ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଜେପି ଶାସିତ ରାଜ୍ୟରେ ଫୁଟୁନି ପଦ୍ମ
  • ମଧ୍ୟପ୍ରଦେଶରେ ବିଜେପି ନିରାଶ
  • ବାଜି ମାରିନେଲା କଂଗ୍ରେସ
  • ରାଜସ୍ଥାନରେ ବି ଜିତିଥିଲା କଂଗ୍ରେସ
  • ବିଜେପୁରରେ ବି ବିଜେପିକୁ ଦୂରେଇଲେ ଭୋଟର

ଆଛେଦିନ୍‌ର ସ୍ଲୋଗାନ ଦେଉଥିବା ବିଜେପି ପାଇଁ ଏବେ ଖରାପ ଦିନ ଆସି ଯାଇଛି। ୨୮ ତାରିଖରେ ଦୁଇଟି ରାଜ୍ୟ ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ହୋଇଥିବା ଉପ-ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ଜଣାପଡ଼ୁଛି। ୨୦୧୯ ନିର୍ବାଚନରେ ପୁଣି ଦିଲ୍ଲୀ ସିଂହାସନ ଅକ୍ତିଆର୍ କରିବା ପାଇଁ ବିଜେପି ରଣନୀତିଜ୍ଞ ଅଙ୍କ କଷୁଥିବା ବେଳେ ଉପ-ନିର୍ବାଚନ ଫଳାଫଳ କିଛି ଭିନ୍ନ କଥା କହୁଛି।

ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶର ଦୁଇଟି ବିଧାନସଭା ଆସନରେ ବିଜେପି ଚିତପଟ୍ଟାଙ୍ଗ ମାରିଥିବା ବେଳେ ଅଣବିଜେପି ଶାସିତ ରାଜ୍ୟ ଓଡ଼ିଶାରେ ହୋଇଥିବା ଉପ-ନିର୍ବାଚନରେ ବି ବିଜେପିକୁ ପରାଜିତ ହେବାକୁ ପଡ଼ିଛି। ଫଳରେ ବିଜେପି ବିରୋଧୀ ହାୱା ଜୋରଦାର ବହୁଥିବା ଚର୍ଚ୍ଚା ହେଉଛି।

ମଧ୍ୟପ୍ରଦେଶରେ ବିଜେପି ଶାସନ ଚାଲିଛି। ଶିବରାଜ ସିଂହ ଚୌହାନ ୨୦୦୫ରୁ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ଗତ ୨୪ ତାରିଖରେ ମଧ୍ୟପ୍ରଦେଶର ମୁଙ୍ଗାବଲି ଏବଂ କୋଲାରସ ବିଧାନସଭା ଆସନରେ ଉପ-ନିର୍ବାଚନ ହୋଇଥିଲା। ୨୮ ତାରିଖରେ ଏହାର ଫଳାଫଳ ବାହାରିଥିଲା। ହେଲେ ଏଥିରେ ବିଜେପି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ପରାଜିତ କରିଛନ୍ତି କଂଗ୍ରେସ ପ୍ରାର୍ଥୀ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେପି ଶାସନ ଉପରେ ମଧ୍ୟପ୍ରଦେଶ ଭୋଟର ଅସନ୍ତୁଷ୍ଟ ରହିଛନ୍ତି।

ସେହିପରି ଓଡ଼ିଶାର ବିଜେପୁର ବିଧାନସଭା ଆସନରେ ହୋଇଥିଲା ଉପ-ନିର୍ବାଚନ। ଯେଉଁଦିନ ମଧ୍ୟପ୍ରଦେଶ ଉପ-ନିର୍ବାଚନର ଫଳ ବାହାରିଥିଲା ସେହିଦିନ ବିଜେପୁରର ବି ଫଳାଫଳ ବାହାରିଛି। ହେଲେ ବିଜେପିକୁ ଏଠାରେ ବି ନିରାଶ ହେବାକୁ ପଡ଼ିଛି। ବିଜେଡି ପ୍ରାର୍ଥୀ ରିତା ସାହୁଙ୍କଠାରୁ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୪୧, ୯୩୩ ଭୋଟରେ ପରାଜିତ ହେବା ପରେ ମିଶନ୍-୧୨୦ର ସ୍ୱପ୍ନ ଦେଖୁଥିବା ବିଜେପିକୁ ଜୋରଦାର ଝଟକା ଲାଗିଛି।

