ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କୁ ବେଶ୍ କିଛି ମାସ ହେବ ବଡ଼ ପରଦାରେ ଦେଖିବାକୁ ମିଳୁନଥିଲେ ହେଁ ସେ ଚର୍ଚ୍ଚାରେ ରହିଛନ୍ତି। ତେବେ ମନମୁତାବକ ଚରିତ୍ର ନମିଳିଲେ ବର୍ଷା ଫିଲ୍ମ କରିବାକୁ ରୋକଠୋକ ମନାକରିଦିଅନ୍ତି। ନିଜ କଷ୍ଟ୍ୟୁମକୁ ବେଶ୍ ଯତ୍ନବାନ ଥାନ୍ତି ବର୍ଷା।

ଆସନ୍ତୁ ଜାଣିବା ବିଭିନ୍ନ କାରଣରୁ ବର୍ଷା କେଉଁସବୁ ସିନେମା କରିବାକୁ ମନାକରିଦେଇଥିଲେ।

ଓଲିଉଡରେ ହିରୋଇନ୍ ଭାବେ ବର୍ଷା ପ୍ରିୟଦର୍ଶିନୀ ବ୍ରଜରାଜ ମୁଭିଜର ସୁପରହିଟ୍ ସିନେମା ‘ଏ ଯୁଗର କୃଷ୍ଣ ସୁଦାମା’ରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଓଲିଉଡର ଜଣାଶୁଣା ପ୍ରଯୋଜକ ସୀତରାମ ଅଗ୍ରୱାଲ୍ ଯେତେବେଳେ ତାଙ୍କ ପ୍ରଯୋଜିତ ପ୍ରଥମ ସିନେମା ‘ପାଗଳ କରିଛି ପାଉଁଜି ତୋର’ର ନିର୍ମାଣ କରିଥିଲେ, ସେତେବେଳେ ସେ ଏହି ଫିଲ୍ମର ନାୟିକା ଭୂମିକା ଲାଗି ବର୍ଷାକୁ ଅଫର୍ ଦେଇଥିଲେ। ହେଲେ ସେହି ସମୟରେ ବର୍ଷା ଟଲିଉଡ୍ (ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରି)ରେ  ଅଧିକ ସକ୍ରିୟ ଥିବା ହେତୁ ସେଥିପାଇଁ ସମୟ ବାହାର କରିନଥିଲେ। ଫଳତଃ ପ୍ରଯୋଜକ ସୀତାରାମ ଅଗ୍ରୱାଲ ଓ ନିର୍ଦ୍ଦେଶକ ସଞ୍ଜୟ ନାୟକ ସେହି ସିନେମାରେ ଅର୍ଚ୍ଚିତାଙ୍କୁ ଦେଇଥିଲେ। ଏଥିରେ ସବ୍ୟସାଚୀ ଓ ବୁଦ୍ଧାଦିତ୍ୟ ଥିଲେ ନାୟକ ଭୂମିକାରେ। ‘ପାଗଳ କରିଛି ପାଉଁଜି ତୋର’ ୨୦୦୯ରେ ରିଲିଜ୍ ହୋଇଥିଲା।

ଓଡ଼ିଆ ସିନେ ଜଗତର ଜଣାଶୁଣା ନିର୍ଦ୍ଦେ ଶକ ଏନ.ପାଢ଼ୀଙ୍କ ଦ୍ଵିତୀୟ ସିନେମା ହେଲା ‘ମୁନ୍ନା-ଏ ଲଭ୍ ଷ୍ଟୋରି’। ଏହି ଫିଲ୍ମରେ ଥିଲେ ଦୁଇଜଣ ନାୟକ ଓ ଦୁଇ ନାୟିକା। ଦୁଇ ନାୟକ ହେଲେ ଅନୁଭବ ଓ ଦୁଷ୍ମନ୍ତ। ଠିକ୍ ସେହିପରି ଏହାର ଦୁଇଜଣ ନାୟିକା ହେଲେ ନୈନା ଦାଶ ଓ ରୋମୀ। ହେଲେ ଆପଣ କ’ଣ ଜାଣନ୍ତି କି? ‘ମୁନ୍ନା- ଏଲଭ୍ ଷ୍ଟୋରି’ ରେ ନୈନା ଦାଶ ଯେଉଁ ଭୂମିକା ନିଭାଇଥିଲେ ପ୍ରଥମେ ସେହି ଚରିତ୍ରରେ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରିବେ ବୋଲି ଠିକ୍ ହୋଇଥିଲା। ବର୍ଷା ବି ରାଜି ହୋଇଥିଲେ। କିନ୍ତୁ ଏହି ସିନେମାରେ ସିଡ୍ୟୁଲ୍ ବଦଳିଯାଇଥିଲା। ନୂଆ ସିଡ୍ୟୁଲ୍ ଅନୁଯାୟୀ ପ୍ରଯୋଜକ ଯେଉଁ ଡେଟସ୍ ଚାହିଁଥିଲେ, ତାହା  ଦେବାକୁ ବର୍ଷାଙ୍କ ପକ୍ଷରେ ସମ୍ଭବ ହୋଇନଥିଲ।। କାରଣ ସେହି ଡେଟସ ବର୍ଷା ଜଣେ ବଙ୍ଗଳା ପ୍ରଯୋଜକଙ୍କ ସିନେମା ପାଇଁ ଦେଇ ସାରିଥିଲେ। ଉଭୟଙ୍କ ଭିତରେ ଭଲ ବୁଝାମଣା ବର୍ଷା ଏହି ଫିଲ୍ମରୁ ଓହରିଥିଲେ ଏବଂ ପରେ ତାଙ୍କ ସ୍ଥାନରେ ନୈନା ଦାଶଙ୍କୁ ନିଆଯାଇଥିଲା।

