ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ରିତା ସାହୁଙ୍କୁ ୧ ଲକ୍ଷ ୨ ହଜାର ୮୭୧ ଭୋଟ
  • ଅଶୋକ ପାଣିଗ୍ରାହୀଙ୍କୁ ୬୦ ହଜାର ୯୩୮
  • ପ୍ରଣୟ ସାହୁଙ୍କୁ ୧୦ ହଜାର ୨୭୪ ଭୋଟ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେଡି ବିଜେପୁରକୁ ଦଖଲ କରିଛି। ବିଜେଡି ଭୋଟ ୧ ଲକ୍ଷ ଟପିଛି। ବିଜେପୁର ଦଖଲ କରିବାକୁ ଦମ୍ଭୋକ୍ତି ଦେଖାଇଥିବା ବିଜେପିକୁ ନିରାଶ ହେବାକୁ ପଡ଼ିଛି। ବିଜେପିର ବିଜେପୁର ଦଖଲ ସ୍ୱପ୍ନ ଧୂଳିସାତ୍ ହୋଇଥିବା ବେଳେ କଂଗ୍ରେସ ଚିତ୍‌ପଟାଙ୍ଗ ମାରିଛି। ଗଡ଼ ରକ୍ଷା କରିବାରେ କଂଗ୍ରେସ ନେତା ବିଫଳ ହୋଇଛନ୍ତି।

୨୪ ତାରିଖରେ ବିଜେପୁର ଉପ-ନିର୍ବାଚନ ପାଇଁ ହୋଇଥିଲା ଭୋଟ। ବିଜେପୁର ଭୋଟର ଇଭିଏମ୍‌ ଜରିଆରେ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଦେଇଥିଲେ ଭୋଟ୍। ବୁଧବାର ଇଭିଏମ୍‌ରୁ ଭୋଟରଙ୍କ ରାୟ ବାହାରିଛି। ବିଜେଡି ସପକ୍ଷରେ ବଡ଼ ଜନାଦେଶ ଆସିଛି। ବିଜେଡି ପ୍ରାର୍ଥୀ ରିତା ସାହୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ମାତ୍ ଦେଇଛନ୍ତି। ବଡ଼ ବ୍ୟବଧାନରେ ବିଜେଡି ବିଜେପୁର ଭୋଟରେ ଜିତିଛି।

ବିଜେପୁରରେ ବିଜେଡି ପ୍ରାର୍ଥୀ ରିତା ସାହୁଙ୍କୁ ୧ ଲକ୍ଷ ୨ ହଜାର ୮୭୧ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ  ଅଶୋକ ପାଣିଗ୍ରାହୀଙ୍କୁ ୬୦ ହଜାର ୯୩୮ ଭୋଟ ପାଇଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୧୦ ହଜାର ୨୭୪ ଭୋଟ ପଇଛନ୍ତି। ରିତା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅଶୋକ ପାଣିଗ୍ରାହୀଙ୍କୁ ୪୧, ୯୩୩ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି।

ପ୍ରଥମ ସ୍ଥାନରେ ରିତା ରହିଥିବା ବେଳେ ୨ୟ ସ୍ଥାନରେ ବିଜେପିର ଅଶୋକ ପାଣିଗ୍ରାହୀ ଅଛନ୍ତି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ଅମାନତ ହରାଇଛନ୍ତି। ବିଜେପୁର ଉପ-ନିର୍ବାଚନରେ ବିଜେପିର ସବୁ ରଣକୌଶଳ ଫେଲ୍ ମାରିଛି। କଂଗ୍ରେସର ଏକତା ମନ୍ତ୍ର ବି କାମ କରିନି। ବିଜେପୁରବାସୀ ବିଜେଡି ଉପରେ ଆସ୍ଥା ପ୍ରକଟ କରିଛନ୍ତି।

ବିଜେଡି ପ୍ରାର୍ଥୀ ରିତା ସାହୁ ବିଜେପୁର ଉପ-ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହି ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଜେଡି ପ୍ରାର୍ଥୀ ରିତା ସାହୁଙ୍କୁ ଭୋଟ ଦେଇଥିବାରୁ ନବୀନ କୃତଜ୍ଞତା ଜଣାଇଛନ୍ତି।

“ଓଡ଼ିଶାବାସୀ ହେଉଛନ୍ତି ଶାନ୍ତିପ୍ରିୟ। ସେମାନେ ହିଂସା ଚାହାନ୍ତି ନାହିଁ। ବିଜେପୁର ଉପ-ନିର୍ବାଚନରେ ଏହା ପ୍ରମାଣିତ ହୋଇଛି”, କହିଛନ୍ତି ନବୀନ ପଟ୍ଟନାୟକ।

