ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବିଜେପି ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି। ବିଜେପି ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ କହିବା ସହ ୨୦୧୯ରେ କଂଗ୍ରେସ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
“୨୦୧୯ରେ ବିଜେପିକୁ ସରକାର ଗଠନ କରିବାକୁ ସୁଯୋଗ ଦିଆଯିବନି। କଂଗ୍ରେସ ପୁଣିଥରେ କ୍ଷମତାକୁ ଫେରିବ। ଏଥିପାଇଁ ଆମେ ପ୍ରସ୍ତୁତ ହେଉଛୁ”, କହିଛନ୍ତି ସୋନିଆ ଗାନ୍ଧି।
ଇଣ୍ଡିଆ ଟୁଡେ କନକ୍ଲେଭରେ ଯୋଗଦେଇ ସୋନିଆ ବିଜେପି ଉପରେ ସିଧାଳଖ ବର୍ଷିଛନ୍ତି। କହିଛନ୍ତି, ଆମେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଉପ-ନିର୍ବାଚନରେ ସଫଳତା ହାସଲ କରିଛୁ। ଆମର ଆଗାମୀ ଲକ୍ଷ୍ୟ ହେଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଏହି ନିର୍ବାଚନ ଜିତିବା ଆମ ପାଇଁ ବହୁତ ଜରୁରି। ୨୦୧୯କୁ ଆମେ ଆଶାବାଦୀ ଅଛୁ। ପୁଣିଥରେ କଂଗ୍ରେସ କ୍ଷମତାକୁ ଫେରିବ।
ସୋନିଆ ଆହୁରି କହିଛନ୍ତି, “ଲୋକମାନଙ୍କ ସହଳ ଆମେ ସମ୍ପର୍କ ରଖି ନପାରିବାରୁ ୨୦୧୪ରେ କଂଗ୍ରେସକୁ ପରାଜିତ ହେବାକୁ ପଡ଼ିଥିଲା। ଉପା ସରକାର ଅମଳରେ ଆମେ ବହୁତ କାମ କରିଛୁ। ହେଲେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସଫଳ ହେଲୁନି। ଫଳରେ ବିଜେପି ଏହି ମଉକାରେ ବାଜି ମାରିନେଲା। ବିଜେପି ଭଲ ପ୍ରଚାର କରିବାରୁ ସେ ଜିତିଗଲା।”
ଲୋକଙ୍କୁ ବିଜେପି କହିଲା ଯେ କଂଗ୍ରେସ ହେଉଛି ମୁସଲିମ୍ ପାର୍ଟି। ଏହି କଥା କହି ବିଜେପି ନିର୍ବାଚନ ବୈତରଣୀ ପାର୍ ହୋଇଗଲା ବୋଲି ସୋନିଆ କହିଛନ୍ତି।
ବିଜେପି ଉପରେ ଆକ୍ରମଣ କରି ସୋନିଆ କହିଛନ୍ତି ଯେ ଲୋକଙ୍କୁ ମିଛ କହିବାର ଅଭ୍ୟାସ କଂଗ୍ରେସର ନାହିଁ। ଆମେ ଯାହା କହୁ ତାହା ପୂରଣ କରୁ। ହେଲେ ବିଜେପି ପ୍ରତିଦିନ ଲୋକଙ୍କୁ ନୂଆ ନୂଆ ପ୍ରତିଶ୍ରୁତି ଦେଉଛି। କିନ୍ତୁ ତାହା ପୂରଣ ହୋଇପାରୁ ନାହିଁ।