ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ  

ଓଲିଉଡରେ ଗତ କିଛି ବର୍ଷ ହେବ ପ୍ରତିବର୍ଷ ୩୦ରୁ ଅଧିକ ସଂଖ୍ୟକ ସିନେମା ନିର୍ମିତ ହୋଇଛି। ଏହି ସିନେମାମାନଙ୍କର ଟାଇଟଲ୍‌କୁ ନେଇ ନେଇ କେହି କେହି ଭ୍ରୁକୁଞ୍ଚନ କରିଥାଆନ୍ତି, ତ ପୁଣି କେତେବେଳେ ଫିଲ୍ମରେ ଥିବା ଚରିତ୍ରର ନାମକରଣ ବି ମଜାଦାର ଥିବା ନେଇ ଚର୍ଚ୍ଚା ହୁଏ।

ଏବେ ରିଲିଜ୍‌ ଅପେକ୍ଷାରେ ଥିବା କେତେକ ଓଡ଼ିଆ ସିନେମାରେ ଏଭଳି ଚରିତ୍ରମାନଙ୍କୁ ଭେଟିବେ, ଯାହାର ନାଆଁ ଶୁଣିଲେ ଆପଣ ନିଶ୍ଚୟ ଚମକି ଯିବେ। ଆସନ୍ତୁ ଜାଣିବା ହଟ୍‌କେ ଓ ମଜାଦାର ନାମ ଥିବା କିଛି ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ସମ୍ପର୍କରେ…

 

ଆଣ୍ଟି ନମସ୍କାର

ଠିକ୍ ସେହିପରି ଆଉ ଏକ ସିନେମା ବି ଏବର୍ଷ ପରଦାକୁ ଆସୁଛି। ତାହା ହେଲା ‘ଆଣ୍ଟି ନମସ୍କାର’। ଏହି ଫିଲ୍ମର ଟାଇଟଲ୍‌ ଟିକେ ନୂଆ ଟାଇପର୍, ଏ କଥାକୁ ସମସ୍ତେ ସ୍ଵୀକାର କରିବେ। ନିରଞ୍ଜନ ବେହେରା ଏହାର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ଵ ବହନ କରିଛନ୍ତି।

ଏହି ଫିଲ୍ମରେ ଶ୍ରୀତମ୍ ଦାସ, ଜୀନା, ମୀନକେତନ, ଜର୍ଜ ତିଆଡି, ସୁମନ, ରବି ମିଶ୍ର, କାଳୀଚରଣ ସାତ୍ୟକୀ ମିଶ୍ର, ଗୁଡୁ ପ୍ରମୁଖ ଅଭିନୟ କରିଛନ୍ତି। ଏହି ସିନେମାରେ ଏମାନଙ୍କ ଅଭିନୀତ ଚରିତ୍ରର ନାମ ମଧ୍ୟ ଠିକ୍ ସୋ, ଯାହା ସେମାନଙ୍କର ପ୍ରକୃତ ନାମ। ଅର୍ଥାତ୍ ‘ଆଣ୍ଟି ନମସ୍କାର’ରେ ଶ୍ରୀତମଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ଶ୍ରୀତମ୍  ନାୟିକା ଭୂମିକାରେ ଥିବା ଜୀନା ବି ନାଁ ବି ଜୀନା। ଠିକ୍ ସେହିପରି ଫିଲ୍ମରେ ଜଣେ ଭଣ୍ଡବାବା ଭୂମିକାରେ ଅଭିନୟ କରିଥିବା ଅଭିନେତା ରବି ମିଶ୍ରଙ୍କ ଅଭିନୀତ ଚରିତ୍ରର ନାମ ହେଲା ରବି, ଏହି ସିନେମାରେ ଜୀନାଙ୍କ ବାପା ଭୂମିକା ନିଭାଉଛନ୍ତି ବରିଷ୍ଠ ଅଭିନେତା ଜର୍ଜ ତିଆଡ଼ି।