ବର୍ଷକର ବିଧାୟକ

ବିଜେପୁରର ଲୋକପ୍ରିୟ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ହେଉଛନ୍ତି ରିତା ସାହୁ। ସୁବଳ ରାଜନୀତିରେ ସକ୍ରିୟ ଥିବା ବେଳେ ରିତାଙ୍କୁ କେବେ ବି ରାଜନୀତି ମଇଦାନରେ ଦେଖିବାକୁ ମିଳି ନଥିଲା। ସେ ଜଣେ ସାଧାରଣ ଗୃହିଣୀ ଭାବେ ଘର ଦାୟିତ୍ବ ସମ୍ଭାଳିଥିଲେ। ହେଲେ ୨୦୧୭ ଅଗଷ୍ଟ ୨୧ ପରେ ସବୁକିଛି ଓଲଟ ପାଲଟ ହୋଇଗଲା। ସୁବଳ ସାହୁଙ୍କ ଦେହାନ୍ତ ହେବା ପରେ ଘରର ଏରୁଣ୍ଡି ବନ୍ଧ ଡେଇଁ ରାଜନୀତିରେ ପ୍ରବେଶ କରିଥିଲେ ରିତା।

ସୁବଳ ସାହୁ ୨୦୦୪ରୁ କଂଗ୍ରେସ ଟିକେଟରେ ନିର୍ବାଚନ ଜିତି ଆସୁଥିଲେ। ରାଜ୍ୟରେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରହିଥିବା ବେଳେ ସୁବଳ ଲଗାତାର ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ସୁବଳଙ୍କ ଦେହାନ୍ତ ପରେ ପୁଅ ସୁମିତଙ୍କୁ ଧରି ରିତା ବିଜେଡିକୁ ଆସିଥିଲେ।

ବିଜେଡି ସଭାପତି ନବୀନ ପଟ୍ଟନାୟକ ରିତାଙ୍କୁ ଉପ-ନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିଥିଲେ। ରିତାଙ୍କୁ ଜିତାଇବା ପାଇଁ ବିଜେଡି କର୍ମୀ ଓ ନେତା ବିଜେପୁରରେ ସମସ୍ତ ବଳ ଖଟାଇଥିଲେ। ନବୀନ ପଟ୍ଟନାୟକ ଏବଂ ସୁବଳ ସାହୁଙ୍କ ଲୋକପ୍ରିୟତାକୁ ନେଇ ରିତା ଭୋଟ ମାଗିଥିଲେ।

“ବିଜେପୁର ଭୋଟରଙ୍କ ଉପରେ ଆମର ବିଶ୍ୱାସ ରହିଥିଲା। ସେମାନେ ଆମ ବିଶ୍ବାସକୁ ଅତୁଟ ରଖିଛନ୍ତି। ବିଜେଡି ପ୍ରତି ସେମାନେ ସମର୍ଥନ ଜଣାଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବଂ ମୋ ସ୍ୱାମୀ ସୁବଳ ସାହୁଙ୍କ ଲୋକପ୍ରିୟତା ଆଧାରରେ ଭୋଟ ହାର ବୃଦ୍ଧି ପାଇଛି”, କହିଛନ୍ତି ରିତା ସାହୁ।

ଦୁଇ ଦିନ ଧରି ପ୍ରଚାର କରିଥିଲେ ନବୀନ

ବିଜେପୁର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରିତା ସାହୁଙ୍କୁ ଜିତାଇବା ପାଇଁ ବିଜେଡିର ବହୁ ହେଭିୱେଟ ନେତା ବିଜେପୁରରେ ଡେରା ପକାଇଥିଲେ। ୪୦ ଜଣ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କରିଥିଲା ବିଜେଡି। ୮୦ରୁ ଅଧିକ ବିଧାୟକ ଏବଂ ମନ୍ତ୍ରୀ ବିଜେପୁରରେ ପ୍ରଚାର କରିଥିଲେ।

ଅଭିନେତାରୁ ନେତା ହୋଇଥିବା ସାଂସଦ ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ବିଧାୟକ ଆକାଶ ଦାସନାୟକ ମଧ୍ୟ ରିତାଙ୍କ ପାଇଁ ପ୍ରଚାର କରିଥିଲେ। ଏମାନଙ୍କ ପରେ ୨୦ ତାରିଖରେ ପ୍ରଚାର ମଙ୍ଗ ଧରିଥିଲେ ନିଜେ ନବୀନ ପଟ୍ଟନାୟକ। ଦୁଇ ଦିନିଆ ପ୍ରଚାରରେ ଆସି ନବୀନ ବରପାଲି ଏବଂ ଗାଇସିଲଟ ବ୍ଲକରେ ପ୍ରଚାର କରିଥିଲେ। ରୋଡ ସୋ ଏବଂ ସାଧାର ସଭାରେ ଉଦବୋଧନ ଦେଇଥିଲେ।

