ଓଡ଼ିଆଲାଇଭ୍‌ ବ୍ୟୁରୋ

‘ଅମଡାବାଟ’, ‘ଅଦିନ ମେଘ’ ଓ ‘ମାଟିର ମଣିଷ’ ପରେ ସୁବିଖ୍ୟାତ ପ୍ରଯୋଜକ ବାବୁଲାଲ୍ ଯୋଶୀ ନିର୍ମାଣ କରିଥିଲେ ତାଙ୍କର ପ୍ରଥମ ପୌରାଣିକ ଚଳଚ୍ଚିତ୍ର ‘ମଥୁରା ବିଜୟ’। ଛାୟାବାଣୀ ପ୍ରତିଷ୍ଠାନ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ର।

‘ମଥୁରା ବିଜୟ’ର ନିର୍ଦ୍ଦେଶନା ଦେବା ପାଇଁ ପ୍ରଥମେ ଚୁକ୍ତିବଦ୍ଧ କରାଯାଇଥିଲା କଲିକତାର ନିର୍ଦ୍ଦେଶକ ସୁଶୀଲ ମୁଖାର୍ଜୀଙ୍କୁ। ଯିଏ କି ପୂର୍ବରୁ ସ୍ୱର୍ଣ୍ଣଚୂଡ଼ ଫିଲ୍ମସ ବ୍ୟାନରରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଟିକେ ହସ ଟିକେ ଲୁହ’ର ନିର୍ଦ୍ଦେଶନ ଦେଇଥିଲେ। ନିର୍ଦ୍ଦେଶକ ସୁଶୀଲ ମୁଖାର୍ଜୀ ସୁଟିଂ ପୂର୍ବରୁ ଆସି କଟକର ବାରବାଟୀ ଷ୍ଟାଡିଅମ୍‌ର ଗେଷ୍ଟ୍ ହାଉସ୍‌ରେ ରହିଥିଲେ। ପ୍ରଥମଦିନର ସୁଟିଂ ରଖାଯାଇଥିଲା କଟକର କଳାବିକାଶ କେନ୍ଦ୍ରର ପଛ ପାଖରେ। ସୁଟିଂ ଦେଖିବାକୁ ସେଠି ଲୋକଙ୍କର ଭିଡ ଜମିଥାଏ। କଳାକାରମାନେ ମେକଅପ୍ ନେଇ ସଟ୍ ଦେବାକୁ ପ୍ରସ୍ତୁତ। ସେହି ପ୍ରଥମଦିନର ପ୍ରଥମ ସଟ୍ ଥାଏ ଆକାଶବାଣୀର ଜଣେ କଳାକାରଙ୍କର। ନିର୍ଦ୍ଦେଶକ ଲାଇଟ୍, କ୍ୟାମେରା, ଆକସନ୍ କରିବା ମାତ୍ରେ କଳାକାର ଜଣକ ଅଭିନୟ କରିବା ସହିତ ସଂଳାପ ମଧ୍ୟ କହିବାର ଥିଲା। ମାତ୍ର ତାଙ୍କର କ’ଣ ହେଲା କେଜାଣି ତାଙ୍କ ମୁହଁରୁ ଆଦୌ ସଂଳାପ ବାହାରିଲାନି।

ନିର୍ଦ୍ଦେଶକ ସୁଶୀଲ ମୁଖାର୍ଜୀ ଅନ୍ୟ ଏକ ସଟ୍‌ ଦେବା ପାଇଁ ଠିକ୍ କଲେ। ସେଥିପାଇଁ ଯାହାଙ୍କୁ ଡକାଗଲା, ସେ ’ଶିବ’ ଚରିତ୍ରରେ ଅଭିନୟ କରିବାର ଥିଲା। ସେହି କଳାକାରଙ୍କ ବେକରେ ପଟିଆରୁ ଅଣାଯାଇଥିବା ସାପ ଗୁଡ଼ାଇ ଦିଆଗଲା, ସେ ସଟ୍ ଦେବା ବେଳକୁ ଭୟରେ ତାଙ୍କ ଦେହ ସାରା ଝାଳ ହୋଇଯାଇଥାଏ। ସେ ବି କୌଣସି ସଂଳାପ ଉଚ୍ଚାରଣ କରିପାରିଲେନି।

