ଓଡ଼ିଶାଲାଇଭ୍ ବ୍ୟୁରୋ
- ମାର୍ଚ୍ଚ ୩୧ରୁ ଓଡ଼ିଶାପୋଷ୍ଟ ମେଟେଲ୍ ମିଟର ତୃତୀୟ ସଂସ୍କରଣ
- ସିନିଅର ଏବଂ ଜୁନିଅର ବିଭାଗରେ ହେବ କୁଇଜ୍ ପ୍ରତିଯୋଗିତା
- ପ୍ରତିଯୋଗୀଙ୍କ ମଧ୍ୟରେ ଚାଲିବ ଘମାଘୋଟ ଲଢ଼େଇ
- ପ୍ରିଲିମ୍ସରେ ଭାଗ ନେବେ ୬୮ଟି ଟିମ୍
ଓଡ଼ିଶାରୁ ପ୍ରକାଶ ପାଉଥିବା ଦୈନିକ ଇଂରାଜୀ ଖବର କାଗଜ ଓଡ଼ିଶାପୋଷ୍ଟ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି କୁଇଜ୍ ମହାକୁମ୍ଭ ମେଟେଲ ମିଟ୍। ୨୦୧୮ ମାର୍ଚ୍ଚ ୩୧ରେ ତୃତୀୟ ଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି। ଚଳିତବର୍ଷ ଉଭୟ ଜୁନିଅର ଏବଂ ସିନିଅର ବିଭାଗରେ ୬୮ରୁ ଅଧିକ ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପଞ୍ଜିକରଣ କରିଛନ୍ତି।
ମାର୍ଚ୍ଚ ୩୧ରେ ହେବାକୁ ଥିବା ପ୍ରିଲିମ୍ସ ପ୍ରତିଯୋଗିତାରେ ଉଭୟ ଜୁନିଅର ଏବଂ ସିନିଅର୍ ବିଭାଗରେ ୬୮ଟି ଟିମ୍ ଭାଗ ନେବେ। ସେଥିମଧ୍ୟରୁ ଜୁନିଅର ବିଭାଗରୁ ୮ ଏବଂ ସିନିଅର ବିଭାଗରୁ ୮ଟି ଟିମ୍ ଗ୍ରାଣ୍ଡ ଫିନାଲକୁ ଯିବେ। ଗ୍ରାଣ୍ଡ ଫିନାଲରେ ପ୍ରତିଯୋଗୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢ଼େଇ। ଗ୍ରାଣ୍ଡ ଫିନାଲରେ ଜୁନିଅର ବିଭାଗରୁ ଶ୍ରେଷ୍ଠ ୩ ଏବଂ ସିନିଅର ବିଭାଗରୁ ଶ୍ରେଷ୍ଠ ୩ଟି ଟିମ୍କୁ ବଛାଯିବ। ଉଭୟ ସିନିଅର୍ ଏବଂ ଜୁନିଅର୍ ବିଭାଗରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍କୁ ଏପ୍ରିଲ ୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ।

ପ୍ରଥମ ସ୍ଥାନ ଅଧିକାର କରିଥିବା ଟିମ୍କୁ ଟ୍ରଫି ସହ ୧ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ଦିଆଯିବ। ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଟିମ୍କୁ ଟ୍ରଫି ଏବଂ ୫୦ ହଜାର ଟଙ୍କା, ତୃତୀୟ ସ୍ଥାନ ଅଧିକାର କରିଥିବା ଟିମ୍କୁ ଟ୍ରଫି ଏବଂ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବ।
ଓଡ଼ିଶାରେ କୁଇଜ୍ ପ୍ରତିଯୋଗିତାକୁ ଉଜ୍ଜୀବିତ କରି ରଖିବା ପାଇଁ ଓଡ଼ିଶାପୋଷ୍ଟ ପକ୍ଷରୁ ୨୦୧୬ରୁ ମେଟେଲ ମିଟ୍ ଆରମ୍ଭ କରାଯାଇଛି। ୨୦୧୭ରେ ମେଟେଲ୍ ମିଟ୍ର ଦ୍ୱିତୀୟ ସଂସ୍କରଣ ଆୟୋଜନ କରାଯାଇଥିବା ବେଳେ ୨୦୧୮ ମାର୍ଚ୍ଚ ୩୧ରେ ତୃତୀୟ ସଂସ୍କରଣ ଆରମ୍ଭ ହେବ। ଏହି କୁଇଜ୍ ପ୍ରତିଯୋଗିତାକୁ ଜାତୀୟସ୍ତରର ପ୍ରତିଯୋଗିତା କରିବା ପାଇଁ ଆୟୋଜକମାନେ ପ୍ରୟାସ ଜାରି ରଖିଛନ୍ତି। ୨୦୧୬ ଏବଂ ୨୦୧୭ରେ ସଫଳତାର ସହ କୁଇଜ୍ ମହାକୁମ୍ଭ ଆୟୋଜନ କରାଯାଇଥିଲା। