ଓଡ଼ିଶାଲାଇଭ୍‍ ପ୍ରମୁଖ ପ୍ରତିନିଧି

ଯିଏ ମାରେ ସେ ମଣିଷ/ ଯିଏ ମରେ ସେ ମଣିଷ। ଯିଏ ଜିତେ ସେ ମଣିଷ/ ଯିଏ ହାରେ ସେ ମଣିଷ।

ହଁ, ଏହା ହିଁ ତ ଆଜି ପୃଥିବୀର ବାସ୍ତବ ଚିତ୍ର। ନିଜର ସ୍ୱାର୍ଥ ପାଇଁ ଜଣେ ଧରେ ହତିଆର। ସେ ଯାହାକୁ ହତ୍ୟା କରିବାକୁ ମାଡ଼ିଆସେ, ସେ ବି ଜଣେ ମଣିଷ। ସେହିଭଳି ପ୍ରତି କଥାରେ ଜଣେ ମଣିଷ ଚାହେଁ, ଆଉ ଜଣଙ୍କୁ ଜିତି ବିଜୟ ମୁକୁଟ ପିନ୍ଧିବାକୁ। ସେହି ମଣିଷଟି ଭୁଲିଯାଏ ଯେ ଯାହାକୁ ହରାଇ ସେ ଗଡ଼ ଜୟ କରିଗଲା ବୋଲି ଭାବୁଛି, ସେ ବି ଜଣେ ମଣିଷ।

ଆଜି ମଣିଷ-ମଣିଷ ଭିତରେ ହିଁ ଚାଲିଛି ପ୍ରତିଯୋଗିତା ହାର-ଜିତର, ବିଦ୍ୱେଷର। କେବଳ ସେତିକି ନୁହେଁ, ସନ୍ତ୍ରାସବାଦ, ନକ୍ସଲବାଦ, ସାମ୍ପ୍ରଦାୟିକ ଦଙ୍ଗା ଓ ଜାତିଆଣ ବିଦ୍ୱେଷ – ଏସବୁ ଶାନ୍ତି, ମାନବତା ଏବଂ ଭାଇଚାରା ପ୍ରତି ଆଜି ସବୁଠାରୁ ବଡ଼ ଆହ୍ୱାନ। ତେଣୁ ମାନବଜାତି ପାଇଁ ଆଜି ପୁଣି ଥରେ ଗୁରୁତ୍ୱପୂର୍ଣ୍ଣ ହୋ‍ଇପଡ଼ିଛି ଗାନ୍ଧିଙ୍କ ଅହିଂସା। ଓଡ଼ିଶା ଡ୍ୟାନ୍ସ ଏକାଡେମିର କଳାକାରମାନେ ଏକ ନୂଆ ପ୍ରଡକ୍ସନ୍‍ ‘ଅହିଂସା’ ମାଧ୍ୟମରେ ଆଜି ଏହି ବିଷୟକୁ ଅତି ମାର୍ମିକ ଭାବେ ଉପସ୍ଥାପନ କରିପାରିଛନ୍ତି।

“ଜାଭିୟର୍ସ ବିଶ୍ୱବିଦ୍ୟାଳୟରେ ଗାନ୍ଧିଙ୍କ ଆଦର୍ଶ ଉପରେ ଏକ ଜାତୀୟ କାର୍ଯ୍ୟକ୍ରମ ବେଳେ ଆମକୁ ପ୍ରଥମ ନିମନ୍ତ୍ରଣ ଆସିଥିଲା। ଓଡ଼ିଶୀ ଡ୍ୟାନ୍ସ ଡ୍ରାମା ମାଧ୍ୟମରେ ଆମେ ବାପୁଙ୍କ ଅହିଂସା ବାର୍ତ୍ତାକୁ ନେଇ ଯେଉଁ କଳାତ୍ମକ ଉପସ୍ଥାପନା କରିଥିଲୁ, ତାହା ସମସ୍ତଙ୍କୁ ଭଲ ଲାଗିଥିଲା”, ଓଡ଼ିଶାଲାଇଭର ପ୍ରମୁଖ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସୂଚନା ଦେଇଛନ୍ତି ଓଡ଼ିଶା ଡ୍ୟାନ୍ସ ଏକାଡେମିର ପ୍ରତିଷ୍ଠାତା ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଅରୁଣା ମହାନ୍ତି।

