ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡାଟାଲିକ୍ ଅଭିଯୋଗରେ ଫସିଥିବା ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ଆମେରିକା କଂଗ୍ରେସ ଆଗରେ ନିଜ ମତ ଉପସ୍ଥାପନ କରିଛନ୍ତି। ଏହି ସମୟରେ ଜୁକରବର୍ଗଙ୍କୁ ୪୪ଜଣ ସିନେଟର ତେଢ଼ା ପ୍ରଶ୍ନ ପଚାରିଥିଲେ। ଉତ୍ତର ଦେବାବେଳେ ଫେସବୁକ ସିଇଓ କିଛିଟା ଚାପରେ ଥିବାପରି ଜଣାପଡ଼ୁଥିଲେ। ବାରମ୍ବାର ପାଣି ପିଉଥିବାର ଲକ୍ଷ୍ୟ କରାଯାଇଥିଲା।

ଆମେରିକା କଂଗ୍ରେସର ଆଇନ କମିଟି ଓ ବାଣିଜ୍ୟ କମିଟି ଆଗରେ ଉପସ୍ଥିତ ରହି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ନିଜ ମତ ରଖିଛନ୍ତି। ଏହି ସମୟରେ ଆମେରିକା କଂଗ୍ରେସର ୪୪ଜଣ ସିନେଟର ପ୍ରଶ୍ନ ଉପରେ ପଶ୍ନ ପଚାରି ଚାଲିଥିଲେ। ଯାହାର ଉତ୍ତର ଦେଉଥିଲେ ବିଶ୍ଵର ସୁବଠୁ ଲୋକପ୍ରିୟ ସୋସିଆଲ ସାଇଟ୍‌ ଫେସବୁକର ସିଇଓ ମାର୍କ ଜୁକରବର୍ଗ।

ପାଞ୍ଚଘଣ୍ଟା ଲମ୍ବା ଜେରାର ସମ୍ମୁଖୀନ ହୋଇଥିଲେ ମାର୍କ। ପ୍ରତି ସିନେଟରଙ୍କୁ ଗୋଟିଏ ପ୍ରଶ୍ନ ପଚାରିବା ପାଇଁ ୫ ମିନିଟ୍‌ ସମୟ ଦିଆଯାଇଥିଲା। ଏହି ସମୟରେ ଦୁଇଟି ବ୍ରେକ୍ ନିଆଯାଇଥିଲା।

କେମ୍ବ୍ରିଜ ଆନାଲିଟିକା ଦ୍ୱାରା ଲୋକମାନଙ୍କ ତଥ୍ୟର ବ୍ୟବହାର, ଆମେରିକା ନିର୍ବାଚନରେ ଋଷିଆର ହସ୍ତକ୍ଷେପ ଆଦି କ୍ଷେତ୍ରରେ କେତେକ ଭୁଲ ହୋଇଥିବା ମାର୍କ ଜୁକରବର୍ଗ ସ୍ୱୀକାର କରିଛନ୍ତି। “ନିଜର ଭୁଲ ପାଇଁ କ୍ଷମାପ୍ରାର୍ଥନା କରିବା ସହ ଏଭଳି ଭୁଲ ଆଗକୁ ଯେପରି ନହୁଏ ତାହା ନିଶ୍ଚିତ କରାଯିବ। ମୁଁ ଏହି କମ୍ପାନିକୁ ଚଳାଉଛି ଏଣୁ ସବୁ ଦାୟିତ୍ୱ ମୋର”, କହିଛନ୍ତି ଜୁକରବର୍ଗ।

“ଖୁବଶୀଘ୍ର ବ୍ରାଜିଲ, ଭାରତ ଓ ପାକିସ୍ତାନରେ ନିର୍ବାଚନ ହେବ। ମୁଁ ଭରସା ଦେଉଛି ଫେସବୁକ୍ ଦ୍ଵାରା ଯେପରି ନିର୍ବାଚନ ପ୍ରଭାବିତ ନ ହେବ ସେଥିପାଇଁ ସବୁପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ”, କହିଛନ୍ତି ଜୁକରବର୍ଗ।

ଡାଟା ଲିକ୍ ମାମଲାରେ ଜୁକରବର୍ଗ ପୂର୍ବରୁ କ୍ଷମା ମାଗି ସାରିଛନ୍ତି।

Comment