ବର୍ଷା ପ୍ରିୟଦର୍ଶିନୀଙ୍କୁ ଓଲିଉଡ଼ରେ ବ୍ରେକ୍ ଦେଇଥିବା ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍ ତାଙ୍କର ମେଗା ଫିଲ୍ମ ‘ଡନ୍’ରେ ଅନୁଭବ ଅପୋଜିଟରେ ବର୍ଷାକୁ ସାଇନ୍ କରିଥିଲେ। ବିଜୟ  କୁମାର ନାୟକଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଡନ୍’ର ସୁଟିଂ ବି ପୂର୍ବ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା। ବର୍ଷା ବି ସେଥିରେ ଅଂଶଗ୍ରହଣ କରିଥିଲେ । ହେଲେ ସେଥିରେ ବର୍ଷା ନିଜର କଷ୍ଟ୍ୟୁମକୁ ନେଇ ଅସହଜ ମନେ କରିଥିଲେ। ଶୁଣିବାକୁ ମିଳେ ଯେ ‘ଡନ୍’ରେ ନାୟିକାଙ୍କୁ ସୁଇମିଂ ସୁଟ୍ ପିନ୍ଧିବାକୁ ପଡ଼ିବ ବୋଲି ଜାଣିବା ପରେ ବର୍ଷା ପ୍ରିୟଦର୍ଶିନୀ ଏହି ଫିଲ୍ମରେ କାମ କରିବାକୁ ଆଉ ରାଜି ହୋଇନଥିଲେ ଓ ଏଥିରେ ଓହରିଯିବାକୁ ଚାହିଁଥିଲେ। ଏହାକୁ ନେଇ ବାଦବିବାଦ ବି ସୃଷ୍ଟି ହୋଇଥିଲା।

ତେବେ ସେ ଯାହା ହେଉନା କାହିଁକି, ବର୍ଷା ଏହି ଫିଲ୍ମରୁ ଆଉଟ୍ ହେବା ପରେ ପ୍ରଯୋଜନା ସଂସ୍ଥା ବଙ୍ଗୀୟ ନାୟିକା ଲଭଲିଙ୍କୁ ‘ଡନ୍’ରେ ଅନୁଭବଙ୍କ ବିପକ୍ଷରେ ନାୟିକା ଭୂମିକାରେ ସୁଯୋଗ ଦେଇଥିଲେ। ଏହାପୂର୍ବରୁ ଲଭଲି ବ୍ରଜରାଜ ମୁଭିଜ୍ ଦ୍ଵାରା ପ୍ରଯୋଜିତ ଫିଲ୍ମ ‘ରୋମିଓ ଦ ଲଭରବୟ’ରେ ବାବୁସାନଙ୍କ ଅପୋଜିଟରେ ହିରୋଇନ୍ ହୋଇ ଓଲିଉଡରେ ଡେବ୍ୟୁ କରିଥିଲେ। ‘ଡନ୍’ କିନ୍ତୁ ଲଭଲିଙ୍କ ପାଇଁ ବିଶେଷ ଭଲ ସାବ୍ୟସ୍ତ ହୋଇନଥିଲା। ବର୍ଷା ଛାଡ଼ିଥିବା ଏସବୁ ସିନେମା ଅବଶ୍ୟ ଅନ୍ୟାନ୍ୟ କାରଣରୁ ମଧ୍ୟ ଚର୍ଚ୍ଚାରେ ଥିଲେ।

Comment