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ପ୍ରତିଯୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଜଣାଶୁଣା କୁଇଜ୍ ମାଷ୍ଟର ଭେଙ୍କେଟସ୍ ଶ୍ରୀନିବାସନ୍(ଭେଙ୍କି) ୨୦୧୬ ଏବଂ ୨୦୧୭ ମେଟେଲ ମିଟ୍ରେ ପ୍ରତିଯୋଗିତା ପରିଚାଳନା କରିଥିଲେ। ତୃତୀୟ ସଂସ୍କରଣରେ ମଧ୍ୟ ସେ ପ୍ରତିଯୋଗୀମାନଙ୍କୁ ଚାଲେଞ୍ଜ ଦେବେ।
“ଓଡ଼ିଶାରେ କୁଇଜ୍ ପରମ୍ପରାକୁ ଉଜ୍ଜୀବୀତ କରି ରଖିବା ପାଇଁ ‘ଓଡ଼ିଶାପୋଷ୍ଟ’ ମେଟେଲ୍ ମିଟ୍ ମାଧ୍ୟମରେ ଉଦ୍ୟମ ଜାରି ରଖିଛି। ୨ ବର୍ଷ ଧରି ଏହି ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିବା ପରେ ଆମେ ତୃତୀୟ ଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛୁ। ଆଶା କରୁଛୁ ଆସନ୍ତା ବର୍ଷ ଏହା ଜାତୀୟ ସ୍ତରର ପ୍ରତିଯୋଗିତା ଭାବେ ପରିଚୟ ହାସଲ କରିବ”, ଓଡ଼ିଶାଲାଇଭ୍କୁ କହିଛନ୍ତି ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥି।
୬୮ଟି ଟିମ୍ରେ ଓଡ଼ିଶାର ବିଭିନ୍ନ ସ୍କୁଲ, କଲେଜ, ପ୍ରଫେସନାଲ ଶିକ୍ଷାନୁଷ୍ଠାନ ସମେତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ୍ ହେବେ।

“ଏହି ମେଗା କୁଇଜ୍ ପ୍ରତିଯୋଗିତାରେ ୬୮ଟି ଟିମ୍ ଭାଗ ନେବେ। ଏଥିପାଇଁ ସେମାନେ ପଞ୍ଜିକରଣ ମଧ୍ୟ କରିଛନ୍ତି। ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଟିମ୍ ସଂଖ୍ୟା ବୃଦ୍ଧି ପାଇଥିବାରୁ ଓଡ଼ିଶାର ଛାତ୍ରଛାତ୍ରୀମାନେ କୁଇଜ୍ ପ୍ରତିଯୋଗିତାକୁ ଚାଲେଞ୍ଜ ଭାବେ ଗ୍ରହଣ କରିଥିବା ସ୍ପଷ୍ଟ ହୋଇଛି। କୁଇଜ୍ ପ୍ରତିଯୋଗିତାରେ ଭାଗନେଇ ନିଜ ଦକ୍ଷତା ପ୍ରତିପାଦନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶାପୋଷ୍ଟ ମେଟେଲ୍ ମିଟ୍ ଏକ ପ୍ଲାଟଫର୍ମ ଦେଇଛି”, କହିଛନ୍ତି ଓଡ଼ିଶାପୋଷ୍ଟ ସିଇଓ ଆଦ୍ୟାଶା ଶତପଥୀ।
କୁଇଜ୍ ମାଷ୍ଟର ଭେଙ୍କେଟସ୍ ଶ୍ରୀନିବାସନ୍ କହିଛନ୍ତି, “ଓଡ଼ିଶାପୋଷ୍ଟ ପକ୍ଷରୁ ଆୟୋଜିତ ମେଟେଲ ମିଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜକୁ ନେଇ ଏକ ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ସୃଷ୍ଟି କରିଛି। ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରି ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଏଭଳି ପ୍ରତିଯୋଗିତା ମାଧ୍ୟମରେ ଓଡ଼ିଶାରୁ ଟାଲେଣ୍ଟମାନଙ୍କୁ ବଛା ଯାଉଥିବାରୁ ଏହା ବହୁତ ଖୁସିର କଥା। ପ୍ରତିଯୋଗିତା ଚାଲିଥିବା ବେଳେ ପ୍ରତିଯୋଗୀମାନେ ବିଭିନ୍ନ ପ୍ରଶ୍ନର ମଜାଦାର ଉତ୍ତର ଦେଉଥିବାରୁ ଦର୍ଶକମାନଙ୍କୁ ଏହା ଆକର୍ଷିତ କରିଥାଏ। ଏବଂ ବାତାବରଣକୁ ଆହୁରି ସର୍ଗରମ୍ କରିଥାଏ।”
