ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର: ଶିଙ୍ଗାଖୁଣ୍ଟାସ୍ଥିତ ନୂଆଗାଁଠାରେ ନୀହାରକନ୍ୟା ସାହିତ୍ୟ ସଂସଦର ବିଂଶତିତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କବି କୃଷ୍ଣ କୁମାର ମହାନ୍ତିଙ୍କୁ ‘ନୀହାରକନ୍ୟା ରମାମଣି ପାତ୍ର କବିତା ସମ୍ମାନ’ରେ ସମ୍ମାନିତ କରାଯାଇଛି।

କୃଷ୍ଣ କୁମାର ମହାନ୍ତି ଗତ ୩୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଆ ସାହିତ୍ୟ ଜଗତ ସହିତ ଜଡ଼ିତ ଅଛନ୍ତି। ତାଙ୍କର ସାହିତି୍ୟକ କୃତି ନିମନ୍ତେ ତାଙ୍କୁ ବିଭିନ୍ନ ସମୟରେ କଥା ପୁରସ୍କାର, ଭୁବନେଶ୍ୱର ପୁସ୍ତକମେଳାରେ ରବି ପଟ୍ଟନାୟକ ପୁରସ୍କାର, ଅଙ୍କୁର ପୁରସ୍କାର, କାଦମ୍ବିନୀ ଫିଚର ପୁରସ୍କାର, ଅଖିଳମୋହନ କଥା ପୁରସ୍କାର, ସମ୍ବାଦ ସଂକେତ ପୁରସ୍କାର, ପ୍ରଗତିବାଦୀ ଗଳ୍ପ ପୁରସ୍କାର, ସମୟ ସାଂପ୍ରତିକ ସାହିତ୍ୟ ସମ୍ମାନ, ବର୍ଣ୍ଣାଳି ଅନୁବାଦ ସମ୍ମାନ ପାଇଛନ୍ତି।

ଏହାସହ ଗାଳ୍ପିକ ଅନିଲ କୁମାର ପାଢୀ, କବି ପ୍ରତୀକ୍ଷା ଜେନା, ଗାଳ୍ପିକ ଚନ୍ଦ୍ର ମୋହନ ମହାପାତ୍ର ଓ କବି ଶ୍ରୀଗୋବିନ୍ଦଙ୍କୁ ମଧ୍ୟ ନୀହାରକନ୍ୟା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।  କବି ଦିବ୍ୟସିଂହ ଦାସ ଅଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗାଳ୍ପିକ ରାଧାବିନୋଦ ନାୟକ ଯୋଗ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ଡକ୍ଟର ହରିଶ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ କବି ପୀତାମ୍ବର ତରାଇ, ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ। ସାହିତ୍ୟରୁ ହଜିଯାଉଥିବା ମାନବବାଦର କଥା ଏବଂ ସାହିତ୍ୟ କିପରି କହିବାର ସ୍ୱାଧୀନତା ପ୍ରଦାନ କରିଥାଏ ତାହା ଅତିଥିମାନେ ଆଲୋଚନା କରିଥିଲେ।

ଅପରାହ୍ଣରେ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ କବି ଶ୍ରୀଦେବ ବକ୍ତା ଭାବରେ ଯୋଗଦେଇ ସାଂପ୍ରତିକ କବିତାରେ ନୂଆପିଢିଙ୍କ ସହଭାଗିତା ସମ୍ପର୍କରେ ଆଲୋଚନା କରି ତରୁଣ କବିମାନଙ୍କୁ ଦିଗ ଦେଖାଇଥିଲେ।

କବି ସଂଜିତ ବଳ, ରଞ୍ଜନ ବାଗ, ଉତ୍ପଳ ମହାନ୍ତି, କୃଷ୍ଣ କୁମାର ମହାନ୍ତି, ରାମକୃଷ୍ଣ ବାରିକ, ଶ୍ରୀଗୋବିନ୍ଦ, ସୁନିଲ ମିଶ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ପ୍ରତିଭା ଖିଲାର ଓ ପ୍ରଦୀପ ମହାନ୍ତି ସଂଯୋଜନା କରିଥିଲେ। ସମଗ୍ର ଉତ୍ସବକୁ ନୀହାରକନ୍ୟାର ସଂପାଦକ ସୁରଞ୍ଜନ ପାତ୍ର ପରିଚାଳନା କରିଥିଲେ।

Comment