ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୪ରେ ବିଜେଡିରେ ମିଶିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ଏନେଇ ଶ୍ରୀ ସାହୁ ଆଜି ସ୍ପଷ୍ଟ କରିଛନ୍ତି। ତାଙ୍କ ସହ କଂଗ୍ରେସ ଛାଡ଼ିଥିବା ଭଗବାନ ଗନ୍ତାୟତ ଏବଂ ବିକ୍ରମ ପଣ୍ଡା ମଧ୍ୟ ବିଜେଡିରେ ଯୋଗଦେବେ।
କଂଗ୍ରେସ ଛାଡ଼ିଥିବା ୧୧ ଜଣ କର୍ପୋରେଟର ମଧ୍ୟ ସେହିଦିନ ବିଜେଡିରେ ଯୋଗଦେବେ।
ବିଜେଡି ସଭାପତି ନବୀନ ପଟ୍ଟନାୟକ ଏପ୍ରିଲ ୪ରେ ବ୍ରହ୍ମପୁର ଗସ୍ତରେ ଯାଉଛନ୍ତି। ସେହିଦିନ ବ୍ରହ୍ମପୁରଠାରେ ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଉଛି। ଏହି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଚନ୍ଦ୍ରଶେଖର ଶଙ୍ଖ ଧରିବେ।
ଚନ୍ଦ୍ରଶେଖର ସାହୁ କହିଛନ୍ତି, “ଏପ୍ରିଲ ୪ରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି। ବ୍ରହ୍ମପୁର ଷ୍ଟାଡିୟମଠାରେ ଏକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଏହି ଅବସରରେ ଆମେ ବିଜେଡିରେ ସାମିଲ୍ ହେବୁ।”
ଚନ୍ଦ୍ରଶେଖର ସାହୁ ଦୀର୍ଘଦିନ ଧରି କଂଗ୍ରେସରେ ରହିଥିଲେ। ୨୦୦୪ରେ ସେ କଂଗ୍ରେସ ଟିକେଟରେ ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ହୋଇଥିଲେ। ହେଲେ ୨୦୦୯ରେ ସେ ବିଜେଡି ପ୍ରାର୍ଥୀ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କଠାରୁ ପରାଜିତ ହୋଇଥିଲେ। ୨୦୦୯ରୁ କଂଗ୍ରେସ ତାଙ୍କୁ ଅଣଦେଖା କରିଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଜ୍ଞତାକୁ ଦଳ ବ୍ୟବହାର କଲା ନାହିଁ ବୋଲି ଚନ୍ଦ୍ରଶେଖର କହିଛନ୍ତି।


