“କୁଇଜ୍ ଭିତ୍ତିକ କାର୍ଯ୍ୟକ୍ରମ ଓଡ଼ିଶାପୋଷ୍ଟ ମେଟେଲ ମିଟ୍ରେ ଗତ ଦୁଇବର୍ଷ ହେଲା ଓଡ଼ିଶାଲାଇଭ୍ ଡିଜିଟାଲ ପାର୍ଟନର୍ ରହି ଆସିଛି। ଏହି ସମ୍ମାନଜନକ ପ୍ରତିଯୋଗିତାକୁ ବିଶ୍ୱବ୍ୟାପି ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ୱେବ୍ ଏବଂ ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଓଡ଼ିଶାଲାଇଭ୍ ପ୍ରୟାସ କରି ଆସୁଛି। ବିଶ୍ୱବ୍ୟାପି ଦର୍ଶକମାନେ ଏହି ଜ୍ଞାନଭିତ୍ତିକ ପ୍ରତିଯୋଗିତାକୁ ସୋସିଆଲ ମିଡିଆ ଫେସ୍ବୁକ୍ ଏବଂ ୟୁଟ୍ୟୁବ୍ ଜରିଆରେ ଦେଖିବାର ସୁଯୋଗ ପାଉଛନ୍ତି”, କହିଛନ୍ତି ଓଡ଼ିଶାଲାଇଭ୍ ସିଇଓ ନୀଳାମ୍ବର ରଥ।

୨୦୧୬ରେ ପ୍ରଥମ ଥର ପାଇଁ ଶୁଭାରମ୍ଭ ହୋଇଥିଲା ଓଡ଼ିଶାପୋଷ୍ଟ ମେଟେଲ୍ ମିଟ୍। ପ୍ରଥମ ବର୍ଷ ୧୮ଟି ଟିମ୍ କୁଇଜ୍ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି) ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଏବଂ ରେଭେନ୍ସା ଜୁନିଅର କଲେଜ ତୃତୀୟ ସ୍ଥାନ ଅଧିକାର କରିଥିଲା।
୨୦୧୭ ପ୍ରତିଯୋଗିତାରେ ଜୁନିଅର ବିଭାଗରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରେଭେନ୍ସା ଜୁନିଅର କଲେଜ ଦ୍ୱିତୀୟ ଏବଂ ସେଣ୍ଟ ଯୋଶେଫ୍ ହାଇସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲା। ସେହିପରି ସିନିଅର ବିଭାଗରେ ଏନ୍ଆଇଟି-ରାଉରକେଲା ପ୍ରଥମ, ଏମ୍ସ-ଭୁବନେଶ୍ୱର ଦ୍ୱିତୀୟ ଏବଂ କିଟ୍ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଥିଲା।
ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ଛାତ୍ର ପ୍ରଣବ ମାଣିଆ, ତନ୍ମୟ ପାଣିଗ୍ରାହୀ, ସମୀର କୁମାର ପାତ୍ର, ଆକାଶ କୁମାର ଦାସ ୨୦୧୭ ପ୍ରତିଯୋଗିତାର ସ୍ମୃତିକୁ ମନେ ପକାଇଛନ୍ତି। ସେମାନେ କହିଛନ୍ତି, “ପ୍ରତିଯୋଗିତା ଆରମ୍ଭରୁ ଆମେ ଖରାପ ପ୍ରଦର୍ଶନ କରି ଚାଲିଥିଲୁ। ଫଳରେ ନେଗେଟିଭ୍ ମାର୍କିଂ ଆମ ଗ୍ରୁପକୁ ମିଳିଥିଲା। ପରବର୍ତ୍ତୀ ରାଉଣ୍ଡରେ ଆମେ ଆମ ଷ୍ଟ୍ରାଟେଜିରେ ପରିବର୍ତ୍ତନ କଲୁ ଏବଂ ପ୍ରତିଯୋଗିତାରେ ପ୍ରଥମ ହୋଇଥିଲୁ।”
ନବରତ୍ନ କମ୍ପାନି ‘ନାଲ୍କୋ’, କମ୍ପ୍ୟୁଟର ସଲ୍ୟୁସନ କମ୍ପାନି ‘ଆସର୍’, ଆଉଟଡୋର ମିଡିଆ କମ୍ପାନି ‘ଟିମ୍’, ବିଜ୍ଞାପନ ଏଜେନ୍ସୀ ‘ଏକ୍ସପୋଜ୍’ ଏବଂ ଡିଜିଟାଲ ମିଡିଆ କମ୍ପାନି ‘ଓଡ଼ିଶାଲାଇଭ୍’ ମେଟେଲ୍ ମିଟ୍ କାର୍ଯ୍ୟକ୍ରମର ପାର୍ଟନର୍ ରହିଛନ୍ତି।


















