ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିମାନ ସେବା ଯୋଗାଇବା ନେଇ ଅସମ୍ଭବ ବିଳମ୍ବ ପରେ ଏୟାର ପୋର୍ଟ ଅଥରିଟି ଅଫ ଇଣ୍ଡିଆ ଓଡ଼ିଶାରେ ଶିଘ୍ର ଫ୍ଲାଇଟ ସେବା ଆରମ୍ଭ କରିବା ପାଇଁ ଦୁଇଟି କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ଦୁଇଟି କମ୍ପାନି ହେଲେ ଏୟାର ଡେକାନ ଓ ଏୟାର ଓଡ଼ିଶା।ଏଥି ପାଇଁ ଏକ ମାସ ସମୟ ଦିଆଯାଇଛି।

ଏହି ଦୁଇଟି ବିମାନ ସେବା ସଂସ୍ଥା ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ବିଡିଂରେ ଆଞ୍ଚଳିକ ବିମାନ ସଂଯୋଗ ସ୍କିମ ଅନୁସାରେ ଓଡ଼ିଶାରେ ଫ୍ଲାଇଟ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ସରକାରଙ୍କ ନୂଆ ଉଡାନ୍ (ଉଡ଼େ ଦେଶକା ଆମ ନାଗରିକ) ଯୋଜନାକୁ ଏଏଆଇ କାର୍ଯ୍ୟକାରୀ କରାଉଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ବିମାନସେବା ଆଦୌ ନଥିବା କିମ୍ବା କମ ଥିବା ସହରରେ ବିମାନ ସେବା ଯୋଗାଇବା।

ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ଟେଣ୍ଡରରେ ୭୦ଟି ଛୋଟ ଧରଣର ଏୟାରପୋର୍ଟରୁ ବିମାନ ଚଳାଇବା ପାଇଁ ୫ଟି ଏୟାର ଲାଇନକୁ କାର୍ଯ୍ୟନିର୍ଦ୍ଦେଶ ମିଳିଥିଲା। ମାର୍ଚ୍ଚ ମାସରୁ ଏମାନଙ୍କୁ ଅନୁମତି ପ୍ରଦାନ କରାଯାଇଥିଲେ ହେଁ ବିଭିନ୍ନ କାରଣ ଦର୍ଶାଇ କମ୍ପାନିମାନେ ସେବା ଆରମ୍ଭ କରୁନଥିବାର ଅଭିଯୋଗ ହୋଇଥିଲା।

ଏଏଆଇର ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର କହିଛନ୍ତି,”ଏହି ଯୋଜନା ଅନୁସାରେ ୧୯ଟି ଛୋଟ ଏୟାରପୋର୍ଟରୁ ସେବା ଆରମ୍ଭ ହୋଇ ସାରିଛି ଓ ଆହୁରି ଅନେକ ବିମାନ ବନ୍ଦରରେ ଏହି ସେବା ଆରମ୍ଭ ହେବ।”

Comment