‘ଅହିଂସା’ ଏକ ସୁନ୍ଦର ଓଡ଼ିଶୀ ନୃତ୍ୟାଭିନୟ। ଏହାକୁ ଉପସ୍ଥାପନ କରିଛନ୍ତି ୫୦ରୁ ଅଧିକ ଓଡ଼ିଶୀ ନୃତ୍ୟଶିଳ୍ପୀ। ପ୍ରାୟ ୧ ମାସ ସମୟ ଭିତରେ ଅରୁଣା ମହାନ୍ତି ଓ ତାଙ୍କର ଛାତ୍ରଛାତ୍ରୀମାନେ ଏହି ପ୍ରଡକ୍ସନକୁ ପ୍ରସ୍ତୁତ କରିଛନ୍ତି। ଜାନୁଆରି ୩୦, ୨୦୧୮ ମହାତ୍ମାଗାନ୍ଧିଙ୍କ ମହାପ୍ରୟାଣ ଦିବସ ଅବସରରେ ଜାଭିୟର୍ସ ବିଶ୍ୱବିଦ୍ୟାଳୟର ପ୍ରଥମ ସୋ’ ହୋ‍ଇଥିଲା। ପରେ ଏକାଡେମିର କଳାକାରମାନେ ଚଳିତବର୍ଷ ଧ‌ଉଳି-କଳିଙ୍ଗ ମହୋତ୍ସବରେ ଏହାକୁ ପୁଣି ପରିବେଷଣକରି କଳାପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏବେ ସେମାନେ ନୂଆଦିଲ୍ଲୀରେ ହେଉଥିବା ‘ଓଡ଼ିଶାପର୍ବ’ ମଞ୍ଚରେ ଗାନ୍ଧିଙ୍କ ଏହି ବାର୍ତ୍ତାକୁ ଓଡ଼ିଶୀ ନୃତ୍ୟର ତାଳେ ତାଳେ ଜାତୀୟ ସ୍ତରର ଦର୍ଶକମାନଙ୍କ ନିକଟରେ ପହଞ୍ଚାଇବେ।

“ହାତରେ ବେଡ଼ି ତା’ ପିଠିରେ କୋରଡ଼ା/ କାନ୍ଦେ ଭାରତ ମା’/ ପରାଧୀନତାର ଅନ୍ଧାର ତଳେ/ ଡାକୁଛି ତତେ ସେ ମୁକ୍ତିପୁରୁଷ ଆ” – ପରାଧୀନତାରେ ସଢ଼ୁଥିବା ଦୁଃଖିନୀ ଭାରତମାଆର ଏହି ଡାକ ମୋହନ ଦାସ କରମଚାନ୍ଦ ଗାନ୍ଧିଙ୍କୁ ସୁଦୂର ଆଫ୍ରିକାରୁ ଟାଣି ଆଣେ ଭାରତ। ସତ୍ୟାଗ୍ରହ, ସ୍ୱଦେଶୀ ଆନ୍ଦୋଳନ ଏବଂ ଅହିଂସାର ରାସ୍ତା ଦେଖାଇ ସେହି ମୋହନ ଦାସ ପାଲଟିଯା’ନ୍ତି ଜାତିର ପିତା ମହାତ୍ମାଗାନ୍ଧି। ଅହିଂସା ଶୀର୍ଷକରେ ପ୍ରସ୍ତୁତ ଓଡ଼ିଶୀ ଡ୍ୟାନ୍ସ ଡ୍ରାମାର ଏହି କାହାଣୀକୁ ଅତି ସୁନ୍ଦର ଭାବେ ଗୀତ, ସଙ୍ଗୀତ, ନୃତ୍ୟ ଓ ଅଭିନୟ ମାଧ୍ୟମରେ ପରିବେଷଣ କରାଯାଇଛି।

“ଗାନ୍ଧିଙ୍କ ଜୀବନ ଦୀର୍ଘ, କର୍ମମୟ ତଥା ଏହା ସହିତ ଭାରତ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଖଣ୍ଡ ଯୋଡ଼ି ହୋ‍ଇରହିଛି। ତେଣୁ ଏତେ ବଡ଼ କାନଭାସକୁ ମାତ୍ର ୪୦ ମିନିଟର ଏକ ଡ୍ୟାନ୍ସ ପ୍ରଡକ୍ସନରେ ଉପସ୍ଥାପନ କରିବାକୁ ଚେଷ୍ଟା କରିବା ଏବଂ ଦର୍ଶକମାନଙ୍କୁ ଏକ ଦୃଢ଼ ବାର୍ତ୍ତା ଦେବା ଆମ ପାଇଁ ଏକ ବଡ଼ ଚାଲେଞ୍ଜ ଥିଲା। ଓଡ଼ିଶୀ ଡ୍ୟାନ୍ସ ଏକାଡେମିର କଳାକାରମାନେ ଏହାକୁ ସୁନ୍ଦର ଭାବେ ଫୁଟାଇବାକୁ ଚେଷ୍ଟା କରିଛନ୍ତି। ମୁଁ ଭାବୁଛି ଆମେ ଏହାକୁ ଯେତେ ଥର ପରିବେଷଣ କରିବୁ, ପ୍ରତି ଥର ଏହା ଆହୁରି ଶାଣିତ ଓ ଆକର୍ଷଣୀୟ ହୋ‍ଇପାରିବ”, କହିଛନ୍ତି ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି।

