ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୦୧୯ ପାଇଁ ମନ୍ତ୍ର ଫୁଙ୍କିଲେ ନିରଞ୍ଜନ
  • ନୂଆ ମୁହଁକୁ ମିଳିବ ଟିକେଟ
  • ଲୋକଙ୍କ ସାଙ୍ଗରେ ନରହିଲେ ଟିକେଟ ମିଳିବନି
  • ଯୁବକମାନଙ୍କ କାନ୍ଧରେ କଂଗ୍ରେସ ଦାୟିତ୍ୱ
  • ଗୋଷ୍ଠୀ ବିବାଦକୁ ଭୁଲିବାକୁ ଆହ୍ୱାନ

“ଏ ଲଢ଼େଇ ହେଉଛି ଆପଣମାନଙ୍କର। ମୁଁ ନିମିତ୍ତ ମାତ୍ର”, ଦିଲ୍ଲୀରୁ ଫେରି ନେତା ଓ କର୍ମୀଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି ବାବା ନିରଞ୍ଜନ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ସେକେଣ୍ଡ ଇନିଂସ ଆରମ୍ଭ କରିଛନ୍ତି। ୧୯ ତାରିଖରେ ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ନିରଞ୍ଜନ ତାଙ୍କ ନୂଆ ଟିମ୍‌ ସହ ଭୁବନେଶ୍ୱର ଫେରିଥିଲେ। ରୋଡ ସୋ’ କରି ନିରଞ୍ଜନ କଂଗ୍ରେସ ଭବନରେ ପହଞ୍ଚିଥିଲେ। ନିରଞ୍ଜନ ଏବଂ ତାଙ୍କ ନୂଆ ଟିମ୍‌କୁ କଂଗ୍ରେସ ନେତା ଓ କର୍ମୀମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପରେ ନିରଞ୍ଜନ କର୍ମୀମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୁରୁମନ୍ତ୍ର ଦେଇଛନ୍ତି। ଅସଜଡ଼ା କଂଗ୍ରେସ ଘରକୁ ସଜାଡ଼ି ୨୦୧୯ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଛନ୍ତି।

ପ୍ରସାଦ ହରିଚନ୍ଦନଙ୍କୁ ପ୍ରଶଂସା

କଂଗ୍ରେସ କର୍ମୀ ଓ ନେତାଙ୍କୁ ଗୁରୁମନ୍ତ୍ର ଦେବା ବେଳେ ନିରଞ୍ଜନ ପଟ୍ଟନାୟକ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ପ୍ରଶଂସା କରିଛନ୍ତି। ଓଡ଼ିଶାରେ କଂଗ୍ରେସ ସଙ୍ଗଠନକୁ ମଜଭୁତ କରିବା ପାଇଁ ପ୍ରସାଦ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ହେଲେ ଆମମାନଙ୍କ ପାଇଁ ତାହା ସମ୍ଭବ ହୋଇପାରି ନଥିଲା। କଂଗ୍ରେସରେ ଚାଲିଥିବା ଗୋଷ୍ଠୀ ବିବାଦ ଯୋଗୁଁ ଦଳ ଆଗକୁ ବଢ଼ି ନଥିଲା। କଂଗ୍ରେସକୁ ଆଗକୁ ନେବାକୁ ହେଲେ ଗୋଷ୍ଠୀ ବିବାଦରୁ ଦୂରେଇବାକୁ ପଡ଼ିବ। କଂଗ୍ରେସକୁ ମଜଭୁତ କରିବାକୁ ପଡ଼ିବ।

ଲୋକଙ୍କ ସାଙ୍ଗରେ ରହୁଥିବା ଲୋକଙ୍କୁ ଟିକେଟ ମିଳିବ

ନୂଆ ସଭାପତି ନିରଞ୍ଜନ ପଟ୍ଟନାୟକ ୨୦୧୯ ନିର୍ବାଚନ ପାଇଁ କାର୍ଡ ଖେଳିଛନ୍ତି। ଲୋକଙ୍କ ସାଙ୍ଗରେ ରହୁଥିବା ଲୋକଙ୍କୁ ଟିକେଟ୍ ମିଳିବ ବୋଲି କହିଛନ୍ତି। ଯେଉଁମାନେ ଲୋକଙ୍କ ସଂସ୍ପର୍ଶରେ ନଥିବେ ସେମାନଙ୍କୁ ଟିକେଟ ମିଳିବ ନାହିଁ। କାନ କୁହା କଥା ଶୁଣାଯିବ ନାହିଁ। ଯେଉଁ ନେତାମାନେ ଗାଁକୁ ନଯାଇ ଭୁବନେଶ୍ୱରରେ ନେତାଙ୍କ ପାଖେପାଖେ ବୁଲୁଥିବେ ସେମାନଙ୍କୁ ଆଦୌ ବିଶ୍ୱାସକୁ ନିଆଯିବ ନାହିଁ। ଏହାସହ ନିରଞ୍ଜନ ୨୦୧୯ ନିର୍ବାଚନ ପାଇଁ ପ୍ରଭାରୀ ଏବଂ ଏଆଇସିସି ସମ୍ପାଦକଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। କହିଥିଲେ, ନିର୍ବାଚନର ୬ ମାସ ପୂର୍ବରୁ ଅତି କମ୍‌ରେ ଆମେ ୧୦୦ଟି ନିର୍ବାଚନମଣ୍ଡଳୀରେ ଟିକେଟ ଦେବା। ସେମାନଙ୍କୁ ୨ ମାସ ଦେଖିବା। ଯେଉଁମାନେ ଲୋକଙ୍କ ସହ ଯୋଡ଼ି ହୋ ରହିବେ ସେମାନଙ୍କୁ ହିଁ ନିର୍ବାଚନରେ ପ୍ରାର୍ଥୀ କରାଯିବ।

