ଓଡ଼ିଶାଲାଇଭ୍‌ ବ୍ୟୁରୋ

ରହସ୍ୟମୟ ରତ୍ନଭଣ୍ଡାର ଉପରୁ ସସ୍‌ପେନ୍ସ ହଟିଛି। ଶ୍ରୀମନ୍ଦିରର ରତ୍ନଭଣ୍ଡାରକୁ କେଉଁମାନେ ଯିବେ ସେନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।

୫ ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟଙ୍କୁ ଜଣାଇଛି।

ଗୁରୁବାର ସନ୍ଧ୍ୟାରେ ବସିଥିବା ଛତିଶା ନିଯୋଗ ବୈଠକରେ କେଉଁମାନେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ଯିବେ ସେନେଇ ତାଲିକା କରାଯାଇଛି। ରତ୍ନଭଣ୍ଡାରକୁ ଯିବା ପାଇଁ ୧୦ ଜଣିଆ ଟିମ୍ ଗଠନ କରିଛି ପ୍ରଶାସନ।

କେଉଁମାନେ ଯିବେ?

-ଗଜପତି ମହାରାଜାଙ୍କ ପ୍ରତିନିଧି

-ଭଣ୍ଡାର ମେକାପ

-ପାଟ୍ଟଶୋଶୀ ମହାପାତ୍ର

-ତଡ଼ଉକରଣ

-ଦେଉଳକରଣ

-ଏଏସ୍‌ଆଇର ୨ ଅଧିକାରୀ

-୨ ଜଣ କୋର୍‌ କମିଟି ବିଶେଷଜ୍ଞ

-ହାଇକୋର୍ଟଙ୍କ ପକ୍ଷରୁ ଜଷ୍ଟିସ ଏନ୍‌ କେ ମହାନ୍ତି

ରତ୍ନଭଣ୍ଡାରକୁ ଯିବା ପୂର୍ବରୁ ସମସ୍ତ ସଦସ୍ୟଙ୍କୁ ତ୍ରିସ୍ତରୀୟ ଯାଞ୍ଚ୍‌ର ସମ୍ମୁଖିନ ହେବାକୁ ପଡ଼ିବ। ତାଛଡ଼ା ରତ୍ନଭଣ୍ଡାର ଯାଞ୍ଚର ଭିଡ଼ିଓଗ୍ରାଫି ହେବ କି ନାହିଁ ସେ ବିଷୟରେ ନିଷ୍ପତ୍ତି ହୋଇପାରିଲା ନାହିଁ।

କ’ଣ ପିନ୍ଧିବେ

ଏହି ୧୦ ଜଣ ସଦସ୍ୟ ଗାମୁଛା ପିନ୍ଧି ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଗାମୁଛା ଦିଆଯିବ। ଦେହରେ କୌଣସି ଅଳଙ୍କାର ଧାରଣ କରିବେ ନାହିଁ। କୌଣସି ଧାତବ ପଦାର୍ଥ ମଧ୍ୟ ସାଙ୍ଗରେ ନେବେ ନାହିଁ। ମୋବାଇଲ୍ କିମ୍ବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନେଇ ପାରିବେ ନାହିଁ।

ଯାଞ୍ଚ ଟିମ୍‌ କେବଳ ରତ୍ନଭଣ୍ଡାରର ଛାତ ଏବଂ କାନ୍ଥକୁ ଛୁଇଁ ପାରିବେ। ତାଛଡ଼ା ଅନ୍ୟ କୌଣସି ସାମଗ୍ରୀରେ ହାତ ମାରିବେ ନାହିଁ। ରତ୍ନଭଣ୍ଡାର ବହୁଦିନ ପରେ ଖୋଲାଯାଉଥିବାରୁ ସଦସ୍ୟଙ୍କ ପାଇଁ ଅକ୍ସିଜେନ୍ ବ୍ୟବସ୍ଥା କରାଯାଇଛି।

ନାଟମଣ୍ଡପ ମରାମତି ପୂର୍ବରୁ ରତ୍ନଭଣ୍ଡାରର ସ୍ଥିତି ଜାଣିବା ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ଚାହିଁଥିଲା। ରତ୍ନଭଣ୍ଡାର ଖୋଲିବା ପାଇଁ ଏଏସ୍‌ଆଇ କର୍ତ୍ତୃପକ୍ଷ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସତ୍ୟପାଠ ଆଧାରରେ ମାର୍ଚ୍ଚ ୨୬ ଏବଂ ୨୭ରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ହାଇକୋର୍ଟ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ।ହେଲେ ଏହାକୁ କିଛି ସେବାୟତ ବିରୋଧ କରିଥିଲେ। ଫଳରେ ଶ୍ରୀମନ୍ଦିର ପ୍ରଶାସନ ଅଡ଼ୁଆରେ ପଡ଼ିଥିଲେ।

