ଓଡ଼ିଶାଲାଇଭ ପ୍ରମୁଖ ପ୍ରତିନିଧି
ଖୋଲିଛି ରତ୍ନଭଣ୍ଡାରର ସବୁଠୁ ବଡ଼ ରହସ୍ୟ। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କି କି ରତ୍ନ ରହିଛି? ସେହିସବୁ ରତ୍ନ ଅଳଙ୍କାରର ଓଜନ ଓ ପରିମାଣ କେତେ? ମହାପ୍ରଭୁଙ୍କ ରହସ୍ୟମୟ ରତ୍ନଭଣ୍ଡାର ଏହିସବୁ ରତ୍ନର କିଛି ତାଲିକା ରହିଛି କି? ଏହିସବୁ ପ୍ରଶ୍ନର ଉତ୍ତର ଦେଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତିକାର କପି ରହିଛି ଓଡ଼ିଶାଲାଇଭ୍ ପାଖରେ।
୧୯୭୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରକାଶିତ ଏକ ପୁସ୍ତିକାରେ ରତ୍ନଭଣ୍ଡାରରେ ଥିବା ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ସମ୍ପର୍କରେ ବିସ୍ତୃତ ତାଲିକା ରହିଛି। ସେହିବର୍ଷ ମେ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା ରତ୍ନଭଣ୍ଡାର ଅନୁଧ୍ୟାନ ଫଳରେ ଏହି ତାଲିକା ସମ୍ଭବ ହୋଇପାରିଥିଲା।
ଏହି ପୁସ୍ତିକାରେ ଛପା ଯାଇଛି ଯେ –
“ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସୁନା, ରୂପା ଓ ମଣିମୁକ୍ତା ଖଚିତ ଅଳଙ୍କାର ଆଦିର ଏକ ତାଲିକା ୧୯୨୬ ସାଲରେ ପ୍ରସ୍ତୁତ କରାଯାଇ ତତ୍କାଳୀନ ଗଜପତି ରାଜାସାହେବଙ୍କ ସ୍ୱୀକୃତି ପାଇ ପୁରୀ ଜିଲ୍ଲାପାଳଙ୍କ ଅଫିସ ରେକର୍ଡ ରୁମରେ ଜଉମୁଦ ଦିଆଯାଇ ରଖାଯାଇଥିଲା। ସେହି ସମୟରେ ରତ୍ନଭଣ୍ଡାରରୁ ଥିବା ଉପରୋକ୍ତ ସମ୍ପତ୍ତିର କୌଣସି ପୂର୍ଣ୍ଣାଙ୍ଗ ତାଲିକା ଏଯାବତ୍ କରାଯାଇନଥିଲା। ବର୍ତ୍ତମାନ ସରକାରଙ୍କ ଦ୍ୱାରା ଗଠିତ ଶ୍ରୀମନ୍ଦିର ପ୍ରଶାସନ ଉନ୍ନୟନ କମିଟିର ସୁପାରିଶକ୍ରମେ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ମନ୍ଦିର ପରିଚାଳନା କମିଟି ଦ୍ୱାରା ତା’ ୧୩-୦୫- ୭୮ ରିଖଠାରୁ ତା- ୨୩-୦୭- ୭୮ ରିଖ ମଧ୍ୟରେ ନିୟମାନୁଯାୟୀ ରତ୍ନଭଣ୍ଡାରରେ (ଭିତର ଓ ବାହାର) ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇ ଏଠାରେ ପ୍ରଦତ୍ତ ହେଲା।”
ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ୧୯୭୮ ମସିହାରେ ମୁଦ୍ରିତ ଏହି ପୁସ୍ତିକାରୁ ଏକ କଥା ସ୍ପଷ୍ଟ ହୋଇଯାଇଛି ଯେ ୧୯୨୬ ମସିହାରେ ତତ୍କାଳୀନ ଗଜପତିଙ୍କ ସ୍ୱୀକୃତିକ୍ରମେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଏକ ହିସାବ କରାଯାଇଥିଲା। ତେବେ ସେହି ହିସାବ ପୂର୍ଣ୍ଣାଙ୍ଗ ହୋଇପାରିନଥିଲା। ୧୯୭୮ ମସିହାରେ ରତ୍ନଭଣ୍ଡାର ଅନୁଧ୍ୟାନ ସମୟରେ ଟିକିନିଖି ଭାବେ ହିସାବ କରାଯାଇ ତା’ର ତାଲିକା ପ୍ରସ୍ତୁତ କରାଯାଇଥିଲା। ତେଣୁ ଏହି ପୁସ୍ତିକା ଏବଂ ସେଥିରେ ଥିବା ତାଲିକା ବା ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
୧୨୪ ପୃଷ୍ଠାର ଏହି ପୁସ୍ତିକାରେ ଗୋଟି ଗୋଟି କରି ସମସ୍ତ ରତ୍ନ ସମ୍ପର୍କରେ ବର୍ଣ୍ଣନା ରହିବା ସହ ଏହାର ପ୍ରକାର, ବିଶେଷ ବିବରଣୀ ଏବଂ ଓଜନ ମଧ୍ୟ ଉଲ୍ଲେଖ କରାଯାଇଛି। ତେବେ ଏହିସବୁ ବିରଳ ଏବଂ ବିଭିନ୍ନ ପ୍ରକାର ସୁନା, ରୁପା, ହୀରା ଆଦି ଅଳଙ୍କାରର ମୂଲ୍ୟ କେତେ ହେବ ସେ ସମ୍ପର୍କରେ କେବେ ଆକଳନ କରାଯାଇନାହିଁ। ପୂର୍ବରୁ ଅଳଙ୍କାରର ଓଜନ ପାଇଁ ବିଭିନ୍ନ ପ୍ରକାର ମାପ ରହିଥିଲେ ମଧ୍ୟ ୧୯୭୮ ମସିହାରେ ହୋଇଥିବା ଆକଳନ ସମୟରେ ଭରି ଓ ଅଣାକୁ ମାପ ହିସାବରେ ନିଆଯାଇଛି।
ଶ୍ରୀମନ୍ଦିରର ଗତ ୧୦୦ ବର୍ଷ ଇତିହାସରେ ରତ୍ନଭଣ୍ଡାରରେ ଥିବା ବିଭିନ୍ନ ପ୍ରକାର ମୂଲ୍ୟବାନ ରତ୍ନ ସମ୍ପର୍କରେ ୧୯୭୮ ମସିହାରେ ଆକଳନ ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପୂର୍ଣ୍ଣାଙ୍ଗ। ସେତେବେଳେ ଏହି ରହସ୍ୟମୟ କୁହାଯାଉଥିବା ଭିତର ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଆଦି ଗୋଟି ଗୋଟି କରି ଦେଖି ମାପଚୁପ କରି ପୁଣି ସଂରକ୍ଷିତ କରାଯାଇଥିବା ଏହି ରେକର୍ଡରୁ ଜଣାପଡ଼ିଛି। ଏହି ପୁସ୍ତିକାରେ ମୁଦ୍ରିତ ରିପୋର୍ଟରେ ଯେଉଁମାନଙ୍କର ସ୍ୱାକ୍ଷର ରହିଥିଲା ସେମାନେ ହେଲେ ଶ୍ରୀମନ୍ଦିର ପରିଚାଳକ ପ୍ରହ୍ଲାଦ ରଥ, ପୁରୀ ଅତିରିକ୍ତ ଏସ୍ପି ଶଚ୍ଚିକାନ୍ତ ତ୍ରିପାଠୀ, ଗଜପତିଙ୍କ ପ୍ରତିନିଧି ଆର୍ ବିଶ୍ୱାଳ, ପୁରୀ ଜିଲ୍ଲାପାଳଙ୍କ ପ୍ରତିନିଧି ଲକ୍ଷ୍ମୀକାନ୍ତ ମହାନ୍ତି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଭ୍ୟ ଭୀମସେନ ଗୋଚ୍ଛିକାର ଓ ନରସିଂହ ଦାସମହାପାତ୍ର।