ଅହିଂସାର ସ୍କ୍ରିପ୍ଟ କରିଛନ୍ତି କବି ଓ ସାମ୍ବାଦିକ କେଦାର ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁରୁ ରାମହରି ଦାସ। ତା’ ସାଙ୍ଗକୁ ତାରାକାନ୍ତ ପଣ୍ଡାଙ୍କ ସହଯୋଗିତା ଓ ଗୁରୁ ଧନେଶ୍ୱର ସ୍ୱାଇଁଙ୍କ ତାଳ ସଂଯୋଗ ଏହି ନାଟିକାକୁ ଜୀବନ୍ତ କରିତୋଳିଛି। ଏହାର ନୃତ୍ୟ ନିର୍ଦ୍ଦେଶନା ସହ ଆଭୂଷଣ ପରିକଳ୍ପନା କରିଛନ୍ତି ନିଜେ ଅରୁଣା। ସେହିପରି ଏହି ପ୍ରଡକ୍ସନର ନୃତ୍ୟ ନିର୍ଦ୍ଦେଶନାରେ ସହଯୋଗ ଭୂମିକା ତୁଲାଇଛନ୍ତି ମଧୁସ୍ମିତା ମହାନ୍ତି ଓ ରୁଦ୍ରପ୍ରସାଦ ସ୍ୱାଇଁ।

‘ଅହିଂସା’ ନାଟିକାରେ ଓଡ଼ିଆ କବି ରାଧାମୋହନ ଗଡ଼ନାୟକଙ୍କ ‘ଜୟ ଗାନ୍ଧି’ କବିତାର କିଛି ଅଂଶ ନିଆଯାଇଛି। ସେହିପରି ପ୍ରସିଦ୍ଧ ହିନ୍ଦୀ କବି ହରିବଂଶ ରାୟବଚ୍ଚନ ଓ ସୁମିତ୍ରା ନନ୍ଦନ ପନ୍ଥଙ୍କ କବିତା ଏହି ନୃତ୍ୟାଭିନୟକୁ ଆକର୍ଷଣୀୟ କରିତୋଳିଛି। ଗାନ୍ଧିଙ୍କ ପ୍ରିୟ ଭଜନ ‘ରଘୁପତି ରାଘବ ରାଜାରାମ’ ଏବଂ ‘ବୈଷ୍ଣବ ଜନକୋ’ ଏହି ଓଡ଼ିଶୀ ଉପସ୍ଥାପନାକୁ ଅଧିକ ମାର୍ମିକ ଓ ଭାବମୟ କରିଛି।

ବାସ୍ତବରେ ଗାନ୍ଧିଙ୍କ ଭିତରେ ସାଧାରଣ ମଣିଷ ବା ସାଧାରଣ ମଣିଷ ଭିତରେ ଗାନ୍ଧିଙ୍କୁ ଖୋଜିବା ଏହି ସଙ୍ଗୀତ-ଅଭିନୟର ମୂଳ ସୂତାଖିଅ ହୋ‍ଇଛି। କାରଣ ନାଟିକାର ଶେଷରେ ଏକଥା ଫୁଟାଇବା ପାଇଁ ଚେଷ୍ଟା କରାଯାଇଛି ଯେ ହୁଏତ ଜଣେ ଆତତାୟୀ ଗୁଳିରେ ଗାନ୍ଧି ଆଖି ବୁଜି ଦେଇପାରନ୍ତି, କିନ୍ତୁ ଗାନ୍ଧିଙ୍କର ବାସ୍ତବରେ ମୃତ୍ୟୁ ନାହିଁ। ଜଣେ ଗାନ୍ଧି ଆଖି ବୁଜିଦେଲେ, ସେହି ମାଟିରୁ ଜନ୍ମ ନେଇପାରନ୍ତି ହଜାର ହଜାର ଗାନ୍ଧି, ଯେଉଁମାନେ କି ବାପୁଙ୍କ ଅହିଂସା ବାର୍ତ୍ତାର ପ୍ରଚାରକରି ପୃଥିବୀରେ ଶାନ୍ତି ଓ ଭାଇଚାରା ପ୍ରତିଷ୍ଠା କରିବାକୁ ଯୁଗେ ଯୁଗେ ଆଗେଇ ଆସନ୍ତି।

‘ଅହିଂସା’ ମଞ୍ଚରେ ଓଡ଼ିଶା ଡ୍ୟାନ୍ସ ଏକାଡେମିର କଳାକାରମାନେ ଗାନ୍ଧିଙ୍କ ପ୍ରିୟ ଚରଖାକୁ ରଖିବାକୁ ଭୁଲିନାହାନ୍ତି। ବାସ୍ତବରେ ଏହି ଚରଖା ମଣିଷ ସଭ୍ୟତା ସହିତ ଗାନ୍ଧିଙ୍କ ଅହିଂସାର ଧୁନ୍‍ ପ୍ରତି ମୁହୂର୍ତ୍ତରେ ଆମ ମନରେ ଗୁଞ୍ଜରିତ ହେଉଛି।

Comment