ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ଧାମନଗର ବିଧାନସଭା ଉପନିର୍ବାଚନ, ଏବେ ମିଶନ ପଦ୍ମପୁର। ଧାମନଗରରେ ବିଜେଡିର ପରାଜୟ ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ହଟ୍ଟଚମଟ। ଏଥର କିନ୍ତୁ ପଦ୍ମପୁରରେ ବିଜୟ ଲାଭ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ।

ପଦ୍ମପୁର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଏବେ ରାଜ୍ୟର ତିନି ପ୍ରମୁଖ ଦଳଙ୍କ ମଧ୍ୟ ଅଙ୍କକଷା ଆରମ୍ଭ ହୋଇଛି। ଆସନ୍ତା ଡିସେମ୍ବର ୫ ତାରିଖରେ ପଦ୍ମପୁର ବିଧାସଭା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ। ପଦ୍ମପୁର ମାଟିରେ ଜିତି ପାଇଁ ପାଗ ଭିଡ଼ୁଛି ବିଜେଡ଼ି।

ପଦ୍ମପୁର ବିଧାନସଭା ଉପନିର୍ବାଚନକୁ ଆଉ ମାସେ ରହିଲା। ଏହାରି ମଧ୍ୟରେ ଏହି ନିର୍ବାଚନ ଲାଗି ଦଳୀୟ ନେତାଙ୍କୁ ଦାୟିତ୍ୱ ବାଣ୍ଟିଛି ବିଜେଡି। ପ୍ରାଥମିକ ପର୍ଯ୍ୟାୟରେ ୬ ଜଣ ମନ୍ତ୍ରୀଙ୍କୁ ମିଳିଛି ପଦ୍ମପୁର ଦାୟିତ୍ୱ। ଏଥିରେ ସ୍ଥାନୀୟ ନେତାକୁ ଅଗ୍ରାଧିକାର ଦିଆଯାଇଥିବା ଜଣାପଡ଼ିଛି। ଦାୟିତ୍ୱ ପାଇଥିବା ମନ୍ତ୍ରୀମାନେ ନିରଞ୍ଜନ ପୂଜାରୀ, ନବ କିଶୋର ଦାସ, ରାଜେନ୍ଦ୍ର ଢୋଲକିଆ, ଟୁକୁନି ସାହୁ, ରୀତା ସାହୁ ଏବଂ ରୋହିତ ପୂଜାରୀ। ଦୁଇ ଜଣ ମହିଳା ମନ୍ତ୍ରୀଙ୍କୁ ଗୁରୁତ୍ୱ ଦିଆଯାଇଛି।

ପଦ୍ମୁପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକ ଦାୟିତ୍ୱରେ ରହିବେ ୩ ଜଣ ମନ୍ତ୍ରୀ। ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପଦ୍ମପୁର ବ୍ଲକ ଦାୟିତ୍ୱ ମିଳିଥିବାବେଳେ ନବ କିଶୋର ଦାସଙ୍କୁ ପାଇକମାଳ ବ୍ଲକ ଏବଂ ରାଜେନ୍ଦ୍ର ଢୋଲକିଆଙ୍କୁ ଝାରବନ୍ଧ ବ୍ଲକର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଦଳର ଏହି ତିନି ହେଭିୱେଟ ମନ୍ତ୍ରୀ ନିଜ ନିଜ ବ୍ଲକର ସମ୍ପୂର୍ଣ୍ଣ ଦାୟିତ୍ୱ ତୁଲାଇବେ।

ଏହା ସହିତ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ମିଳିଛି ନିର୍ବାଚନ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ବିଜେଡିର ବିରଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳିଛି ପ୍ରଚାର ଦାୟିତ୍ୱ। ଜୋନସ୍ତର ପାଇଁ ପଶ୍ଚିମ ଓଡ଼ିଶା ନେତାଙ୍କ ଉପରେ ଭରସା କରିଛନ୍ତି ରାଜ୍ୟ ସରକାର।

ଧାମନଗର ବିଧାନସଭା ଉପନିର୍ବାଚନରେ ବିଜେପିର ବିଜୟ ପରେ ଏବେ ପଦ୍ମପୁର ଉପନିର୍ବାଚନ ଲାଗି ବିଜେପି ଏବଂ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଗତ ଅକ୍ଟୋବର ୩ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ। ତାଙ୍କ ବିୟୋଗ ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନ ଲାଗି ନିର୍ବାଚନ ହେବ।

ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ପଦ୍ମପୁର ଉପନିର୍ବାଚନ ଲାଗି ମତଦାନ। ନଭେମ୍ବର ୧୦ ତାରିଖରେ ପଦ୍ମପୁର ନିର୍ବାଚନ ଲାଗି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ନଭେମ୍ବର ୧୭ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ନଭେମ୍ବର ୧୮ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୧ ତାରିଖରେ ପ୍ରାର୍ଥିପତ୍ର  ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଡିସେମ୍ବର ୫ ତାରିଖରେ ମତଦାନ ହେବ ଏବଂ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ସେ ୧୯୯୫ ଜନତା ଦଳ ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୦୦, ୨୦୦୯ ଏବଂ ୨୦୧୯ ମସିହାରେ ବିଜୟ ରଞ୍ଜନ ସଂ ବରିହା ବିଜୁ ଜନତା ଦଳ ଟକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ସେ ଆଦିବାସୀ/ହରିଜନ କଲ୍ୟାଣ ବିଭାଗ (କ୍ୟାବିନେଟ) ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

Tags: #Politics #OdishaPolitics #PadampurByelection #BJD #BJP #Congress #BijayRanjanSinghBariha

Comment