ମଣତି ରେଜିଷ୍ଟରର ନମ୍ବର ୭୪୭
ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର (ଭିତର ଓ ବାହାର) ମଧ୍ୟରେ ଥିବା ସମସ୍ତ ରତ୍ନର ତାଲିକା କରାଯାଇଛି। ପ୍ରତିଟି ଅଳଙ୍କାର ପାଇଁ ମଣତି ରେଜିଷ୍ଟରରେ ଅଲଗା ଅଲଗା ନମ୍ବର ପଡ଼ିଛି। ଏହି କ୍ରମରେ ମଣତି ରେଜିଷ୍ଟରରେ ୧ରୁ ଆରମ୍ଭ କରି ୭୪୭ ପର୍ଯ୍ୟନ୍ତ ନମ୍ବର ଦିଆଯାଇଛି। ପ୍ରତିଟ ରତ୍ନ କି ପ୍ରକାରର, ତାହା କେଉଁ ଧାତୁରେ ତିଆରି ଏବଂ ତାହାର ଓଜନ କେତେ ତାହା ଏହି ତାଲିକାରୁ ସ୍ପଷ୍ଟ। ଏପରିକି କେଉଁ ଅଳଙ୍କାରରେ ଲାଖ ଦିଆଯାଇଛି, କେଉଁଟି ସୁନା ତାରରେ ଗୁନ୍ଥା ହୋଇଛି ଏପରିକି କେଉଁ ଅଳଙ୍କାର ସହ ସୂତା ଲାଗିକରି ଅଛି ତାହା ମଧ୍ୟ ଏ ରେକର୍ଡରେ ଉଲ୍ଲେଖ କରାଯାଇଛି। ଅନେକ ଅଳଙ୍କାର ସହ ମୂଲ୍ୟବାନ ପଥର ଥିଲେ ସେ ବିଷୟରେ ମଧ୍ୟ ଅଲଗା ଲେଖାଯାଇଛି।
ଶ୍ରୀମନ୍ଦିରର ରତ୍ନଭଣ୍ଡାରର ମୁଖ୍ୟତଃ ଦୁଇଟି ପର୍ଯ୍ୟାୟ ବା କୋଠରୀ ରହିଛି। ପ୍ରଥମ କୋଠରୀକୁ ବାହାର ରତ୍ନଭଣ୍ଡାର କୁହାଯାଏ। ସେଠାରେ ଥିବା ରତ୍ନ ଅଳଙ୍କାର ମୁଖ୍ୟତଃ ବର୍ଷର ବିଭିନ୍ନ ସମୟରେ ଶ୍ରୀଜୀଉମାନଙ୍କ ବେଶ ଆଦିରେ ବ୍ୟବହାର ହୁଏ। ତେବେ ଭିତର ରତ୍ନଭଣ୍ଡାରକୁ ନେଇ ଏ ପର୍ଯ୍ୟନ୍ତ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ତେବେ ସୂଚନା ଅନୁଯାୟୀ ସେଠାରେ ବିଭିନ୍ନ ରତ୍ନ ଅଳଙ୍କାରକୁ ସଜାଇ ସିନ୍ଧୁକରେ ରଖାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ୧୯୭୮ ମସିହାରେ ଦୀର୍ଘ ୭୦ ଦିନ ପରିଶ୍ରମ କରି ଯେଉଁ ବିସ୍ତୃତ ତାଲିକା ପ୍ରସ୍ତୁତ କରିଛନ୍ତି ସେଥିରେ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ତାଲିକା ଲିପିବଦ୍ଧ ହୋଇଛି।
ଶ୍ରୀଜୀଉଙ୍କ ସୁବର୍ଣ୍ଣ ଥାଳି
ଶ୍ରୀମନ୍ଦିରରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତି ଏବଂ ପାର୍ଶ୍ୱ ଦେବଦେବୀଙ୍କର ରହିଛି ନାନା ପ୍ରକାର ଅଳଙ୍କାର। ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ୪୦ ବର୍ଷ ତଳେ ପ୍ରକାଶିତ ପୁସ୍ତିକାରେ ଯେଉଁ କେତୋଟି କଥା ଉପରେ ନଜର ପଡ଼େ ତାହା ମଧ୍ୟରେ ରହିଛି ଶ୍ରୀଜୀଉଙ୍କ ସୁବର୍ଣ୍ଣ ଥାଳି।
