ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ହାତରୁ ଖସିଗଲା ବିଜେପୁର ଆସନ। ଗଡ଼ ରକ୍ଷା କରି ପାରିଲେନି କଂଗ୍ରେସ ନେତା। ତୃଣମୂଳ ସ୍ତରର ନେତା ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରି କଂଗ୍ରେସ ବିଜେପୁରରେ ରଣହୁଙ୍କାର ଦେଇଥିଲେ ମଧ୍ୟ ଦଳର ଅମାନତ ଉଡ଼ି ଯାଇଛି।

ବିଜେପୁର ଉପ-ନିର୍ବାଚନରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ। ଯେଉଁ କଂଗ୍ରେସ ନିଜ ହାତମୁଠାରେ ବିଜେପୁରକୁ ଅକ୍ତିଆର କରି ରଖିଥିଲା ସେହି ଦଳ ହାତରୁ ବିଜେପୁର ଏବେ ଖସି ଯାଇଛି। ସ୍ଥିତି ଏମିତି ହୋଇଛି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ଅମାନତ ହରାଇବାକୁ ପଡ଼ିଛି। ବିଜେପୁରରେ ବରିଷ୍ଠ କଂଗ୍ରେସ ନେତା ଏକାଠି ହୋଇ ପ୍ରଣୟଙ୍କୁ ଜିତାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇନି। କଂଗ୍ରେସକୁ ଅଧିକ ହଟହଟା ହେବାକୁ ପଡ଼ିଛି ଏହି ଉପ-ନିର୍ବାଚନରେ।

କଂଗ୍ରେସ ହାତରୁ ବିଜେପୁର କାହିଁକି ଖସିଲା?

ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ହେଉଛି କଂଗ୍ରେସ। ୨୦୧୪ରେ ୧୬ ଜଣ କଂଗ୍ରେସ ସଭ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଧାନସଭାରେ କଂଗ୍ରେସ ସଭ୍ୟ ସଂଖ୍ୟା ୧୫କୁ ଖସି ଆସିଛି। ହେଲେ ବିଜେପପୁର ଆସନକୁ ବଜାୟ ରଖିବା ପାଇଁ କଂଗ୍ରେସ ଯେପରି ଉଦ୍ୟମ କରିବା କଥା ସେଥିରେ ଖିଲାପ ହୋଇଥିବା ଚର୍ଚ୍ଚା ହେଉଛି। ଯେଉଁଥି ପାଇଁ କଂଗ୍ରେସ ହାତରୁ ଏହି ଆସନ ଖସି ଯାଇଥିବା କୁହାଯାଉଛି।

ପ୍ରଥମ କଥା ହେଉଛି ବିଜେଡି ଏବଂ ବିଜେପି ବିଜେପୁର ଉପ-ନିର୍ବାଚନ ପାଇଁ ଯେମିତି ରଣନୀତି ପ୍ରସ୍ତୁତ କରିଥିଲେ କଂଗ୍ରେସ ସେପରି କରି ନଥିଲା। ବିଜେଡି ଏବଂ ବିଜେପି ଆଗୁଆ ପ୍ରାର୍ଥୀ ଘୋଷଣା କରି ବିଜେପୁର ପାଇଁ ବ୍ଲୁ ପ୍ରିଣ୍ଟ କରିଥିବା ବେଳେ କଂଗ୍ରେସ ପଛରେ ପଡ଼ି ଯାଇଥିଲା। ସବୁଠୁ ମଜା କଥା ହେଉଛି ବିଜେପୁର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ହିଁ କଂଗ୍ରେସ ବିଜେପୁରକୁ ଯାଇ ପ୍ରାର୍ଥୀ ଖୋଜିଥିଲା।

ବିଜେଡି-ବିଜେପି ପ୍ରାର୍ଥୀ ଯେତେବେଳେ ନାମାଙ୍କନ ଦାଖଲ କରିଥିଲେ ସେତେବେଳେ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ସୁପାରିଶ ପାଇଁ ହାଇକମାଣ୍ଡଙ୍କ ପାଖକୁ ଯାଇଥିଲା।

