ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଖଲିପତ୍ରରେ ଖାଇଲେ ଅମିତ ଶାହା
  • ଭାତ ସାଙ୍ଗକୁ ମୁଗ ଡାଲି ଏବଂ ଶାଗ-ବଡ଼ିର ମଜାନେଲେ
  • ଗହମ ଖିରୀ-ପିଠା ବି ଖାଇଲେ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଗୁରୁବାର ବଲାଙ୍ଗିରର ଦେଓଗାଁରେ ଦେଶୀ ଖାଦ୍ୟର ମଜା ନେଇଛନ୍ତି। କୌଣସି ହୋଟେଲ କିମ୍ବା ରେସ୍ତୋରାରେ ନୁହେଁ, ଦେଓଗାଁର ମହେଶ୍ୱର ସୁନାଙ୍କ ଘରେ ସେ ଗୁରୁବାର ଲଞ୍ଚ୍ କରିଛନ୍ତି। ତାଙ୍କ ସହ ବିଜେପିର ଅନ୍ୟ ବରିଷ୍ଠ ନେତା ବି ମହେଶ୍ୱରଙ୍କ ଘରେ ଖାଇଛନ୍ତି।

ଅମିତ ଶାହାଙ୍କ ପାଇଁ ମହେଶ୍ୱର ସୁନାଙ୍କ ଘରେ ୧୭ ପ୍ରକାରର ଖାଦ୍ୟ ତିଆରି ହୋଇଥିଲା। ଭାତ, ମୁଗ ଡାଲି, ଟମାଟୋ ଖଟା, ଲିମ୍ୱଫୁଲ ଭଜା, ବହଲ ଫୁଲ ଭଜା, ସାଧା ତରକାରୀ ସମେତ ୨ ପ୍ରକାରର ଶାଗ, ୩ ପ୍ରକାରର ବଡ଼ି, ଲଡ଼ୁ, ପିଠା ଏବଂ ଗହମ ଖିରି ଖାଇଛନ୍ତି ଶାହା।

ମହେଶ୍ୱର ସୁନାଙ୍କ ଘରେ ଚଟାଣରେ ବସି ଖଲିପତ୍ରରେ ଶାହା ଏହି ଖାଦ୍ୟ ଖାଇ ବଲାଙ୍ଗିର ସର୍କିଟ ହାଉସକୁ ଯାଇଥିଲେ। ଏହାପରେ ଯୁବ ସମାବେଶରେ ଉଦବୋଧନ ଦେଇଥିଲେ।

ଅମିତ ଶାହାଙ୍କ ସମେତ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମହେଶ୍ୱର ସୁନାଙ୍କ ଘରେ ଖାଇଥିଲେ।

ଖାଇ ସାରିବା ପରେ ଅମିତ ଶାହାଙ୍କ ସହ ମହେଶ୍ୱର ସୁନାଙ୍କ ପରିବାର ଫଟୋ ଉଠାଇଥିଲେ।

୨୦୧୭ରେ ଶାହା ଗଞ୍ଜାମ ଜିଲ୍ଲାରେ ମୋ ବୁଥ୍ ସବୁଠୁ ମଜଭୁତ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ହୁଗୁଳାପଡ଼ାର ନବୀନ ସ୍ୱାଇଁଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ଯାଜପୁର ଗସ୍ତ ବେଳେ ବି ଶାହା ବିଞ୍ଝାରପୁରରେ ଜଣେ ଦଳିତଙ୍କ ଘରେ ଖାଇଥିଲେ।

Comment