ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାର୍ସଲ ବୋମା ବିସ୍ଫୋରଣରେ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ନବବଧୂ ରିମାରାଣୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ମାଗିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନ୍ୟାୟ ମାଗିଛନ୍ତି ପାଟଣାଗଡ଼ର ରିମାରାଣୀ ସାହୁ। ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରି ତୁରନ୍ତ ନ୍ୟାୟ ଦେବାକୁ ରିମା ନିବେଦନ କରିଛନ୍ତି। ଏହାସହ ଏଭଳି ଦୁଃଖଦ ଘଟଣା କାହା ସହ ନଘଟୁ ବୋଲି ରିମା ଗଣମାଧ୍ୟମ ଜରିଆରେ କହିଛନ୍ତି।

ଫେବ୍ରୁଆରି ୨୩ରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଗିଫ୍ଟ ପାର୍ସଲ ବିସ୍ଫୋରଣ ହୋଇଥିଲା। ଏଥିରେ ନବବିବାହିତ ସୌମ୍ୟଶେଖରଙ୍କ ସମେତ ତାଙ୍କ ଜେଜେମା ଜେମାମଣିଙ୍କର ମୃତ୍ୟୁ ଘଟିଥିଲା। ନବବଧୂ ରିମାରାଣୀ ଗୁରୁତର ଭାବେ ପ୍ରଥମେ ରାଉରକେଲା ଆଇଜିଏଚ୍ ଏବଂ ଏବେ କଟକ ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସିତ ହେଉଛନ୍ତି।

ସ୍ୱାମୀ ସୌମ୍ୟଶେଖରଙ୍କ ମୃତ୍ୟୁକୁ ୨୫ ଦିନ ବିତିଥିଲେ ମଧ୍ୟ ରିମା ଜାଣି ନଥିଲେ। ପରିବାର ଲୋକ ତାଙ୍କୁ ଏକଥା ଲୁଚାଇ ରଖିଥିଲେ। ହେଲେ ସୋମବାର ସକାଳେ ମେଡ଼ିକାଲରେ ବେଡରେ ବସି ଜଳଖିଆ ଖାଇବା ବେଳେ ପୁରୁଣା ଖବର କାଗଜରୁ ରିମା ସୌମ୍ୟଶେଖରଙ୍କ ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ। ଏହି ଦୁଃଖଦ ଘଟଣାରେ ସେ ଭାଙ୍ଗି ପଡ଼ିଥିଲେ।

ବୁଧବାର ଗଣମାଧ୍ୟମ ପ୍ରତିନିଧି ରିମାଙ୍କ ମତାମତ ଜାଣିବାକୁ ଚାହିଁଥିଲେ। ରିମା ବିସ୍ଫୋରଣ ଘଟଣାର ତଦନ୍ତ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ରିମା କହିଛନ୍ତି, “ମୋ ଜୀବନରେ ଯାହା ଘଟିଲା ତାହା ଅନ୍ୟ କାହା ଜୀବନରେ ନଘଟୁ। ପ୍ରେମ ବ୍ୟାପାର ନୁହେଁ, ପ୍ରତିଶୋଧ ନେବା ପାଇଁ କେହି ଏଭଳି କାଣ୍ଡ ଘଟାଇଛି। କିଏ ଏବଂ କାହିଁକି ପାର୍ସଲ ବୋମା ପଠାଇଥିଲା ତାହା ତଦନ୍ତ କରାଯାଉ।”

ମଙ୍ଗଳବାର ସନ୍ଧ୍ୟାରେ ମୃତ ସୌମ୍ୟଶେଖରଙ୍କ ମାଆ ଏବଂ ରିମାଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ବିସ୍ଫୋରଣ ଘଟଣାର ତଦନ୍ତ କରି ଆସାମୀକୁ ଦଣ୍ଡ ଦେବା ପାଇଁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ ଆଶ୍ୱାସନା ଦେଇଥିଲେ।

Comment