ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ କି ନାହିଁ ? ଏହି ପ୍ରଶ୍ନ ଉପରୁ ଏବେ ପରଦା ହଟିଛି। ରତ୍ନଭଣ୍ଡାରକୁ ନେଇ ରହିଥିବା ସବ୍‌ କମିଟି ବୈଠକ ପରେ ସ୍ପଷ୍ଟ ହୋଇଛି ଯେ ଭଣ୍ଡାର ଘର ଖୋଲାଯିବ। କେବଳ ସ୍ଥିତି ଯାଞ୍ଚ ହେବ, କିନ୍ତୁ କେତେ ଗହଣା ରହିଛି ତାହା ଆକଳନ କରାଯିବ ନାହିଁ।

ବର୍ଷ ବର୍ଷ ଧରି ରହସ୍ୟଘେରରେ ରହିଛି ଶ୍ରୀମନ୍ଦିରର ରତ୍ନଭଣ୍ଡାର। ଏହି ରତ୍ନଭଣ୍ଡାର ଭିତରେ ମହଣ ମହଣ ସୁନା, ରୂପା, ମୋତି, ମାଣିକ୍ୟ ଆଦି ରହିଥିବା କୁହାଯାଉଛି। ହେଲେ ଏବେ ଏହି ଭଣ୍ଡାର ଘର କେଉଁ ସ୍ଥିତିରେ ରହିଛି ତାହା ଜାଣିବା ପାଇଁ ଏବେ ଏଏସ୍‌ଆଇ ତତ୍ପରତା ଦେଖାଇଥିବା ବେଳେ ବିରୋଧ ହେଉଥିବାରୁ ରତ୍ନଭଣ୍ଡାର ପୁଣି ରହସ୍ୟ ହୋଇ ରହିଯିବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଏଏସ୍‌ଆଇ ଅଧିକାରୀ ଏବଂ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟ ରତ୍ନଭଣ୍ଡାରର ବାହାର ପଟୁ ଯାଞ୍ଚ କରିଛନ୍ତି। ହେଲେ ଭଣ୍ଡାର ଘରର ସ୍ଥିତି ଠିକ୍‌ ଭାବେ ଜଣାପଡ଼ି ନାହିଁ। ଭଣ୍ଡାର ଘରର ସ୍ଥିତି ଜାଣିବା ପାଇଁ ହେଲେ ଭିତର ପଟୁ ଯାଞ୍ଚ ନିହାତି ଆବଶ୍ୟକ ବୋଲି ବିଶେଷଜ୍ଞ ଦଳ କହିଛନ୍ତି। ତେବେ ଭିତରପଟୁ ଯାଞ୍ଚ ହେବ କି ନାହିଁ ସେନେଇ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।

ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଏଏସ୍‌ଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା। ଏହାର ବିଚାର କରି ୨୬ ଓ ୨୭ ତାରିଖରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ ବିରୋଧ କରିଥିଲେ କିଛି ସେବାୟତ। ରତ୍ନଭଣ୍ଡାର ନଖୋଲିବା ପାଇଁ ଦାବି କରିଥିଲେ।  ବିରୋଧ ହେବାରୁ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କ ଅନୁମତି ଲୋଡ଼ିଛି। ତେବେ ସରକାର ଏନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

ସରକାରଙ୍କ ନିଷ୍ପତ୍ତି ଆସିବା ପରେ ଭିତରପଟୁ ଯାଞ୍ଚ ହେବ ବୋଲି ଏଏସ୍‌ଆଇ ଅଧିକାରୀ କହିଛନ୍ତି।

ଏଏସ୍‌ଆଇ ଯୁଗ୍ମ ନିର୍ଦ୍ଦେଶକ ଏସ୍‌ ବି ହୋତା କହିଛନ୍ତି, “ରତ୍ନଭଣ୍ଡାରର ବାହାର ପଟ ଠିକ୍ ରହିଛି। ତିନି ପାର୍ଶ୍ବର କାନ୍ଥ ଏବଂ ଛାତ ଠିକ୍ ରହିଛି। ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଲେ ଆସନ୍ତା କାଲି ଭିତର ପଟୁ ଯାଞ୍ଚ ହେବ।”

ରତ୍ନଭଣ୍ଡାର ଖୋଲାଯିବ କି ନାହିଁ ସେନେଇ ସୋମବାର ବସିଥିଲା ସବ୍‌ କମିଟି ବୈଠକ। ଏଥିରେ ଉପସ୍ଥିତ ରହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଉପ-ମୁଖ୍ୟ ପ୍ରଶାସକ, ପୁରୀ ଏସ୍‌ପି, ଆଇନ୍ ବିଭାଗ ଅତିରିକ୍ତ ଶାସନ ସଚିବ, ଶ୍ରୀମନ୍ଦିର ପତ୍ନତତ୍ତ୍ୱ ଅଧିକ୍ଷକ ଓ ଦୁଇ ଜଣ ସଭ୍ୟ। ବୈଠକ ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର କହିଛନ୍ତି ଆଇନ୍‌ ବିଭାଗର ଅନୁମୋଦନ ମିଳିବା ପରେ ପଦକ୍ଷେପ ନିଆଯିବ।

“ରତ୍ନଭଣ୍ଡାର ଖୋଲାଯିବ କି ନାହିଁ ସେନେଇ ଆଇନ୍ ବିଭାଗର ଅନୁମୋଦନ ମଗାଯାଇଛି। ଆଇନ୍ ବିଭାଗର କୌଣସି ନିଷ୍ପତ୍ତି ଆସିନାହିଁ। ଏହାସହ ଛିତିଶା ନିଯୋଗ ସହ ମଧ୍ୟ ଆଲୋଚନା ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଯାଞ୍ଚ କରାଯିବ। କେତେ ଅଳଙ୍କାର ରହିଛି ତାହା ଆକଳନ କରାଯିବ ନାହିଁ”, କହିଛନ୍ତି ପ୍ରଦୀପ କୁମାର ଜେନା।

ରତ୍ନଭଣ୍ଡାର ନଖୋଲିବା ପାଇଁ ସେବାୟତମାନେ ଦାବି କରିଛନ୍ତି। ଇଚ୍ଛାମୃତ୍ୟୁ ଆବେଦନ କରି ଅନଶନ ଜାରି ରଖିଥିବା ନରସିଂହ ପୂଜାପଣ୍ଡାଙ୍କ ଅବସ୍ଥା ଗୁରୁତର ହୋଇଯାଇଛି। ଏସବୁକୁ ବିଚାର କରି ସବ୍‌ କମିଟି ବୈଠକରେ କ’ଣ ନିଷ୍ପତ୍ତି ହେଉଛି ତା’ ଉପରେ ରହିଛି ସମସ୍ତଙ୍କ ନଜର।

Comment