ଏହି ଫିଲ୍ମ ଜର୍ଜଙ୍କ ଅଭିନୀତ ଚରିତ୍ରର ନାମ ବି ରହିଛି ଜର୍ଜ। ଠିକ୍ ସେହିପରି ଫିଲ୍ମରେ ଆଣ୍ଟିଙ୍କୁ ନିଜର ସ୍ତ୍ରୀ ବୋଲି ଦାବି କରୁଥିବା ସ୍ବାମୀ ଭୂମିକାରେ ଅଛନ୍ତି କମେଡିଆନ୍ ସୁମନ୍। ସେ ଆଣ୍ଟିଙ୍କ ସହିତ ତାଙ୍କର ବାହାଘରର ଫଟୋ ବି ଦେଖାଉଛନ୍ତି ଏକ ନାଟକୀୟ ଦୃଶ୍ୟରେ। ସବୁଠୁଁ ମଜାଦାର କଥା ହେଲା ଯେ ଏଥିରେ ସୁମନ ଅଭିନୟ କରିଥିବା ଭୂମିକାଟିର ନାଁ ବି ସୁମନ୍। ଏହି ଫିଲ୍ମରେ ଜୀନାଙ୍କ ଭାଇ ଭୂମିକାରେ ନଜର ଆସିବେ ଜଣାଶୁଣା ଅଭିନେତା ସାତ୍ୟକୀ ମିଶ୍ର। ତାଙ୍କ ଅଭିନୀତ ଚରିତ୍ରର ନାମ ବି ରହିଛି ସାତ୍ୟକୀ।

ଓଲେ ଓଲେ ଦିଲ୍ ବୋଲେ

କୈଳାସ ମହାପାତ୍ରଙ୍କ ନିର୍ଦ୍ଦେିଶନାରେ ତିଆରି ହେଉଛି ନୂଆ ଓଡ଼ିଆ ସିନେମା ‘ଓଲେ ଓଲେ ଦିଲ୍ ବୋଲେ’। ଏହି ଫିଲ୍ମରେ ଥିବା ମୁଖ୍ୟ ଚରିତ୍ରମାନଙ୍କର ନାଁ ଶୁଣିଲେ ଆପଣ ନ ହସି ରହି ପାରିବେ ନାହିଁ। ଏଥିରେ ନାୟକ ଭୂମିକାରେ ଅଛନ୍ତି ଜ୍ୟୋତି ଓ ନାୟିକା ଚରିତ୍ରରେ ଅଛନ୍ତି ଝିଲିକ୍।

ଏହି ଫିଲ୍ମରେ ଜ୍ୟୋତିଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା କୁଳରେ। ଠିକ୍ ସେହିପରି ହିରୋଇନ୍ ଝିଲିକଙ୍କ ନାମ ରହିଛି ଗାଲ। କୁଳରେ ଓ ଗାଲଙ୍କ ପ୍ରେମ କାହାଣୀ ଭିତରେ ଷଣ୍ଢ ପୁରାଉଥିବା ବ୍ୟକ୍ତିଟି ହେଲେ ଯମ, ଆଉ ସେହି ଭୂମିକାରେ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର। ଅର୍ଥାତ୍ ସିଦ୍ଧାନ୍ତଙ୍କ ଅଭିନୀତ ଚରିତ୍ରର ନାମ ରହିଛି ଯମ। ଠିକ୍ ସେହିପରି ‘ଓଲେ ଓଲେ ଦିଲ୍ ବୋଲେ’ରେ ଅଭିନେତା ମିହିର ଦାସଙ୍କ ଅଭିନୀତ ଚରିତ୍ରର ନାମ ହେଲା ଭାକୁର। ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ଯେହେତୁ ଏଥିରେ କଳାକାରମାନଙ୍କ ନାଁ ସବୁଠୁ ମଜାଦାର୍, ତେଣୁ ଫିଲ୍ମଟି ଖୁବ୍ ମଜାଦାର ହେବ।

ଯୋଗୀ

ଠିକ୍ ସେହିପରି ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଏକ ସିନେମା ‘ଯୋଗୀ’ ଏବେ ଚର୍ଚ୍ଚାରେ ରହିଛି। ଏହି ସିନେମାରେ ଟାଇଟଲ୍ ରୋଲ୍‌ରେ ଅଭିନୟ କରିଛନ୍ତି ହର ରଥ। ହେଲେ ସମସ୍ତଙ୍କୁ ଜଣା ଯେ ‘ଯୋଗୀ’ ଭାବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ବେଶ୍ ଲୋକପ୍ରିୟ। ଠିକ୍ ସେହିଭଳି ଜଣେ ଯୁବ ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର ଆସିବେ ହର, ଯାହାକୁ ଫିଲ୍ମରେ ତାଙ୍କୁ ‘ଯୋଗୀ’ ବୋଲି ସମ୍ବୋଧନ କରନ୍ତି।

Comment