ରତ୍ନଭଣ୍ଡାର ଖୋଲାଯିବ କି ନାହିଁ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଆଇନ ବିଭାଗର ଅନୁମତି ଲୋଡ଼ିଥିଲେ। ଆଇନ ବିଭାଗ ସବୁ ଦିଗକୁ ବିଚାର କରି ମଙ୍ଗଳବାର ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର ଖୋଲିବା ପାଇଁ ଚିଠି ଦେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଏସ୍‌ଆଇ ଅଧିକାରୀ ଏବଂ ଶ୍ରୀମନ୍ଦିର କୋର୍ କମିଟି ସଦସ୍ୟ ମାର୍ଚ୍ଚ ୨୬ରେ ରତ୍ନଭଣ୍ଡାର ବାହାର ପଟ ଯାଞ୍ଚ କରିଛନ୍ତି। ବାହାର ପଟ କାନ୍ଥ ଏବଂ ଛାତ ଠିକ୍ ଥିବା ଏଏସ୍‌ଆଇ ଅଧିକାରୀ କହିଛନ୍ତି। ତେବେ ୨୬ ତାରିଖରେ ରତ୍ନଭଣ୍ଡାରକୁ ନେଇ ରହିଥିବା ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଥିଲେ ଯେ ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ ହେବ। କିନ୍ତୁ କେତେ ପରିମାଣର ଗହଣା ଅଛି ତାହା ଆକଳନ କରାଯିବ ନାହିଁ।

ରତ୍ନଭଣ୍ଡାରରେ କ’ଣ ଅଛି?

କୁହାଯାଉଛି ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ରହିଛି ମହଣ ମହଣ ସୁନା, ରୂପା, ମୋତି ଓ ମାଣିକ୍ୟ। ସେଥିମଧ୍ୟରୁ ଅଳ୍ପ କିଛି ଶ୍ରୀଜିଉଙ୍କ ସୁନାବେଶ ବେଳେ ଦେଖିବାକୁ ମିଳିଥାଏ। ମଦଳା ପାଞ୍ଜିର ତଥ୍ୟ ଅନୁଯାୟୀ, ୧୪୬୪ ଖ୍ରୀଷ୍ଟାବ୍ଦରେ ଗଜପତି ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନରେ ଯାଇଥିଲେ। ଯୁଦ୍ଧରେ କାଞ୍ଚି ରାଜାଙ୍କୁ ପରାସ୍ତ କରି ୧୬ଟି ହାତୀରେ ବିଭିନ୍ନ ଅଳଙ୍କାର ଶ୍ରୀକ୍ଷେତ୍ରକୁ ଆଣିଥିଲେ। ଏହି ଅଳଙ୍କାର ସବୁ ସେତେବେଳେ ସେ ଭଣ୍ଡାର ଘରେ ରଖିଥିଲେ।

ରତ୍ନଭଣ୍ଡାରରେ ବହୁ କୋଠରୀ ରହିଛି। ବର୍ତ୍ତମାନସୁଦ୍ଧା ମାତ୍ର ୩ଟି କୋଠରୀ ଖୋଲାଯାଇଛି। ପ୍ରଥମ କୋଠରୀରେ ଠାକୁରଙ୍କ ଦୈନନ୍ଦିନ ବ୍ୟବହାର କରାଯାଉଥିବା ଅଳଙ୍କାର ରହିଛି। ଦ୍ୱିତୀୟ କୋଠରୀରେ କିଛି ଅବ୍ୟବହୃତ ଅଳଙ୍କାର ରହିଥିବା ବେଳେ ତୃତୀୟ କୋଠରୀରେ ରହିଛି ଶ୍ରୀଜିଉଙ୍କ ରଘୁନାଥ ବେଶ ପାଇଁ ବ୍ୟବହୃତ ହେଉଥିବା ଅଳଙ୍କାର। ୧୯୭୮ରେ ଭଣ୍ଡାରର ୩ଟି କୋଠରୀ ଖୋଲାଯାଇ ଏହି ତାଲିକା ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଭୟଙ୍କର ଗର୍ଜନ ହେବାରୁ ଆଉ ଅଧିକ କୋଠରୀ ଖୋଲାଯାଇ ପାରି ନଥିଲା। ଏବେ ପୁଣିଥରେ ରତ୍ନଭଣ୍ଡାର ଖୋଲିବା ପାଇଁ ଉଦ୍ୟମ କରୁଛି ମନ୍ଦିର ପ୍ରଶାସନ।

୨୦୧୪ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ୱର୍ଣ୍ଣ ଅଳଙ୍କାରର ଗଣତି ଏବଂ ଚିହ୍ନଟ ପାଇଁ ପ୍ରସ୍ତାବ ଆସିଥିଲା। ହେଲେ ସେବାୟତ ସେତେବେଳେ ବିରୋଧ କରିଥିଲେ।

Comment