ମଣତି ରେଜିଷ୍ଟରର କ୍ରମିକ ନମ୍ବର ୬୨, ୬୩, ୬୪ ଓ ୬୫ରେ ଏହି ସୁବର୍ଣ୍ଣ ଥାଳି ସମ୍ପର୍କରେ ବିଶେଷ ଉଲ୍ଲେଖ ରହିଛି। ତା’ ମଧ୍ୟରେ ରହିଛି ଚାରିଟି ରୁପା ଗୋଡ଼ ଥିବା ଗୋଟିଏ ସୁନା ଥାଳି (୨୪୮ ଭରି), ୩ଟି ରୁପା ଗୋଡ଼ ଥିବା ଆଉ ଗୋଟିଏ ସୁନାଥାଳି (୨୪୪ ଭରି)। ସେହିପରି ଏହି ବର୍ଗରେ ଆଉ ଦୁଇଟି ସୁନାଥାଳି ରହିଛି ଯାହାର ଓଜନ ଯଥାକ୍ରମେ ୨୩୬ ଓ ୨୫୦ ଭରି।
ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଗୋଟିଏ ସମୟରେ ଦିଅଁଙ୍କୁ ଏହି ସୁବର୍ଣ୍ଣଥାଳିରେ ଭୋଗଲାଗି କରାଯାଉଥିଲା। ଭକ୍ତମାନେ ବିଶ୍ୱାସ କରନ୍ତି ଯେ ମା’ ଲକ୍ଷ୍ମୀ ସୁବର୍ଣ୍ଣ ଥାଳିରେ ଶ୍ରୀଜଗନ୍ନାଥ ଏବଂ ବଡ଼ ଭାଇ ବଳଦେବ ଓ ଭଉଣୀ ସୁଭଦ୍ରାଙ୍କୁ ଅମୃତ ମଣୋହି ପରଷିଥାନ୍ତି। ଶ୍ରୀଜୀଉଙ୍କ ଏହି ସୁବର୍ଣ୍ଣ ଥାଳି ଏବେ ନିୟମିତ ବ୍ୟବହାର କରାନଯାଇ ସୁରକ୍ଷା ଦୃଷ୍ଟିରୁ ରତ୍ନଭଣ୍ଡାରରେ ସଂରକ୍ଷିତ କରିରଖାଯାଇଛି।
ବିରଳ ରଘୁନାଥ ବେଶ
ଶ୍ରୀମନ୍ଦିର ଇତିହାସରେ ଗତ ୧୦୦ ବର୍ଷ ମଧ୍ୟରେ ଗୋଟିଏ ଥର ବିରଳ ରଘୁନାଥ ବେଶ ହୋଇଥିଲା। ତାହା ୧୯୦୫ ମସିହାରେ କରାଯାଇଥିଲା। ପରମ୍ପରା ଅନୁଯାୟୀ ରଘୁନାଥ ବେଶରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ ଯଥାକ୍ରମେ ଶ୍ରୀରାମ ଓ ଲକ୍ଷ୍ମଣ ବେଶ କରାଯାଇଥାଏ ଏବଂ ଶ୍ରୀଜୀଉଙ୍କ ଅଙ୍ଗରେ ଆକର୍ଷଣୀୟ ଚିତା ଓ କୁଣ୍ଡଳ ଲାଗି କରାଯାଇଥାଏ। ଏହି ଅଳଙ୍କାର ମଧ୍ୟ ରତ୍ନଭଣ୍ଡାରରେ ସଂରକ୍ଷିତ କରି ରଖାଯାଇଛି। ୧୯୦୫ ମସିହା ପରେ ରଘୁନାଥ ବେଶ ହୋଇନଥିବାରୁ ଭକ୍ତମାନେ ଏହି ବିରଳ ରତ୍ନଅଳଙ୍କାର ଦେଖିବାର ସୁଯୋଗ ପାଇନାହାନ୍ତି।
ତେଣୁ ଏ କଥା ସ୍ପଷ୍ଟ ଯେ ଶ୍ରୀମନ୍ଦିର ରତ୍ନ ଅଳଙ୍କାରକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଶ୍ରୀଜୀଉମାନଙ୍କ ବିଭିନ୍ନ ବେଶ ପାଇଁ ଆବଶ୍ୟକ ହେଉଥିବା ଅଳଙ୍କାର ବାହାର ରତ୍ନଭଣ୍ଡାରରେ ରଖାଯାଇଥିବା ବେଳେ ଅନ୍ୟ ସମସ୍ତ ଅଳଙ୍କାରକୁ ଭିତର ରତ୍ନଭଣ୍ଡାରରେ ରଖି କବାଟରେ ଜଉମୁଦ ଦିଆଯାଇଛି।
କାହିଁକି ଖୋଲେ ରତ୍ନଭଣ୍ଡାର?
