ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭା ପାଇଁ ବିଜେଡିର ତିନି ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ ସହ ସତ୍ୟପାଠ ଜରିଆରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଦର୍ଶାଇଛନ୍ତି। ସତ୍ୟପାଠରୁ ସୌମ୍ୟରଞ୍ଜନ ପଟ୍ଟନାୟକ ସବୁଠୁ ଧନୀ ଏବଂ  ଡକ୍ଟର ଅଚ୍ୟୁତ ସାମନ୍ତ ସବୁଠୁ ଗରିବ ପ୍ରାର୍ଥୀ ବୋଲି ଜଣାପଡ଼ିଛି

  • ଅଚ୍ୟୁତଙ୍କ ସ୍ଥାବର ସମ୍ପତ୍ତି ୧ ଲକ୍ଷ ୮୬ ହଜାର ଟଙ୍କା
  • ସୌମ୍ୟଙ୍କର ୧୧ କୋଟି ୫୨ ଲକ୍ଷ ୭୫ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି
  • ପ୍ରଶାନ୍ତ ନନ୍ଦଙ୍କର ୫୦ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି

ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି କିଟ୍ ଏବଂ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ଏନେଇ ସେ ଶନିବାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ବେଳେ ସତ୍ୟପାଠ ଜରିଆରେ ଅଚ୍ୟୁତ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ରିଟର୍ଣ୍ଣିଂ ଅଫିସରଙ୍କୁ ଦେଇଛନ୍ତି। ଏହି ତାଲିକାରୁ ଅଚ୍ୟୁତ ସବୁଠୁ ଗରିବ ପ୍ରାର୍ଥୀ ବୋଲି ଜଣାପଡ଼ିଛି।

ଅଚ୍ୟୁତଙ୍କ ସ୍ଥାବର ସମ୍ପତ୍ତି (ପୈତୃକ ସମ୍ପତ୍ତିର ଅଂଶ ବାବଦକୁ) ୧ ଲକ୍ଷ ୮୬ ହଜାର ଟଙ୍କା ରହିଥିବା ବେଳେ ୪ ଲକ୍ଷ ୧୨ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ସତ୍ୟପାଠରୁ ସୂଚନା ମିଳିଛି।

ସେହିପରି ଅନ୍ୟତମ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସତ୍ୟପାଠ ଜରିଆରେ ସୌମ୍ୟ ଯେଉଁ ସମ୍ପତ୍ତି ତାଲିକା ଦେଇଛନ୍ତି ସେଥିରୁ ସେ ଧନୀ ପ୍ରାର୍ଥୀ ବୋଲି ଜଣାପଡ଼ିଛି।

ସୌମ୍ୟଙ୍କର ୬ କୋଟି ୫୭ ଲକ୍ଷ ୫୫ ହଜାର ଟଙ୍କାର ଅସ୍ଥାବର ଏବଂ ୧୧ କୋଟି ୫୨ ଲକ୍ଷ ୭୫ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି ରହିଥିବା ଦର୍ଶାଇଛନ୍ତି। ସେହିପରି ପତ୍ନୀ ସୁଦତ୍ତା ପଟ୍ଟନାୟକଙ୍କ ନାଁରେ ୧ କୋଟି ୨୫ ଲକ୍ଷ ୮୭ ହଜାର ଟଙ୍କାର ଅସ୍ଥାବର ଓ ୨ କୋଟି ୧୨ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଥିବା ଦର୍ଶାଇଛନ୍ତି।

ସୌମ୍ୟଙ୍କ ନାଁରେ ୩ କୋଟି ଏବଂ ସୁଦତ୍ତାଙ୍କ ନାଁରେ ୬୮ ଲକ୍ଷ ଟଙ୍କାର ଋଣ ରହିଛି।

ପ୍ରଶାନ୍ତ ନନ୍ଦଙ୍କର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୯ ଲକ୍ଷ ୨୦ ହଜାର ଟଙ୍କା ରହିଥିବା ବେଳେ ୫୦ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ପତ୍ନୀଙ୍କ ନାମରେ ୨ କୋଟି ୮ ଲକ୍ଷ ଟଙ୍କାର ସ୍ଥାବର ଏବଂ ୭୮ ଲକ୍ଷ ୩୩ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

ସତ୍ୟପାଠରୁ ଜଣାପଡ଼ିଛି ଯେ ଅଚ୍ୟୁତଙ୍କ ନାଁରେ କୌଣସି ମାମଲା ନଥିବା ବେଳେ ସୌମ୍ୟଙ୍କ ନାମରେ ୧୯ଟି ମାମଲା ଏବଂ ପ୍ରଶାନ୍ତଙ୍କ ନାଁରେ ଗୋଟିଏ ମାମଲା ରହିଛି।

୭ ତାରିଖରେ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଡକ୍ଟର ଅଚ୍ୟୁତ ସାମନ୍ତ ବିଜେଡିରେ ଯୋଗ ଦେଇଥିଲେ। ସେହିଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ସୌମ୍ୟ, ଅଚ୍ୟୁତ ଏବଂ ପ୍ରଶାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲେ। ଏହି ତିନି ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଛନ୍ତି।

Keywords: #BJD #NaveenPatnaik #Politics #OdishaPolitics #RajyaSabhaPolitics

Comment