ଓଡ଼ିଶାଲାଇଭ୍ ବ୍ୟୁରୋ

- ୮ ଦଫା ଦାବି ନେଇ ଧାରଣା ଦେଇଛନ୍ତି ଶିକ୍ଷକ
- ୫୭ଟି ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଚାଲିଛି ଶିକ୍ଷକଙ୍କ ଧାରଣା
- ପ୍ରତିଶ୍ରୁତି ପୂରଣ କରିବାରେ ସରକାର ବିଫଳ: ଶିକ୍ଷକ ସଂଘ
- ମନ୍ତ୍ରୀ କହିଲେ, “ସହଯୋଗ ନକଲେ ବିକଳ୍ପ ବ୍ୟବସ୍ଥା”
ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ଶିକ୍ଷକମାନେ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୮ ଦଫା ଦାବି ନେଇ ଶିକ୍ଷକମାନେ ବିଭିନ୍ନ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଛନ୍ତି। ରାଜ୍ୟର ୫୭ଟି ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଛନ୍ତି।
ଭୁବନେଶ୍ବର, ସମ୍ବଲପୁର, କଟକ, ନୟାଗଡ଼, ସମ୍ବଲର ଆଦି ଜିଲ୍ଲାର ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ବିକ୍ଷୋଭ ଚାଲିଛି। ସ୍କୁଲ ଶିକ୍ଷକ ଓ ମିଳିତ ମଞ୍ଚ ପକ୍ଷରୁ ଏହି ଧାରଣା ଚାଲିଛି।
ଆନ୍ଦୋଳନକାରୀ ଶିକ୍ଷକଙ୍କୁ ଚେତାବନୀ ଦେଇଛନ୍ତି ସରକାର। ଖାତା ଦେଖାରେ ସହଯୋଗ ନକଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି।
ମନ୍ତ୍ରୀ କହିଛନ୍ତି, “ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ଖାତା ଦେଖାରେ ସହଯୋଗ କରନ୍ତୁ। ଶିକ୍ଷକମାନଙ୍କର ଅଧିକାଂଶ ଦାବି ପୂରଣ ହୋଇଛି। ସବୁ ଦାବି ପୂରଣ କରିବା ସମ୍ଭବ ନୁହେଁ।”
ମଙ୍ଗଳବାରଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି। ଖାତା ଦେଖିବା ପାଇଁ ୧୩ ହଜାର ୨୮୦ ଶିକ୍ଷକଙ୍କୁ ନିୟୋଜିତ କରାଯାଇଥିଲା। ଶିକ୍ଷକମାନେ ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ଦିନ ୧୦ଟାରେ ପହଞ୍ଚିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ହେଲେ ଖାତା ଦେଖାର ଦିନକ ପୂର୍ବରୁ ଶିକ୍ଷକମାନେ ଧାରଣା ଦେଇଛନ୍ତି। ଦାବି ପୂରଣ ନହେଲେ ଖାତା ଦେଖା ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।


















