇଁ ହେବ ଭୋଟ୍ ଗ୍ରହଣ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପୋଲିଂ ପାର୍ଟି ବିଭିନ୍ନ ବୁଥ୍ରେ ପହଞ୍ଚି ମତଦାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବିଜେପୁରର ୨୮୧ ବୁଥ୍ରେ ହେବ ଭୋଟ୍। ସେଥିମଧ୍ୟରୁ ୧୫୫ଟି ବୁଥ୍ ସମ୍ବେଦନଶୀଳ ବୋଲି ଉତ୍ତରାଞ୍ଚଳ ଆଇଜି ସୁଶାନ୍ତ ନାଥ ସୂଚନା ଦେଇଛନ୍ତି। ସମ୍ବେଦନଶୀଳ ବୁଥ୍ରେ ସିସିଟିଭି ଓ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।
ସୁଶାନ୍ତ ନାଥ କହିଛନ୍ତି, “ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଜେପୁରରେ ୩୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସେମାନଙ୍କ ମଧ୍ୟରେ ୫ କମ୍ପାନି ବିଏସ୍ଏଫ୍ ଓ ସିଆର୍ପିଏଫ୍ ଯବାନ ରହିଛନ୍ତି। ଆବଶ୍ୟକ ପଡ଼ିଲେ ଅଧିକ ଫୋର୍ସ ମୁତୟନ କରାଯିବ। ୪୦ଟି ମୋବାଇଲ୍ ପାର୍ଟି ନିୟୋଜିତ କରାଯାଇଛି। ପ୍ରତି ୫ କିଲୋମିଟର ଏରିଆ ଭିତରେ ଗୋଟିଏ ଲେଖାଏଁ ଟିମ୍ ଅଛନ୍ତି।”
ଜିଲ୍ଲାପାଳ ୟାମିନୀ ଷଡ଼ଙ୍ଗୀ କହିଛନ୍ତି, “ଉପ-ନିର୍ବାଚନ ପାଇଁ ୧୨ଟି ପୋଲିସ ସ୍କ୍ୱାଡ୍ ଗଠନ କରାଯାଇଛି। ୩ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ବିଜେପୁରର ବିଭିନ୍ନ ବୁଥ୍କୁ ଗସ୍ତ କରିବେ। ଉପ-ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।”
ବରଗଡ଼ ଏସ୍ପି ଜୟ ନାରାୟଣ ପଙ୍କଜ କହିଛନ୍ତି, “ଉପ-ନିର୍ବାଚନ ପାଇଁ ୧୫୦ ସବ୍-ଇନ୍ସିପେକ୍ଟର ଏବଂ ୪୦ ମୋବାଇଲ୍ ଟିମକୁ ନିୟୋଜିତ କରାଯାଇଛି। ବିଜେପୁର ପ୍ରବେଶ କରୁଥିବା ସମସ୍ତ ଗାଡ଼ିକୁ ଯାଞ୍ଚ କରାଯିବ।”