ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଡି ଏବଂ ସିବିଆଇକୁ ଧରା ଦେଉ ନାହାନ୍ତି ପିଏନ୍‌ବି ଠକେଇର ମାଷ୍ଟରମାଇଣ୍ଡ ନିରବ ମୋଦି। ୨୬ ତାରିଖ ସୁଦ୍ଧା ନିରବ ଇଡି ଅଫିସରେ ହାଜର ନହେଲେ ତାଙ୍କୁ ପଳାତକ ଘୋଷଣା କରିବାକୁ ଇଡି ଅଧିକାରୀ ଯୋଜନା କରୁଛନ୍ତି।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହା ଠକେଇର ମାଷ୍ଟରମାଇଣ୍ଡ ନିରବ ମୋଦି ଏବଂ ତାଙ୍କ ମାମୁ ମେହୁଲ ଚୋକ୍‌ସୀଙ୍କ ପାସ୍‌ପୋର୍ଟ ରବ୍ଦ କରାଯାଇଛି। ଶନିବାର ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାସହ ପିଏନ୍‌ବି ନିର୍ଦ୍ଦେଶକ ସୁନୀଲ ମେହଟ୍ଟା ଏବଂ କାର୍ଯ୍ୟକାରୀ ନିର୍ଦ୍ଦେଶକ ବ୍ରହ୍ମା ରାଓଙ୍କୁ ସିବିଆଇ ଜେରା କରିଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ମଧ୍ୟ ନିରବ ସାମ୍ରାଜ୍ୟ ଉପରେ ଚଢ଼ାଉ ଜାରି ରଖିଛି। ୧୧ ଦିନର ଚଢ଼ାଉରେ ଇଡି ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ନିରବ ମୋଦି ଗ୍ରୁପର ୨୧ଟି ସମ୍ପତ୍ତି ବାଜ୍ୟାପ୍ତି କରିଛି। ଏହି ସମ୍ପତ୍ତିର ମୂଲ୍ୟ ୫୨୩.୭୨ କୋଟି। ଅହମ୍ମଦ ନଗର, ମୁମ୍ବାଇ ଏବଂ ପୁନେରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବାଜ୍ୟାପ୍ତି ସମ୍ପତ୍ତି ଭିତରେ ଜମି, ଫାର୍ମ ହାଉସ୍, ସୋଲାର ପ୍ଲାଣ୍ଟ ଏବଂ ଫ୍ଲାଟ୍ ରହିଛି।

୨୬ ତାରିଖ ସୁଦ୍ଧା ହାଜର ହେବା ପାଇଁ ଇଡି ନିରବ ମୋଦିଙ୍କୁ ପୁଣି ସମନ ଜାରି କରିଛି। ଯଦି ଏହି ସମୟ ଭିତରେ ନିରବ ହାଜର ନହୁଅନ୍ତି ତାହାଲେ ତାଙ୍କୁ ପଳାତକ ଘୋଷଣା କରାଯିବ ବୋଲି ଇଡି ସୂତ୍ରରୁ ସୂଚନା ମିଳିଛି।

ଶୁକ୍ରବାର ଇଡି ନିରବଙ୍କ ୩୦ କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ଜବତ କରିଛି। ଏହାସହ ୧୩.୮୬ କୋଟି ଟଙ୍କାର ସେୟାର ଜବତ କରିଛି। ୧୭୬ ଷ୍ଟିଲ ଆଲମିରା ଏବଂ ୬୦ଟି ପ୍ଲାଷ୍ଟିକ କଣ୍ଟେନର ମଧ୍ୟ ଜବତ କରିଛି ଇଡି।

Comment