ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିସିସି ସଭାପତି ପରିବର୍ତ୍ତନ ସପକ୍ଷରେ ଯେଉଁମାନେ ଯୁକ୍ତି କରୁଥିଲେ ସେମାନେ ଶେଷ କଥାଟି ଶୁଣିବାକୁ ପାଇଲେ ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଏଆଇସିସି ମହା ଅଧିବେଶନରେ। ପ୍ରସାଦ ବିରୋଧୀଙ୍କ କୌଣସି କୌଶଳ କାମ ଦେଲା ନାହିଁ ଏବଂ ପ୍ରସାଦ ହିଁ ସଭାପତି ରହିବେ ବୋଲି ହାଇକମାଣ୍ଡ ରୋକଠୋକ ଶୁଣାଇଦେଇଛନ୍ତି।

ଓଡ଼ିଶାରେ କଂଗ୍ରେସ ଦଳର ସ୍ଥିତାବସ୍ଥା ବଜାୟ ରହିବ ଓ ପିସିସି ସଭାପତି ବଦଳିବେନି ଏମିତି ଏକ ଖବର ଏବେ ଆସୁଛି। ପିସିସି ସଭାପତି ପରିବର୍ତ୍ତନ ପାଇଁ ଲଗାତାର ଦାବି ଓ ଚାପ ସତ୍ତ୍ୱେ ହାଇକମାଣ୍ଡ ଏହାକୁ ଗ୍ରହଣ କରି ନଥିବାରୁ ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ହିଁ ଲଢ଼ାଯିବ ଏହା ସ୍ପଷ୍ଟ ହୋଇଛି।

ପିସିସି ସଭାପତି ପରିବର୍ତ୍ତନ ସପକ୍ଷରେ ଯେଉଁମାନେ ଯୁକ୍ତି କରୁଥିଲେ ସେମାନେ ଶେଷ କଥାଟି ଶୁଣିବାକୁ ପାଇଲେ ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଏଆଇସିସି ମହା ଅଧିବେଶନରେ। ପ୍ରସାଦ ବିରୋଧୀଙ୍କ କୌଣସି କୌଶଳ କାମ ଦେଲା ନାହିଁ ଏବଂ ପ୍ରସାଦ ହିଁ ସଭାପତି ରହିବେ ବୋଲି ହାଇକମାଣ୍ଡ ରୋକଠୋକ ଶୁଣାଇଦେବା ପରେ ଅସନ୍ତୁଷ୍ଟ ଗୋଷ୍ଠୀ ବାଧ୍ୟ ହୋଇ କାନମୁଣ୍ଡ ଆଉଁସି ଦିଲ୍ଲୀରୁ ଫେରିଛନ୍ତି।

ପ୍ରସାଦଙ୍କୁ ଯେଉଁମାନେ ସମର୍ଥନ କରୁଛନ୍ତି ସେମାନଙ୍କର ଯୁକ୍ତି ହେଉଛି ଯେ ପିସିସି ପୁନର୍ଗଠନ ପାଇଁ କେନ୍ଦ୍ର ନେତୃତ୍ୱର ନିର୍ଦ୍ଦେଶରେ ଯେଉଁଭଳି ପ୍ରକ୍ରିୟା ଆରମ୍ଭ ହେବା କଥା ତାହା ଆରମ୍ଭ ହୋଇଛି। ତାଛଡ଼ା କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମେ କିମ୍ବା ଜୁନ୍ ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପିସିସି ପୁନର୍ଗଠନ କାମଟି ଶେଷ ହେବ। ହରିଚନ୍ଦନ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ୟମ କରୁଛନ୍ତି ଓ ବିଭିନ୍ନ ରାଜ୍ୟସ୍ତରୀୟ ନେତାଙ୍କ ସହ ଏ ନେଇ କଥାବାର୍ତ୍ତା ମଧ୍ୟ କରିଛନ୍ତି।

ଶୁଣିବାକୁ ମିଳୁଛି ୨୦୧୯ ନିର୍ବାଚନ ପାଇଁ ପ୍ରସାଦଙ୍କ ନେତୃତ୍ୱରେ ଏକ ଛୋଟ ଟିମ୍ ଗଠନ କରାଯିବ। ସଭାପତିଙ୍କ ବ୍ୟତୀତ ଏହି ଟିମରେ ୫ ଜଣ ଉପସଭାପତି,୧୦ ଜଣ ସାଧାରଣ ସମ୍ପାଦକ ଓ ୨୦ ଜଣ ସମ୍ପାଦକ ରହିବେ। ଆହୁରି ମଧ୍ୟ ଆଞ୍ଚଳିକ ସ୍ତରରେ ବିଭିନ୍ନ ସ୍ଥାନରେ ଆଞ୍ଚଳିକ କୋର୍ଡିନେଟର ରହିବେ। ତେବେ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ପ୍ରସାଦଙ୍କ ଟିମ୍ ଛୋଟ ହେଉ କି ବଡ଼ ହେଉ ଦଳ ଭିତରେ ଯେଉଁ ଅସନ୍ତୋଷ ଲାଗି ରହିଛି ତାହା ଦୂର ହେବାର ସମ୍ଭାବନା ନାହିଁ।

୨୦୧୭ ପଞ୍ଚାୟତ ନିର୍ବାଚନ ପରଠାରୁ କଂଗ୍ରେସ ଭିତରେ ଏକ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି ଓ ଏହି ଫାଟ ବନ୍ଦ ହେବାର ନାଁ ନେଉନାହିଁ ତାହାହିଁ ସବୁଠାରୁ ବଡ଼ ସମସ୍ୟା। ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଖସି ଆସିବା ପରେ ଓ ନିକଟରେ ବିଜେପୁରରେ ଦଳର ପ୍ରାର୍ଥୀ ପ୍ରଣୟ ସାହୁ ହାରିବା ପରେ ପ୍ରସାଦଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ ଦାବି ଜୋରଦାର ହୋଇଛି।

ଦିନକୁ ଦିନ ଓଡ଼ିଶାରେ ଦଳର ସ୍ଥିତି ଖରାପ ହୋଇ ଚାଲିଥିବା ବେଳେ ହାଇକମାଣ୍ଡ କୌଣସି କଥା ଶୁଣୁନାହାନ୍ତି ବୋଲି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା କହୁଛନ୍ତି। ଅଥଚ ରାହୁଲ ଗାନ୍ଧି କୌଣସି ପ୍ରକାର ପରିବର୍ତ୍ତନ ଆଣିବାକୁ ଇଛା ପ୍ରକାଶ କରୁନାହାନ୍ତି।

ଏହି ସ୍ଥିତିରେ ଦଳର କିଛି ନେତା ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ ହେବା ପାଇଁ ମସୁଧା ଚଳାଇଛନ୍ତି। ଗତ କିଛିଦିନ ମଧ୍ୟରେ କେଇ ଜଣ କଂଗ୍ରେସ ନେତା ବିଜଦରେ ସାମିଲ ମଧ୍ୟ ହୋଇ ସାରିଲେଣି। ଯଦି ପ୍ରସାଦ ହରିଚନ୍ଦନ ହିଁ ସଭାପତି ରହନ୍ତି ୨୦୧୯ ନିର୍ବାଚନରେ ଦଳର ଅଧିକ ବିପର୍ଯ୍ୟୟ ହେବ ଏହା ଅସନ୍ତୁଷ୍ଟମାନେ ଖୋଲା ଖୋଲି କହୁଛନ୍ତି।

Comment