୨୦୧୭ରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପି ବିଜେପୁରରେ ବିପୁଳ ଭୋଟରେ ଜିତିଥିଲା। ୭ଟି ଜିଲ୍ଲା ପରିଷଦ ଜୋନରୁ ୬ଟି ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା ବିଜେପି। ପଞ୍ଚାୟତ ଭୋଟରେ ପ୍ରାୟ ୯୨ ହଜାର ଭୋଟ ପାଇଥିଲା ଏହି ଜାତୀୟ ଦଳ। ହେଲେ ବର୍ଷକ ପରେ ହୋଇଥିବା ଉପ-ନିର୍ବାଚନରେ ପଞ୍ଚାୟତ ଗଣିତ କାମ କରି ନଥିଲା।

“ବିଜେଡି ଶାସନ ଅମଳରେ ବିଜେପୁରର ବିକାଶ ହୋଇନାହିଁ। ଏହା ବିଜେପୁରବାସୀ ଭଲଭାବେ ଜାଣିଛନ୍ତି। ହେଲେ ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରିତା ସାହୁଙ୍କୁ ପ୍ରାର୍ଥୀ କରି ବିଜେପି ଅନୁକମ୍ପା ଭୋଟ ପାଇଛି। ସୁବଳ ସାହୁଙ୍କ ପ୍ରତି ବିଜେପୁରବାସୀଙ୍କର ଅହେତୁକ ଶ୍ରଦ୍ଧା ଥିବାରୁ ବିଜେଡି ଏହାର ଫାଇଦା ନେଇଛି”, କହିଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା।

ଆଉ ବର୍ଷକ ପରେ ଓଡ଼ିଶାରେ ହେବ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ ୧୪୭ ଆସନରୁ ୧୨୦ଟି ଆସନରେ ପଦ୍ମ ଫୁଟାଇବା ପାଇଁ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଆହ୍ୱାନ ଦେଇଛନ୍ତି। ମିଶନ-୧୨୦ର ଅୟମାରମ୍ଭ ବିଜେପୁରରୁ କରିବା ପାଇଁ ରାଜ୍ୟ ବିଜେପି ନେତାମାନେ ଲାଗିପଡ଼ିଥିଲେ। ହେଲେ ତାହା ସଫଳ ହେଲା ନାହିଁ। ବିଜେପୁରରରେ ପଦ୍ମ ଫୁଟିବା ବଦଳରେ ଶଙ୍ଖ ଧ୍ୱନି ଶୁଭିଛି।

ମଧ୍ୟପ୍ରଦେଶ ଏବଂ ବିଜେପୁର ପରେ ଫେବୃଆରି ପ୍ରଥମ ସପ୍ତାହରେ ବିଜେପି ଶାସିତ ରାଜ୍ୟ ରାଜସ୍ଥାନରେ ଉପ-ନିର୍ବାଚନ ହୋଇଥିଲା। ରାଜସ୍ଥାନରେ ବସୁନ୍ଧରା ରାଜେ ସିନ୍ଧିଆଙ୍କ ନେତୃତ୍ୱରେ ବିଜେପି ଦୀର୍ଘ ବର୍ଷ ହେଲା ରାଜୁତି କରୁଛି। ହେଲେ ଉପ-ନିର୍ବାଚନରେ ଭୋଟର ବିଜେପି ସପକ୍ଷରେ ରାୟ ଦେଇ ନାହାନ୍ତି। ଏଠାରେ ଭୋଟର କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇ ବିଜେପି ବିପକ୍ଷରେ ଜନାଦେଶ ଦେଇଛନ୍ତି।

ବିଜେପି ଶାସିତ ରାଜ୍ୟ ରାଜସ୍ଥାନ-ମଧ୍ୟପ୍ରଦେଶରେ ହୋଇଥିବା ଉପ-ନିର୍ବାଚନରେ ବିଜେପିକୁ ଭୋଟର ପ୍ରତ୍ୟାଖ୍ୟାନ କରିବା ଏବଂ ବିଜେପୁରରେ ଦଳ ବିପୁଳ ଭୋଟରେ ପରାଜିତ ହେବା ପରେ କେନ୍ଦ୍ର ନେତୃବୃନ୍ଦଙ୍କ ଚିନ୍ତା ବଢ଼ିଛି। ଏସବୁ ରାଜ୍ୟରେ ବିଜେପି ନିଜର ଭାବୂମର୍ତ୍ତିକୁ ସଜାଡ଼ି ଭୋଟରଙ୍କ ପାଖକୁ ଯିବା ଏକ ଚାଲେଞ୍ଜ ହୋଇଛି।

LEAVE A REPLY

Please enter your comment!
Please enter your name here