ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରସାଦ ହରିଚନ୍ଦନ ଇସ୍ତଫା ଦେବା ପରେ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରସାଦ ହରିଚନ୍ଦନଙ୍କ ଶ୍ୱଶୁର ସୁର ରାଉତରାୟ। ବିଜେପୁର ଉପ-ନିର୍ବାଚନରେ ଦଳର ବିପର୍ଯ୍ୟୟ ଏବଂ ପ୍ରସାଦଙ୍କୁ ହଟାଇବା ପଛରେ ୩ ଜଣ ଛାମୁଆ କଂଗ୍ରେସ ନେତାଙ୍କୁ ସେ କରିଛନ୍ତି ଟର୍ଗେଟ୍।

ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ପ୍ରସାଦ ହରିଚନ୍ଦନ। ବିଜେପୁର ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଅମାନତ ହାରିବା ପରେ ପ୍ରସାଦ ଇସ୍ତଫା ଦେଇଛନ୍ତି। ପ୍ରସାଦ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ବୁଧବାର ସନ୍ଧ୍ୟାରେ ପଠାଇଛନ୍ତି।

ପ୍ରସାଦ ଇସ୍ତଫା ଦେଇଥିବା ନେଇ ବୁଧବାର ରାତିରେ କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ଏହାକୁ ଗୁରୁବାର ସ୍ପଷ୍ଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ପ୍ରସାଦଙ୍କ ଇସ୍ତଫା ସମ୍ପର୍କରେ କହିବା ସହ ୩ ଜଣ ମୁଷ୍ଟିମେୟ ନେତାଙ୍କ ନାଁ ନନେଇ ବର୍ଷିଛନ୍ତି।

“ପଞ୍ଚାୟତ ନିର୍ବାଚନ ପରଠାରୁ ପ୍ରସାଦଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ କଂଗ୍ରେସର ଏକ ଗୋଷ୍ଠୀ ଲାଗିଥିଲେ। ବାରମ୍ବାର ଦିଲ୍ଲୀ ଯାଉଥିଲେ। କଂଗ୍ରେସର ୩ ଜଣ ମୁଷ୍ଟିମେୟ ଲୋକ ପ୍ରସାଦଙ୍କ ପଛରେ ଲାଗିଥିଲେ। କିଛି ଲୋକ ବିଜେପୁର ଉପ-ନିର୍ବାଚନରେ କଂଗ୍ରେସ ସହ ବିଶ୍ବାସଘାତକତା କରିଛନ୍ତି। ଫଳରେ କଂଗ୍ରେସ ପ୍ରାର୍ଥୀଙ୍କୁ ପରାଜିତ ହେବାକୁ ପଡ଼ିଛି”, କହିଛନ୍ତି ସୁର ରାଉତରାୟ।

ସୁର ରାଉତରାୟ ଆହୁରି କହିଛନ୍ତି, “ପ୍ରସାଦ ହେଉଛନ୍ତି ଜଣେ ଶିକ୍ଷିତ ଏବଂ ଭଦ୍ର ଲୋକ। ମାନବିକତା ଦୃଷ୍ଟି କୋଣରୁ ସେ ବୁଝି ବିଚାରି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।”

ଏପଟେ ବିଜେପୁର ଉପ-ନିର୍ବାଚନ ସମ୍ପର୍କରେ ମତ ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, “ବିଜେପୁରରେ କଂଗ୍ରେସର ପରାଜୟ ପାଇଁ ଆମେ ସମସ୍ତେ ଦାୟୀ। ଏଥିପାଇଁ ଜଣେ ଦାୟୀ ନୁହନ୍ତି। ପରବର୍ତ୍ତି ପିସିସି ସଭାପତି କିଏ ହେବ ସେ ସମ୍ପର୍କରେ ହାଇକମାଣ୍ଡ ନିଷ୍ପତ୍ତି ନେବେ।”

“ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବହୁ ଆଗରୁ ଇସ୍ତଫା ଦେବାର ଥିଲା। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଯେପରି ପରାଜିତ ହେଲା ସେବେଠାରୁ ପ୍ରସାଦ ବାବୁ ପଦ ଛାଡ଼ିବାର ଥିଲା। ବିଳମ୍ବରେ ହେଲେ ବି ସେ ଇସ୍ତଫା ଦେଇଥିବାରୁ ତାଙ୍କୁ ଅଭିନନ୍ଦନ”, କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

Comment