ବିଜେପିକୁ ଶକ୍ତ ଝଟ୍‌କା

ବିଜେପୁର ଉପ-ନିର୍ବାଚନ ୩ ପ୍ରମୁଖ ଦଳ ପାଇଁ ଏସିଡ ଟେଷ୍ଟ ବୋଲି କୁହାଯାଉଥିଲା। ହେଲେ ଏହି ପରୀକ୍ଷାରେ ବିଜେପି ଏବଂ କଂଗ୍ରେସକୁ ଜୋରଦାର ଝଟକା ଲାଗିଛି। ବିଜେପି ୩୩.୫୩ ପ୍ରତିଶତ ଭୋଟ ପାଇଥିବା ବେଳେ କଂଗ୍ରେସ ୫.୬ ପ୍ରତିଶତ ଭୋଟ ପାଇଛି। ବିଜେପୁରକୁ କବ୍‌ଜା କରି ମିଶନ-୧୨୦ର ବିଗୁଲ ଫୁଙ୍କିବା ପାଇଁ ବିଜେପି ଯେଉଁ ଉଦ୍ୟମ କରିଥିଲା ତାହା ବ୍ୟର୍ଥ ହୋଇଛି।

ବିଜେପୁର ପାଇଁ ବିଜେପି ଫିଲ୍ମ ତାରକାମାନଙ୍କୁ ଦଳରେ ସାମିଲ କରି ବିଜେପୁର ପ୍ରଚାରରେ ଲଗାଇଥିଲା। ବିଜେପୁର ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଭିନେତା। ଏପରିକି ଭୋଟରଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଅବଗତ କରିବା ପାଇଁ ଚାରି ଚାରି ଜଣ କେନ୍ଦ୍ରମନ୍ତ୍ରୀ ବିଜେପୁର ଆସିଥିଲେ। ହେଲେ ସେସବୁ ଫର୍ମୁଲା ବିଜେପୁରରେ କାମ କରିନି। ବିଜେପିର ସବୁ ବିଜେପୁର ଦଖଲ ଅଭିଯାନ ଚୁର୍‌ମାର୍ ହୋଇ ଯାଇଛି।

ସେହିପରି କଂଗ୍ରେକୁ ମଧ୍ୟ ଶକ୍ତ ଧକ୍କା ଲାଗିଛି। ତୃଣମୂଳ ସ୍ତରର ନେତା ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଶକ୍ତି ଦେଖାଇଥିଲେ ବି ତାହା ସଫଳ ହୋଇନି। ପୂର୍ବାପେକ୍ଷା କଂଗ୍ରେସକୁ ଏଥର ଅଧିକ କ୍ଷତି ସହିବାକୁ ପଡ଼ିଛି।

ନିରାଶ ହେଲେ ଅଶୋକ ପାଣିଗ୍ରାହୀ

ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ଅଶୋକ ଉପ-ନିର୍ବାଚନରେ ବିଜୟୀ ହେବେ ବୋଲି ଆଶା କରିଥିଲେ ମଧ୍ୟ ତାହା ତାଙ୍କ ପାଇଁ ବୁମେରାଂ ପାଲଟିଛି।

୧୯୯୫ରେ ଅଶୋକ ପାଣିଗ୍ରାହୀ ପ୍ରଥମ ଥର ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ହେଲେ ୨୦୦୦ରେ ଅଶୋକ ବିଜେଡିରୁ ପ୍ରାର୍ଥୀ ହୋଇ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ମାତ୍ର ୨୦୦୪ରେ ଅଶୋକଙ୍କ ଯାଦୁ କାମ କଲାନି। ବିଜେଡି ଟିକେଟ ପାଇଥିଲେ ବି ଅଶୋକଙ୍କୁ ପରାଜିତ ହେବାକୁ ପଡ଼ିଥିଲା। କଂଗ୍ରେସର ସୁବଳ ସାହୁ ତାଙ୍କୁ ପରାଜିତ କରିଥିଲେ।

୨୦୦୯ରେ ଅଶୋକ ନିର୍ବାଚନ ଲଢ଼ି ନଥିଲେ। ୨୦୧୪ରେ ବିଜେଡି ଟିକେଟ ପାଇଁ ପୁଣି ଦାବି କରିଥିଲେ ଅଶୋକ। ହେଲେ ବିଜେଡି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେପୁରରେ ପ୍ରାର୍ଥୀ କରିଥିଲା। ଅଶୋକ ଅସନ୍ତୁଷ୍ଟ ହୋଇ ସ୍ୱାଧୀନ ଭାବେ ଲଢ଼େଇ କରି ୧୮ ହଜାର ଭୋଟ ପାଇଥିଲେ।

ଚଳିତ ଉପ-ନିର୍ବାଚନରେ ଅଶୋକ ବିଜେଡି ଟିକେଟ ଉପରେ ଆଶା କରିଥିଲେ। ହେଲେ ସୁବଳ ସାହୁଙ୍କ ସ୍ତ୍ରୀ ରିତା ସାହୁ ପ୍ରାର୍ଥୀ କରିବାରୁ ଅଶୋକ ବିଜେଡି ଛାଡ଼ି ବିଜେପି ଆସିଥିଲେ। ଆଶା କରିଥିଲେ ବିଜେପୁରବାସୀ ତାଙ୍କ ମନ କଥା ବୁଝିବେ। ହେଲେ ଅଶୋକଙ୍କୁ ପୁଣି ପରାଜିତ ହେବାକୁ ପଡ଼ିଛି।

Comment