ଦ୍ୱିତୀୟ କଥା ହେଉଛି, ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସ ନେତାମାନେ ଦ୍ୱନ୍ଦ୍ବରେ ପଡ଼ିଥିଲେ। ସୁବଳ ସାହୁଙ୍କ ପରିବାର ବିଜେଡିକୁ ଚାଲିଯିବା ପରେ ରାଜ୍ୟ କଂଗ୍ରେସ ନେତାମାନେ ଅଡ଼ୁଆରେ ପଡ଼ିଥିଲେ। ଫଳରେ ପ୍ରାର୍ଥୀ ଚୟନ କରିବା ତାଙ୍କ ପାଇଁ କାଠିକର ହୋଇଥିଲା।

ପ୍ରାର୍ଥୀ ଚୟନ କରିବା ପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଗତ ଅକ୍ଟୋବର ମାସରେ ୬ ଜଣିଆ କମିଟି ଗଠନ କରିଥିଲେ। ଏହାର ନେତୃତ୍ୱରେ ନେଇଥିଲେ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ। ନବ ଦାସଙ୍କ ନେତୃତ୍ବରେ ଟିମ୍ ବିଜେପୁର ଗସ୍ତ କରି ପ୍ରଣୟଙ୍କ ନାଁ ପ୍ରସ୍ତାବ ଦେଇଥିଲେ। ହେଲେ ଏହି ସମୟରେ ରିପୁନାଥ ସେଠ୍‌ଙ୍କୁ ପ୍ରାର୍ଥୀ କରିବା ପାଇଁ କଂଗ୍ରେସର ଆଉ ଏକ ଗୋଷ୍ଠୀ ଲବି କରିଥିଲେ। ପ୍ରାର୍ଥୀ ଚୟନକୁ ନେଇ ଅଡ଼ୁଆ ବଢ଼ିବାରୁ ଶେଷରେ ଏଆଇସିସି ଆଉ ଏକ କମିଟି ଗଠନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ନେତୃତ୍ବରେ ଏକ ଟିମ୍ ବିଜେପୁର ଗସ୍ତ କରିଥିଲେ। ଏହି ପ୍ରକ୍ରିୟାରୁ ହିଁ ସ୍ପଷ୍ଟ ହୋଇ ଯାଇଥିଲା କଂଗ୍ରେସର ସ୍ଥିତି ବିଜେପୁରରେ କ’ଣ ହେବ?

“ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ବିଳମ୍ବ ହୋଇଥିଲା। ଏଥିପାଇଁ ଉଭୟ ପିସିସି ଏବଂ ଏଆଇସିସି ଦାୟୀ। କଂଗ୍ରେସ ଏକାଠି ହୋଇ ବିଜେପୁର ଆସନରେ ଲଢ଼େଇ କରିବାରେ ବହୁ ବିଳମ୍ବ କରିଦେଲା”, କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ।

ବିଜେପୁରରେ କଂଗ୍ରେସ କେବେଠୁ?

ବିଜେପୁର ନିର୍ବାଚନ ଇତିହାସକୁ ଯଦି ଦେଖିବା ତାହାଲେ କଂଗ୍ରେସ ହିଁ ଆରମ୍ଭରୁ ଏଠାରେ କ୍ଷମତାରେ ରହିଥିବା ଦେଖିବାକୁ ମିଳିଛି। ହେଲେ କଂଗ୍ରେସ ହାତରୁ ଏବେ ଏହି ଆସନ ଖସି ଯାଇଛି। ୧୯୬୧ରେ ପ୍ରଥମ ନିର୍ବାଚନ ହୋଇଥିବା ବିଜେପୁରରେ। ଏଠାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ କଂଗ୍ରେସର ମୋହନ ନାଗ। ୧୯୬୭ରେ ବି ମୋହନ ନାଗ ଏହି ଆସନରୁ ବିଧାୟକ ହୋଇଥିଲେ।

୧୯୮୦ରେ ରାଜିବ ଲୋଚନ ହୋତା, ୧୯୯୫ରେ ରିପୁନାଥ ସେଠ, ୨୦୦୪-୨୦୦୯ ଏବଂ ୨୦୧୪ରେ ସୁବଳ ସାହୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ।

Comment