ଭାସ୍କର ପରିଚ୍ଛା

ବିଜେପୁର ପରେ ଏବେ ରାଜ୍ୟସଭା ନିର୍ବାଚନକୁ ନେଇ ରାଜନୀତି ଜୋର୍ ଧରିଛି। ଏପ୍ରିଲ ୩ ତାରିଖରେ ଖାଲି ପଡୁଥିବା ୩ଟି ଆସନ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହାକୁ ପ୍ରାର୍ଥୀ କରିବେ ସେନେଇ ଆକଳନ ଆରମ୍ଭ ହୋଇଯାଇଛି। ନବୀନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯିଏ ବି ପ୍ରାର୍ଥୀ ହୁଅନ୍ତୁ ସେ ନିଶ୍ଚିତ ଭାବରେ ଅଣରାଜନୈତିକ ବ୍ୟକ୍ତି ହୋଇ ନଥିବେ।

ଖାଲି ପଡୁଥିବା ୩ଟି ଆସନ ଭିତରୁ ଦୁଇ ଜଣ ଥିଲେ ଅଣରାଜନୈତିକ ବ୍ୟକ୍ତି – ଦିଲୀପ ତିର୍କୀ ଓ ଏ ଭି ସ୍ୱାମୀ। ଏଥର କାହିଁକି ନବୀନ ପଟ୍ଟନାୟକ କେବଳ ରାଜନେତାଙ୍କୁ ରାଜ୍ୟସଭା ସଦସ୍ୟ ପାଇଁ ବାଛୁଛନ୍ତି ତାର କାରଣ ଖୋଜିବା କଷ୍ଟ ନୁହେଁ।

ପ୍ରଥମ କଥା ହେଉଛି ଆଗକୁ ୨୦୧୯ ନିର୍ବାଚନ। ଏହି ନିର୍ବାଚନ ୨୦୧୪ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବାକୁ ଯାଉଛି। ୫ ବର୍ଷ ତଳେ ରାଜ୍ୟରେ ଯେଉଁ ରାଜନୈତିକ ସ୍ଥିତି ଥିଲା ତାହା ଏବେ ନାହିଁ। ଗୋଟିଏ ପଟେ ବିଜେପି ବିଜେଡିକୁ ଟକ୍କର ଦେବା ପାଇଁ ଚାହୁଁଥିବା ବେଳେ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ମଧ୍ୟ ଏକ ଆରାମଦାୟକ ସ୍ଥିତିରେ ପହଞ୍ଚିଛି। ଏଣୁ ଏଥର ନିର୍ବାଚନରେ ମୁକାବିଲା ଜୋରଦାର ହେବା ସୁନିଶ୍ଚିତ।

ତାଛଡା ବ୍ୟକ୍ତିଗତ ଭାବେ ନବୀନ ପୂର୍ବ ଭଳି ଏତେ ସୁସ୍ଥ ନାହାନ୍ତି। ଏ ସବୁକୁ ଦେଖିଲେ ତାଙ୍କୁ ୨୦୧୯ ପାଇଁ ଅତି ସନ୍ତର୍ପଣରେ ନିର୍ବାଚନୀ ରଣକୌଶଳ ପ୍ରସ୍ତୁତ କରିବାକୁ ପଡ଼ିବ। ବିଜେପୁର ଉପ-ନିର୍ବାଚନ ପରେ ରାଜ୍ୟସଭା ନିର୍ବାଚନ ହେଉଥିବାରୁ ଏଥିରେ କାହାକୁ ପ୍ରାର୍ଥୀ କରାଯାଉଛି ତାହା ଅନେକ ପରିମାଣରେ ନବୀନଙ୍କ ୨୦୧୯ ରଣନୀତିର ଆଗୁଆ ସୂଚନା ଦେବ।

ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ନିର୍ବାଚନ ପାଇଁ ଯେଉଁମାନଙ୍କ ନାମ ଶୁଣାଯାଉଛି ସେମାନଙ୍କ ମଧ୍ୟରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ଓ ଗଣମାଧ୍ୟମର ବାଦଶାହା କୁହାଯାଉଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ସବା ଆଗରେ ଅଛନ୍ତି। ଅବଶ୍ୟ ସୌମ୍ୟରଞ୍ଜନ ବିଜେଡିର ନିକଟତର ହେଉଥିବା କଥା ଗତ ମେ’ ମାସରୁ ଜଣାପଡୁଥିଲା। ନବୀନ ନିବାସରେ ନବୀନଙ୍କୁ ସୌମ୍ୟରଞ୍ଜନ ଭେଟିଥିଲେ। ପ୍ରାୟ ଘଣ୍ଟାଏ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ଏହି ଆଲୋଚନାକୁ ନେଇ ସେତେବେଳେ ଭିନ୍ନ ଚର୍ଚ୍ଚା ହୋଇଥିଲା। ଏହି ସାକ୍ଷାତକାର ପଛରେ ରାଜନୀତି ବ୍ୟତୀତ ଅନ୍ୟ କାରଣ ମଧ୍ୟ ରହିଥିବା ଚର୍ଚ୍ଚା ହେଉଥିଲା।

ନୂଆଦିଲ୍ଲୀରେ ହକି ଇଣ୍ଡିଆ ସହିତ ଚୁକ୍ତି ଅବସରରେ ଦିଲ୍ଲୀରେ ନବୀନ ଓ ସୌମ୍ୟଙ୍କ ମଧ୍ୟରେ ହୋଇଥିବା ନିଭୃତ ଆଲୋଚନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ ସହ ସୌମ୍ୟଙ୍କ କଥାବାର୍ତ୍ତା, ପରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତ ଦେବାବେଳେ ସୌମ୍ୟଙ୍କ ମନ୍ତବ୍ୟ (ଯେ ନବୀନଙ୍କ ସହିତ ହାତ ମିଳାଇବାରେ ତାଙ୍କର କୌଣସି ଅସୁବିଧା ନାହିଁ) ଏ ସବୁ ଗୋଟିଏ ବିଷୟକୁ ସ୍ପଷ୍ଟ କରୁଛି ଯେ ୩ଟି ରାଜ୍ୟସଭା ଆସନରୁ ସୌମ୍ୟଙ୍କ ପାଇଁ ଗୋଟିଏ ଥୁଆ।

ତାଛଡା ନବୀନଙ୍କ ଘୋଷଣା ଅନୁସାରେ ସୌମ୍ୟ ଆଦୌ ଅଣରାଜନୈତିକ ବ୍ୟକ୍ତି ନୁହନ୍ତି। ଇତିମଧ୍ୟରେ ସୌମ୍ୟଙ୍କ କାଗଜର ସମ୍ପାଦକୀୟ ନୀତି ମଧ୍ୟ ଢେର ପରିମାଣରେ ପରିବର୍ତ୍ତନମୁଖୀ ହୋଇଛି। ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ପୂର୍ବର ସେହି ପ୍ରତିକୂଳ ଖବର ପ୍ରକାଶନ ଓ କଟାକ୍ଷ ଆଉ ଦେଖିବାକୁ ମିଳୁନାହିଁ।

୨୦୧୯କୁ ଆଖିରେ ରଖି ଓଡ଼ିଶାର ରାଜନୀତିରେ କର ବା ମର ସ୍ଥିତି ସୃଷ୍ଟି ହୋଇଛି। ତୃଣମୂଳ ସ୍ତରର ରାଜନୀତିରେ ଦ୍ରୁତ ପରିବର୍ତ୍ତନ ଘଟୁଛି। ସେହି ଦୃଷ୍ଟିରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି କିଛି ବଡ଼ ହସ୍ତୀଙ୍କ ପାଖରେ ଯଦି ନବୀନ ଥୋପ ପକାଇବାକୁ ଚାହୁଁଛନ୍ତି ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।

ବିଜେପିକୁ ଦୂରରେ ରଖିବା ପାଇଁ ନବୀନ ଆଗାମୀ ଦିନରେ ଯେ କୌଣସି ପଦକ୍ଷେପ ଗ୍ରହଣ କରିପାରନ୍ତି। ଉପସଂହାରରେ ଏତିକି କହିଲେ ଯଥେଷ୍ଟ ହେବ ଯେ ନବୀନଙ୍କ ପକ୍ଷରୁ ସୌମ୍ୟଙ୍କୁ ଟିକେଟ ଦେବାରେ କିଛି ଉଦ୍ଦେଶ୍ୟ ଲୁଚି ରହିଛି। ଆଉ ଏ କଥା ଦୁଇ ପଟ୍ଟନାୟକ ବେଶ୍ ଭଲ ଭାବରେ ବୁଝିଛନ୍ତି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment