ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ପ୍ରସାଦ ହରିଚନ୍ଦନ। ବିଜେପୁର ଉପ-ନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ସେ ଇସ୍ତଫା ଦେଇଛନ୍ତି। ନୈତିକତା ଦୃଷ୍ଟିରୁ ସେ ତାଙ୍କ ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପଠାଇଛନ୍ତି।

ଇସ୍ତଫା ପତ୍ର ପଠାଇବା ନେଇ ପ୍ରସାଦ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। ତେବେ ରାହୁଲ ଗାନ୍ଧି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରୁଛନ୍ତି କି ନାହିଁ ତା’ ଉପରେ ସମସ୍ତଙ୍କ ନଜର।

ପ୍ରସାଦ ହରିଚନ୍ଦନ ୨୦୧୪ ଡିସେମ୍ବର ମାସରେ ପିସିସି ସଭାପତି ଭାବେ ଦାୟିତ୍ୱ ନେଇଥିଲେ। ମୁଁ ନୁହେଁ ଆମେ ସ୍ଲୋଗାନ ଦେଇ ସଙ୍ଗଠନ ସଜାଡ଼ିବା ପାଇଁ ପ୍ରସାଦ ଉଦ୍ୟମ କରିଥିଲେ। ହେଲେ ସଙ୍ଗଠନ ସଜଡ଼ିବାରେ ସେ ସମର୍ଥ ହୋଇ ନଥିଲେ। ଏହାର ପ୍ରମାଣ ଗତ ପଞ୍ଚାୟତ ନିର୍ବାଚନରୁ ମିଳିଥିଲା। ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଥିଲା।

ପଞ୍ଚାୟତ ଫଳାଫଳକୁ ନେଇ କଂଗ୍ରେସରେ ପ୍ରସାଦ ହଟାଓ ଅଭିଯାନ ଜୋର୍ ଧରିଥିଲା। କଂଗ୍ରେସର ଗୋଟିଏ ଗୋଷ୍ଠୀ ଦିଲ୍ଲୀ ଯାଇ ପ୍ରସାଦଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ ଲବି କରିଥିଲେ। ହେଲେ ପ୍ରସାଦଙ୍କୁ ପିସିସି ସଭାପତି ପଦରୁ ହଟାଇ ନଥିଲେ ହାଇକମାଣ୍ଡ।

ପଞ୍ଚାୟତ ଫଳାଫଳ ପରେ ବିଜେପୁର ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଛନ୍ତି। ପ୍ରଣୟ ସାହୁ ୧୦ ହଜାର ୨୭୪ ଭୋଟ ପାଇଛନ୍ତି। ଏଥିରେ ନିଜକୁ ଦାୟୀ କରି ପ୍ରସାଦ ଇସ୍ତଫା ଦେଇଛନ୍ତି।

Comment