ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡର କେତେକ ଜଣାଶୁଣା ନାୟିକା ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପରେ ବଡ଼ ପରଦାକୁ ଫେରିନାହାନ୍ତି। ଏମିତି ଜଣେ ନାୟିକା ହେଲେ ପ୍ରିୟା। କେବଳ ପ୍ରିୟା ନୁହନ୍ତି ଆଉ କେତେକ ଓଡ଼ିଆ ନାୟିକା ବି ଅଛନ୍ତି, ଯେଉଁମାନେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଫିଲ୍ମ ଲାଇନ୍‌ରୁ ଦୂରେଇ ଯାଇଛନ୍ତି।

ପ୍ରିୟା

ଓଲିଉଡର ଚୁଲୁବୁଲି ନାୟିକା ପ୍ରିୟା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଡ୍ରିମଗାର୍ଲ’ରୁ ହିରୋଇନ୍ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଏହା ପରେ ‘ଅଭିମନ୍ୟୁ’, ‘ଦିଲ୍ ତତେ ଦେଇଛି’, ‘ମେଘ ସବାରିରେ ଆସିବ ଫେରି’, ‘ହିରୋ – ଏକ ପ୍ରେମ୍ କଥା’, ‘ମିତ ବସିଛି ମିୁଁ ଭୂତ ସାଥୀରେ୩, ‘ଆଲୋ ମୋର କଣ୍ଢେଇ’ ଓ ‘ରୁମ୍‌କୁ ଝୁମାନା’ ଆଦି ଓଡ଼ିଆ ଛବିରେ ନାୟିକା ବନିଥିଲେ ପ୍ରିୟା। ହେଲେ ବିବାହ କରିବା ପରେ ତାଙ୍କୁ ଆଉ କୌଣସି ଓଡ଼ିଆ ସିନେମାର ସୁଟିଂ ସେଟ୍‌ରେ ଦେଖିବାକୁ ମିଳିନାହିଁ।

ରାଲି ନନ୍ଦ

ଠିକ୍ ସେହିପରି ଅଳ୍ପ ସମୟ ଭିତରେ ବେଶ୍ ଲୋକପ୍ରିୟ ହୋଇଉଠିଥିଲେ ଓଲିଉଡରେ ଆଉ ଜଣେ ନାୟିକା। ତାଙ୍କ ନାଁ ହେଲା ରାଲି ନନ୍ଦ। ସେ ‘କଳିଙ୍ଗପୁତ୍ର’ ଜରିଆରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ‘ଆକାଶେ କି ରଙ୍ଗ ଲାଗିଲା’, ‘ସୁପରଷ୍ଟାର୍ ଏ ଡ୍ରିମ୍’ ଓ ‘ମାଆ ଖୋଜେ ମମତା’ ଆଦି ବେଶ୍ କେତୋଟି ଓଡ଼ିଆ ଛବିରେ ନାୟିକା ଭୂମିକାରେ ଅଭିନୟ କରିଥିଲେ। ତେବେ ସେ ବି ବିବାହ ପରେ ଆଉ ଅଭିନୟ କରିନଥିଲେ ବି ବଡ଼-ପରଦାକୁ ଫେରିନାହାନ୍ତି। ଏହି କାରଣରୁ ତାଙ୍କୁ ପ୍ରାୟ ତିନି ବର୍ଷ ହେବ କୌଣସି ନୂଆ ଓଡ଼ିଆ ସିନେମାରେ ଦେଖିବାକୁ ମିଳିନାହିଁ।

ଆମେଲି

ଆଲବମ୍‌ ଦୁନିଆରେ ବେଶ୍ ନାଁ କରିବା ପରେ ଯେଉଁ କେତେକ ନାୟିକା ବଡ଼ପରଦାରେ ବି ହିରୋଇନ୍ ହେବାର ସୁଯୋଗ ପାଇଥିଲେ, ସେମାନଙ୍କ ଭିତରୁ ଜଣେ ହେଲେ ଆମେଲି। ସେ ରାଜୁ ମିଶ୍ରଙ୍କ ‘ଜୀବନମୃତ୍ୟୁ’ ଚକ୍ରଧର ସାହୁଙ୍କ ‘ତୁମକୁ ପାରୁନି ତ ଭୁଲି’ ଓ ଆଳୟ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ଭୁଲ୍ ବୁଝିବନି ମତେ’ ଆଦି ଓଡ଼ିଆ ଛବିରେ ଫିମେଲ୍ ଲିଡ୍‌ରେ ନଜର ଆସିଥିଲେ। ତେବେ ଆମେଲି ବିବାହ ପରେ ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି, ଯେଉଁ କାରଣରୁ ତାଙ୍କୁ ରୁପେଲି ପରଦାରେ ଦେଖିବାକୁ ପାଇନାହାନ୍ତି ସିନେ ପ୍ରେମୀ।

ମାମା ମିଶ୍ର

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ବାପା’ ସିନେମା ଜରିଆରେ ଓଲିଉଡ଼ରେ ନାୟିକା ଭାବେ ଡେବ୍ୟୁ କରିଥିଲେ ମାମା ମିଶ୍ର। ଏହାପରେ ସେ କିଏ ପୋଛିବ ‘ମାଆ ଆଖିର ଲୁହ’, ‘ବାବୁ ପର୍ଶୁରାମ’, ‘ତୋ ଆଖି ମୋ ଆଇନା’, ‘ସାକ୍ଷୀ ରହିବ ଏ ସିଂହ ଦୁଆର’ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ନଜର ଆସିଥିଲେ। ମାମା ଜଣାଶୁଣା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିବା ପରେ ପ୍ରକାରାନ୍ତରେ ଅଭିନୟରେ ପୂର୍ଣ୍ଣଛେଦ ଟାଣିଛନ୍ତି। ପରିଣାମ ସ୍ୱରୂପ ମାମା ଫିଲ୍ମରେ ଆଉ ନିଜର ଆସୁନାହାନ୍ତି।

ଜିନା

ଏହି କ୍ରମରେ ଆଉ ଜଣେ ନାୟିକାଙ୍କୁ ବି ସାମିଲ୍ କରାଯାଇପାରେ। ଏହି ନାୟିକା ଜଣକ ହେଲେ ଜିନା। ସେ ଆଲବମ୍‌ ଜଗତରେ  ଚହଳ ପକାଇବା ପରେ ବଡ଼ପରଦାକୁ ଆସିଥିଲେ। ତାଙ୍କୁ ସର୍ବପ୍ରଥମେ ‘ଫେରିଆ ମୋ’ ସୁନା ଭଉଣୀ’ ଫିଲ୍ମରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ରଣଜିତ୍ ମହାନ୍ତି ଏହାର ନିର୍ଦ୍ଦେଶକ। ତା’ ପରେ ସେ ‘ରସିକ ନାଗର’, ‘ତୋ ପାଇଁ ନେବି ମୁଁ ଶହେ ଜନମ’, ‘ଝିଅଟା ବିଗିଡିଗଲା’ ଓ ‘ପ୍ରେମର ନିଶା ନିଆରା ନିଆରା’ ଆଦି ସମେତ ବେଶ୍ କେତୋଟି ଓଡ଼ିଆ ସିନେମାରେ ନଜର ଆସିଛନ୍ତି। ଜିନା କିଛି ମାସ ତଳେ ଅଭିନେତା ରୁଦ୍ରଙ୍କୁ ବିବାହ କରିଥିଲେ। ହେଲେ ବିବାହ ପରେ ବି ସେ କୌଣସି ନୂଆ ସିନେମା ସାଇନ୍ କରିନାହାନ୍ତି।

Comment