ଏଭଳି ଅଘଟଣ ପୂର୍ବରୁ କେବେ ଘଟିନଥିଲା ପ୍ରଯୋଜକ ବାବୁଲାଲ ଯୋଶୀ ସିନେମାର ସୁଟିଂ ସମୟରେ। ସେ ଏହାକୁ ‘ଅଶୁଭ’ ବୋଲି ମନେକଲେ। ବାବୁଲାଲ ଯୋଶୀ ତାଙ୍କର ବିନ୍ଧୁ ତଥା ଶୁଭେଚ୍ଛୁ ବରିଷ୍ଠ ସିନେ ସାମ୍ବାଦିକ ତଥା ସାହିତ୍ୟିକ ରଣଧୀର ଦାସଙ୍କର ପରାମର୍ଶ ଲୋଡ଼ିଲେ।

ରଣଧୀରବାବୁ ବାବୁଲାଲ୍ ଯୋଶୀଙ୍କୁ କହିଲେ ଯେ ପ୍ରଥମେ ସୁଶୀଲ ମୁଖାର୍ଜୀଙ୍କୁ ତାଙ୍କର ପ୍ରାପ୍ୟ ଦିଆଯାଇ କଲିକତା ଫେରିଯିବାକୁ କୁହାଯାଉ। ତାଙ୍କରି ପରାମର୍ଶରେ ନିର୍ଦ୍ଦେଶକ ସୁଶୀଲ ମୁଖାର୍ଜୀଙ୍କୁ ଚୁକ୍ତିବଦ୍ଧ ହୋଇଥିବା ଟଙ୍କା ଦିଆଗଲା ଓ ସେ କଲିକତା ଚାଲିଗଲେ। ହେଲେ ‘ମଥୁରା ବିଜୟ’ର ନିର୍ଦ୍ଦେଶନା ଦେବେ କିଏ। ସେହି ସମୟରେ ମାଡ୍ରାସର ପ୍ରଖ୍ୟାତ ନାମା ପ୍ରଯୋଜକ ଏଲ୍ ଭି ପ୍ରସାଦଙ୍କ ପୁତୁରା

ଏ ସଞ୍ଜୀବ ‘ସତୀ ଅନସୂୟା’ ନାମରେ ଏକ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇ ଓଡ଼ିଶାରେ ବେଶ୍ ନାଆଁ କରିସାରିଥିଲେ। ତାଙ୍କୁ ନିର୍ଦ୍ଦେଶନା ଦାୟିତ୍ୱ ଦେବା ଉଦ୍ଦେଶ୍ୟରେ ପ୍ରଯୋଜକ ବାବୁଲାଲ ଯୋଶୀ ଓ ରଣଧୀର ଦାସ ମାଡ୍ରାସ ଯାଇ ଏ ସଞ୍ଜୀବଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ନିର୍ଦ୍ଦେଶକ ଏ ସଞ୍ଜୀବ ପ୍ରଥମ ସର୍ତ୍ତ ରଖିଥିଲେ ଯେ ସେ ନିଜର ପୁରା ୟୁନିଟ୍ ଦେଇ କଟକ ଯିବେ ଓ ଫିଲ୍ମର  ସୁଟିଂ କରିବେ। ଏଥିରେ ପ୍ରଯୋଜକ ବାବୁଲାଲ ଯୋଶୀ ସହମତି ଜଣାଇଥିଲେ। ତା’ ପରେ ନିର୍ଦ୍ଦେଶକ ଏ ସଞ୍ଜୀବ ନିଜର ନିର୍ଦ୍ଦେଶନା ଟିମ୍ ଓ  ଟେକ୍‌ନ୍‌ସିଆନ୍‌ମାନଙ୍କୁ ଧରି କଟକ ଆସିଥିଲେ ଏବଂ ‘ମଥୁରା ବିଜୟ’ର ସୁଟିଂ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ‘ମଥୁରା ବିଜୟ’ରେ ‘ଶିବ’ ଭୂମିକାଟି ପରେ ଶରତ ପୂଜାରୀ କରିଥିଲେ। ସେତେବେଳେ ଶରତ ପୂଜାରୀ ଲରମ୍ଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଥିଲେ।

ଏ ସଞ୍ଜୀବଙ୍କ ନିର୍ଦ୍ଦେଶିତ ‘ମଥୁରା ବିଜୟ’ରେ ଶ୍ରୀକାନ୍ତ ନନ୍ଦ, ରୂପଲେଖା, ଅନିତାଦାସ, ଦୀପାସାହୁ, ଶରତ ପୂଜାରୀ, ଓ ଶରତ ମହାନ୍ତି ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ସୁପରହିଟ୍ ମଧ୍ୟ ହୋଇଥିଲା।

Comment