ଶ୍ରୀମନ୍ଦିରର ବାହାର ରତ୍ନଭଣ୍ଡାର ନିୟମିତ ଖୋଲା ଯାଉଥିଲେ ମଧ୍ୟ ଭିତର ରତ୍ନଭଣ୍ଡାର ନିୟମିତ ଖୋଲାଯିବାର ପରମ୍ପରା ନାହିଁ। କାରଣ ଭିତର ରତ୍ନଭଣ୍ଡାରରେ ଥିବା ଅମୂଲ୍ୟ ରତ୍ନ ଆଦି ଶ୍ରୀଜୀଉଙ୍କ ବେଶ ବା ପର୍ବପର୍ବାଣୀରେ ବ୍ୟବହାର ହୁଏ ନାହିଁ। ତେବେ କେତେକ ବିଶେଷ ଅବସ୍ଥା ବା ଆବଶ୍ୟକତା ବେଳେ ଭିତର ରତ୍ନଭଣ୍ଡାର ଖୋଲାଯାଇଥାଏ।
ଶ୍ରୀମନ୍ଦିର ନିୟମ ଅନୁଯାୟୀ ବାହାର ରତ୍ନଭଣ୍ଡାରର ତିନୋଟି ଚାବି ରହିଛି। ଗୋଟିଏ ଚାବି ରତ୍ନଭଣ୍ଡାରର ଦାୟିତ୍ୱରେ ଥିବା ସେବାୟତ ତଢ଼ଉକରଣଙ୍କ ପାଖରେ ଥିବା ବେଳେ ଆଉ ଗୋଟିଏ ଚାବି ଗଜପତିଙ୍କ ପାଖରେ ରହିଥାଏ। ସେହିପରି ତୃତୀୟ ଚାବିଟି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ସଂରକ୍ଷିତ କରି ରଖାଯାଇଥାଏ। ଶ୍ରୀଜୀଉଙ୍କ ବେଶ ଏବଂ ଆବଶ୍ୟକତା ଅନୁଯାୟୀ ଏହି ତିନି ବ୍ୟବସ୍ଥା ମିଶି ବାହାର ରତ୍ନଭଣ୍ଡାରରୁ ଅଳଙ୍କାର ଆଦି ଆଣିବା ପାଇଁ ଦ୍ୱାର ଖୋଲିଥାନ୍ତି।
ତେବେ ସୂଚନା ଅନୁଯାୟୀ ଭିତର ରତ୍ନଭଣ୍ଡାରର ଚାବି ଜିଲ୍ଲା ପ୍ରଶାସନଙ୍କ ଅଧିନରେ ସୁରକ୍ଷିତ ଭାବେ ରଖାଯାଇଥାଏ। ବିଶେଷ ଆବଶ୍ୟକତା ବେଳେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ତଥା ନିର୍ଦ୍ଦିଷ୍ଟ କମିଟି ଗଠନ କରି ଭିତର ଭଣ୍ଡାର ଖୋଲାଯାଇଥାଏ।
ଏହା ପୂର୍ବରୁ ୧୯୮୪ ମସିହାରେ ଶ୍ରୀଜୀଉଙ୍କ ଅଳଙ୍କାର ମରାମତି ପାଇଁ କିଛି ରେଜା ସୁନା ଓ ରୁପାର ଆବଶ୍ୟକତା ପଡ଼ିଥିଲା। ସେତେବେଳେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ଅନ୍ୟ ସେବାୟତ ଓ ଅଧିକାରୀଙ୍କ ସହଯୋଗରେ ଭିତର ଭଣ୍ଡାର ଖୋଲି ତାହା ଆଣିଥିଲେ। ଫଳରେ ଶ୍ରୀଜୀଉଙ୍କ ଅଳଙ୍କାର ମରାମତି କରାଯାଇଥିଲା। ତେବେ ସେତେବେଳେ ଆଜି ଭଳି ଗଣମାଧ୍ୟମ ଏତେ ସକ୍ରିୟ ନଥିବାରୁ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ଏତେ ଆଲୋଚନା ବା ଆଶଙ୍କା ଉଠିନଥିଲା।
ବର୍ତ୍ତମାନ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା, ଆଶଙ୍କା ଓ ବିତର୍କ ବିଭିନ୍ନ ମାଧ୍ୟମରେ ଚାଲିଛି। ଗଣମାଧ୍ୟମରେ ଏହିସବୁ ଆଲୋଚନା ଏକ ନୂଆ ରୂପ ନେଇଛି। ରତ୍ନଭଣ୍ଡାର ସମ୍ପର୍କରେ ଟିକିନିଖି ତଥ୍ୟ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆ ପରିବେଷଣ କରିବାରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ତେବେ ଏଥର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି କରିବା କିମ୍ବା ଏ ସମ୍ପର୍କରେ କୌଣସି ପ୍ରକାର ଅନୁଧ୍ୟାନ କରିବା ପ୍ରଶାସନର ଉଦ୍ଦେଶ୍ୟ ନୁହେଁ। ଅସଲରେ ରତ୍ନଭଣ୍ଡାରର ମରାମତି ଆବଶ୍ୟକ କି ନାହିଁ ଏ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଯାଉଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ତଥା ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଏପ୍ରିଲ୍ ୪ ତାରିଖ ଅପରାହ୍ଣରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ। ତେଣୁ ସାରା ରାଜ୍ୟ ଏବଂ ଦେଶ ଓ ବିଦେଶରେ ଥିବା ଓଡ଼ିଆ ତଥା ଜଗନ୍ନାଥ ପ୍ରେମୀମାନେ ଏହି ଘଟଣା ଉପରେ ନଜର ରଖିଛନ୍ତି।