ଭୁଲ୍ ସୁଧାରିବ କଂଗ୍ରେସ

କଂଗ୍ରେସ ଅତୀତରେ ବହୁତ ଭୁଲ୍ କରିଛି। ଯେଉଁଥିପାଇଁ ଲୋକେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସକୁ ଲୋକେ ବିଶ୍ୱାସକୁ ନେଉ ନାହାନ୍ତି। ଏଣୁ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ହେଲେ ଆମେ ଆମ ଭୁଲ୍‌କୁ ସୁଧାରିବାକୁ ପଡ଼ିବ। ଲୋକଙ୍କ ପାଇଁ କାମ କରିବାକୁ ପଡ଼ିବ। ନହେଲେ କଂଗ୍ରେସ ଉଠି ପାରିବ ନାହିଁ। କଂଗ୍ରେସ ହସିଲେ ଓଡ଼ିଶା ହସିବ। ଆଗାମୀ ଦିନରେ ଆମକୁ କଂଗ୍ରେସକୁ ଉଠାଇବାକୁ ପଡ଼ିବ।

ଯୁବକଙ୍କୁ ଗୁରୁତ୍ୱ

ଦ୍ୱିତୀୟ ଥର ପାଇଁ ମୋତେ ପିସିସି ସଭାପତି କରାଯାଇଛି। ମୁଁ କେବେ ଚାହିଁ ନଥିଲି। କାରଣ ମୋର ଆଉ ବୟସ ନାହିଁ। ହେଲେ କର୍ମୀମାନଙ୍କ ସମର୍ଥନ ଯୋଗୁଁ ମୁଁ ଆଉ ଥରେ ପିସିସି ସଭାପତି ହୋଇଛି। ହେଲେ ମୋର କିଛି କରିବାର ନାହିଁ। ଆଗାମୀ ଲଢ଼େଇ ହେଉଛି ଯୁବକମାନଙ୍କର। ସେଥିପାଇଁ ୩ ଜଣ ଯୁବକଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କାର୍ଯ୍ୟକାରୀ ସଭାପତି କରିଛନ୍ତି। ସେମାନେ ହିଁ ଗାଁ ଗାଁ ବୁଲି ସଙ୍ଗଠନ ସଜାଡ଼ିବେ। ରାଜନୀତିରେ ସେମାନଙ୍କର ଭବିଷ୍ୟତ ରହିଛି। ଯଦି ସେମାନେ ଲୋକଙ୍କ ପାଇଁ କାମ ନକରିବେ ତାହାଲେ ଲୋକେ ବି ତାଙ୍କୁ ପଚାରିବେ ନାହିଁ।

ନୂଆ ମୁହଁକୁ ଟିକେଟ

ଆଗାମୀ ନିର୍ବାଚନ ହେଉଛି ଯୁବକମାନଙ୍କର। ଆମ ଅଧ୍ୟକ୍ଷ ଯୁବକ ହୋଇଥିବାରୁ ୨୦୧୯ ନିର୍ବାଚନ ଯୁବ ପ୍ରତିନିଧିଙ୍କୁ ନେଇ କଂଗ୍ରେସ ଲଢ଼ିବ। ୪୦ ପ୍ରତିଶତି ଯୁବକଙ୍କୁ ଟିକେଟ ଦିଆଯିବ। ନୂଆ ମୁହଁକୁ ଲୋକଙ୍କ ପାଖରେ ଠିଆ କରାଯିବ। ଯେଉଁମାନେ କଂଗ୍ରେସକୁ ଭଲ ପାଉଥିବେ ଏବଂ କାମ କରୁଥିବେ ସେମାନଙ୍କୁ ହିଁ ଆଗକୁ ଯିବା ପାଇଁ ସୁଯୋଗ ଦିଆଯିବ।

୨୦୧୯ ମୋ ପାଇଁ ଶେଷ ଯୁଦ୍ଧ ହୋଇପାରେ

ନିର୍ବାଚନ ଲଢ଼ିବା ପାଇଁ ମୋର ବୟସ ଆଉ ନାହିଁ। ପଦ ପଦବୀର ମୋହ ବି ଆଉ ନାହିଁ। ୨୦ ବର୍ଷ ବିଧାୟକ ରହିଛି। ଦୁଇ ଥର ମନ୍ତ୍ରୀ ହୋଇଛି। ଦୁଇ ଥର ପିସିସି ସଭାପତି ମଧ୍ୟ ହେଲିଣି। ଆଉ ମୋର କିଛି ହେବାର ନାହିଁ। ମୁଁ ବୁଢ଼ା ହୋଇଗଲିଣି। ଆଗାମୀ ଲଢ଼େଇ ହେଉଛି ଯୁବକମାନଙ୍କର। ସେମାନଙ୍କ କାନ୍ଧରେ ଗୁରୁ ଦାୟିତ୍ବ ରହିଛି। ସେମାନେ ଚାହିଁଲେ କଂଗ୍ରେସ ଉଠିବ। ୨୦୧୯ ନିର୍ବାଚନ ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ବିଜେପି ଏବଂ ବିଜେଡି ବିରୋଧରେ ଲଢ଼ିବାକୁ। ଆଗାମୀ ନିର୍ବାଚନ ମୋ ପାଇଁ ଶେଷ ଯୁଦ୍ଧ ହୋଇପାରେ ବୋଲି ନିରଞ୍ଜନ କହିଛନ୍ତି।

Comment