ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର:  ବାଲେଶ୍ୱର ସହରର ମଧ୍ୟସ୍ଥଳ ଅଙ୍ଗାରଗଡ଼ିଆରେ ବେଆଇନ ଭାବେ ଜବରଦଖଲରେ ରହିଥିବା ପ୍ରାୟ ୨୦୦ କୋଟିର ସରକାରୀ ଜମିକୁ ମଙ୍ଗଳବାର ଦିନ ଜବରଦଖଲମୁକ୍ତ କରାଯାଇଛି। ପ୍ରାୟ ୪ ଏକରରୁ ଊର୍ଦ୍ଧ୍ବ ଏହି ଜମି ଉପରେ ଏବେ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରାଯିବା ସହିତ ସ୍ୱଳ୍ପ ଦାମରେ ସେଗୁଡ଼ିକୁ ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କୁ ଆବଂଟନ କରାଯିବ ବୋଲି ବାଲେଶ୍ୱର ସାଂସଦ ଇଂ ରବିନ୍ଦ୍ର କୁମାର ଜେନା କହିଛନ୍ତି।

ବେଆଇନ ଭାବେ ଏହି ଜମିକୁ କିଛି ବଡ଼ ବଡ଼ିଆ ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ ଓ ଉଚ୍ଚ ବର୍ଗର ଲୋକେ ଜବରଦଖଲ କରି ନେଇଥିଲେ। ରାତିଅଧିଆ ଏହି ଜମି ଉପରେ ପାଚେରୀ ନିର୍ମାଣ କରିଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହିତ ଘଟଣା ସମ୍ପର୍କରେ ବିଭିନ୍ନ ସ୍ଥାନରେ ଅଭିଯୋଗ କରି ନୟାନ୍ତ ହେବା ପରେ ଶେଷରେ ସାସଂଦଙ୍କୁ ଅବଗତ କରାଇଥିଲେ। ଘଟଣାର ଗୁରୁତ୍ୱ ଅନୁଶୀଳନ କରି ସାଂସଦ ଶ୍ରୀ ଜେନା ଅବିଳମ୍ବେ ପାଚେରି ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରଶାସନର ନିର୍ଦ୍ଦେଶ ମୁତାବକ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ସହିତ ପରବର୍ତ୍ତୀ ସମୟରେ ୧୪୪ ଧାରା ଲାଗୁ କରାଯାଇଥିଲା। ପରେ ନ୍ୟାୟାଳୟରେ ସରକାର ଓ ଜବରଦଖଲକାରୀଙ୍କ କସରତ ପରେ ଶେଷରେ ଜମି ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ମିଳିଥିଲା।

ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଉଚ୍ଛେଦ କାର୍ଯ୍ୟ ହୋଇଥିଲା। ଏଥିରେ ସଦର ତହସିଲଦାର ରଶ୍ମିରେଖା ପ୍ରଧାନ, ସୋର ଅତିରିକ୍ତ ତହସିଲଦାର ଶତ୍ରୁଘ୍ନ ସେଠୀ, ବସ୍ତାର ଅତିରିକ୍ତ ତହସିଲଦାର ସୁଶାନ୍ତ ପଟ୍ଟନାୟକ, ସଦରର ଅତିରିକ୍ତ ତହସିଲଦାର ରିଜୱାନ କବାବ୍ ପ୍ରମୁଖ ନେତୃତ୍ୱ ନେଇଥିଲେ। ସମ୍ଭାବ୍ୟ ଉତ୍ତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ୫ ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିଲା । ଡିଏସ୍‌ପି ପ୍ରଭାସ ପାଲଙ୍କ ସମେତ  ଶିଳ୍ପାଞ୍ଚଳ ଥାନାଧିକାରୀ ପରେଶ ଚନ୍ଦ୍ର ରାଉତ, ସହଦେବଖୁଣ୍ଟା ଥାନାଧିକାରୀ ଜୟନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ତିନୋଟି ଡୋଜର୍ ସହିତ ଟ୍ରାକ୍ଟର ଯୋଗେ ଏହି ଜବରଦଖଲ ଉଚ୍ଛେଦ କରାଯିବା ସହିତ ସଫେଇ କରାଯାଇଥିଲା ।

ଉଚ୍ଛେଦ ସମ୍ପର୍କରେ ସାଂସଦ କହିଛନ୍ତି, “ଉଚ୍ଛେଦ ପରେ ସରକାରୀ ପ୍ରକଳ୍ପ ପାଇଁ ଭଲ ସ୍ଥାନ ମିଳିଗଲା। ଏଠାରେ ବିଭିନ୍ନ ପ୍ରକଳ୍ପ କରିବା ପାଇଁ ସ୍ଥିର କରାଯାଇଛି। ପ୍ରଥମ ପ୍ରର୍ଯ୍ୟାୟରେ ଆମେ ଅର୍ଥନୈତିକ ଅନଗ୍ରସର ଲୋକଙ୍କ ପାଇଁ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରିବୁ। ମାସକୁ ତିନି ଶହ ଟଙ୍କା ଲେଖାଏଁ ସେମାନେ ୧୦ ବର୍ଷ ଭଡ଼ା ଦେବେ। ପରେ ସେହି ଘର ସେମାନଙ୍କର ନିଜସ୍ୱ ହୋଇଯିବ। ୧୨ ହଜାର ଲୋକଙ୍କୁ ଏଠାରେ ଥଇଥାନ କରାଯିବାର ବ୍ୟବସ୍ଥା କରାଯିବ।”

Comment