ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଦୋଳନରତ ଅଧ୍ୟାପକଙ୍କ ପ୍ରତି କଠୋର ହୋଇଛନ୍ତି ସରକାର। +୨ ଖାତା ଦେଖାରେ ସହଯୋଗ ନକଲେ ସରକାର ଏତଲା ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ହେଲେ ସରକାରଙ୍କ ନାଲିଆଖିକୁ ଡରି ନାହାନ୍ତି ଅଧ୍ୟାପକ।

+୨ ଖାତା ଦେଖାରେ ସହଯୋଗ କରୁ ନଥିବା ଅଧ୍ୟାପକଙ୍କୁ ନାଲିଆଖି ଦେଖାଇଛନ୍ତି ସରକାର। ରବିବାରଠାରୁ ଖାତା ଦେଖାରେ ସହଯୋଗ ନକଲେ ଅଧ୍ୟାପକଙ୍କ ବିରୋଧରେ ଏତଲା ଦେବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

୬ ଦଫା ଦାବି ନେଇ ଅଧ୍ୟାପକମାନେ ଆନ୍ଦୋଳନ ଚଳାଇଛନ୍ତି। ଦାବି ପୂରଣ ହେଉ ନଥିବାରୁ ସେମାନେ +୨ ଖାତାଦେଖା ବର୍ଜନ କରିଛନ୍ତି। ଫଳରେ ଖାତାଦେଖାରେ ବିଳମ୍ବ ହେଉଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଆଜି କଠୋର ଅଭିମୁଖ୍ୟ ଗ୍ରହଣ କରିଛନ୍ତି।

ଖାତାଦେଖା ବର୍ଜନ କରିଥିବା ଅଧ୍ୟାପକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସିଏଚଏସ୍‌ଇ ନିୟନ୍ତ୍ରକ ମୂଲ୍ୟାୟନ କେନ୍ଦ୍ର ସୁପରଭାଇଜରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସ୍ୱାସ୍ଥ୍ୟଗତ କାରଣ ବ୍ୟତୀତ ଅନ୍ୟକିଛି କାରଣ ଗ୍ରହଣ କରାଯିବ ନାହିଁ।

ଏପଟେ ଅଧ୍ୟାପକମାନେ ସରକାରଙ୍କ ଧମକକୁ ଡରି ନାହାନ୍ତି। ସରକାର ଧମକକୁ ଭୟକରି ଆମେ ପଛକୁ ହଟିବୁ ନାହିଁ ବୋଲି ସଂଘ କହିଛି।

ଖାତା ଦେଖାରେ ବିଳମ୍ବ ହେଉଥିବାରୁ ଫଳ ବାହାରିବାରେ ବିଳମ୍ବ ହେବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି।

ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି, “ଖାତା ଦେଖିବା ପାଇଁ ୫ ହଜାର ୮ ଶହ ଶିକ୍ଷକଙ୍କୁ ଡକା ଯାଇଥିଲା। କିନ୍ତୁ ସେଥିମଧ୍ୟରୁ ୫୦ ପ୍ରତିଶତ ଅଧ୍ୟାପକ ଖାତା ଦେଖାରେ ସହଯୋଗ କରି ନାହାନ୍ତି। ଗତବର୍ଷ ତୁଳନାରେ ବର୍ତ୍ତମାନ ସୁଦ୍ଧା ୫ ହଜାର ଖାତା କମ୍ ଦେଖାଯାଇଛି। ତେଣୁ ପରୀକ୍ଷର ଫଳ ପ୍ରକାଶରେ ବିଳମ୍ବ ହୋଇପାରେ।”

Comment