ଓଡ଼ିଶାଲାଇଭ୍‌ ବ୍ୟୁରୋ

ରହସ୍ୟମୟ ଭିତର ରତ୍ନଭଣ୍ଡାରର ଚାବି ଏବେ କାହା ପାଖରେ? ଜିଲ୍ଲା ଟ୍ରେଜେରୀରେ ଚାବି ନଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିବା ପରେ ରତ୍ନଭଣ୍ଡାର ଅପେକ୍ଷା ଚାବି ଏବେ ରହସ୍ୟମୟ ହୋଇଯାଇଛି।

ମହାବାହୁଙ୍କ ରତ୍ନଭଣ୍ଡାରକୁ ନେଇ ଏବେ ଉଠୁଛି ପଡ଼ୁଛି ଓଡ଼ିଶା। ବାହାର ରତ୍ନଭଣ୍ଡାର ଯାଞ୍ଚ ହୋଇଥିବା ବେଳେ ଭିତର ରତ୍ନଭଣ୍ଡାରର ତାଲା କାହିଁକି ଖୋଲିଲାନି ତାକୁ ନେଇ ବିଭିନ୍ନ ମହଲରେ ସୃଷ୍ଟି ହୋଇଛି ପ୍ରଶ୍ନ। ଏନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ପୁରୀ ଜିଲ୍ଲାପାଳ ଆଜି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଫଳରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟ ସହ ଜିଲ୍ଲାପାଳଙ୍କ ମନ୍ତବ୍ୟର କୌଣସି ସାମଞ୍ଜସ୍ୟ ରହୁ ନଥିବାରୁ ଘଟଣା ଆହୁରି ରହସ୍ୟମୟ ହୋଇଯାଇଛି।

ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଆଜି ଚାବି ରହସ୍ୟ ଖୋଲିଛନ୍ତି। ଏବେ ରତ୍ନଭଣ୍ଡାର ଅପେକ୍ଷା ଚାବିକୁ ନେଇ ବିଭିନ୍ନ ମହଲରେ ଉତ୍କଣ୍ଠା ଦେଖାଦେଇଛି।

ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି, “ଭିତର ରତ୍ନଭଣ୍ଡାରର ଚାବି ଜିଲ୍ଲା ଟ୍ରେଜେରୀରେ ନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ ଜିଲ୍ଲା ଟ୍ରେଜେରୀରେ ଚାବି ଦିଆଯାଇନି। ମନ୍ଦିର ଅଫିସରେ ଯେଉଁ ଚାବି ରହିଥିଲା ସେହି ଚାବି ନେଇ ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ ଯାଞ୍ଚକାରୀ ଟିମ୍।”

ଜିଲ୍ଲାପାଳଙ୍କ ଏହି ମନ୍ତବ୍ୟ ପରେ ଆମକୁ ଅତୀତକୁ ଫେରିବାକୁ ପଡ଼ିବ। ୧୯୮୪ରେ ଖୋଲିଥିଲା ରତ୍ନଭଣ୍ଡାର। ତେବେ ସେତେବେଳେ ଯେଉଁ ଅଧିକାରୀ ଚାବି ନେଇଥିଲେ ସେ ଫେରାଇ ନାହାନ୍ତି ନା ଏହା କେଉଁଠି ହଜି ଯାଇଛି? ଏହି ପ୍ରଶ୍ନ ଏବେ ଜଗନ୍ନାଥପ୍ରେମୀ, ସେବାୟତଙ୍କ ମନକୁ ଆନ୍ଦୋଳିତ କରୁଛି।

ବାହାର ରତ୍ନଭଣ୍ଡାରର ଚାବି ଗଜପତି ମହାରାଜ, ଭଣ୍ଡାରମେକାପ ଏବଂ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଥାଏ। ଭିତର ଭଣ୍ଡାରଘରର ଚାବି ଜିଲ୍ଲା ଟ୍ରେଜେରୀରେ ରହିଥାଏ। ଯେତେବେଳେ ୧୬ ଜଣିଆ ଯାଞ୍ଚକାରୀ ଟିମ୍ ଭଣ୍ଡାରଘର ଖୋଲିବାକୁ ଗଲେ ସେତେବେଳେ ଜିଲ୍ଲା ଟ୍ରେଜେରୀ ସହ ଯୋଗାଯୋଗ କରି ନଥିଲେ କି? ତେବେ ଯାଞ୍ଚକାରୀ ଟିମ୍‌ ଯେଉଁ ୫ ନେନ୍ଥା ଚାବି ନେଇ ଯାଇଥିଲେ ତାହା କେଉଁ ଚାବି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହାସହ ଜିଲ୍ଲାପାଳ ଆହୁରି କହିଛନ୍ତି ଯେ ବର୍ଷା ଋତୁ ପରେ ପୁଣି ରତ୍ନଭଣ୍ଡାର ଖୋଲାଯାଇ ଯାଞ୍ଚ ହୋଇପାରେ। ରତ୍ନଭଣ୍ଡାର ଛାତରେ ଫାଟ ଥିବାରୁ ଆଉଥରେ ସ୍ଥିତି ଯାଞ୍ଚ ପାଇଁ ହାଇକୋର୍ଟ ଏବଂ ରାଜ୍ୟ ସରକାରଙ୍କଠାରୁ ଅନୁମତି ମଗାଯିବ।

Comment