ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୮ ରଜବଜାର ପାଇଁ ଓଲିଉଡ ଚଳଚଞ୍ଚଳ ହୋଇଉଠିଛି। ରଜକୁ ଟାର୍ଗେଟ୍ କରି ଦୁଇ କି ତିନି ନୁହେଁ, ବରଂ ଚାରି ଚାରିଟି ସିନେମା ପ୍ରେକ୍ଷାଳୟକୁ ଆଣିବା ପାଇଁ ଯୋଜନା କରୁଛନ୍ତି ପ୍ରଯୋଜନା ସଂସ୍ଥା।

ଏଥର ରଜବଜାରରେ ତ୍ରିମୁଖୀ କି ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି, ତାହା ଏ ଯାଏଁ ଅବଶ୍ୟ ସ୍ପଷ୍ଟ ହୋଇନାହିଁ। କିନ୍ତୁ ତିନିଟି ସିନେମା ରଜବଜାର ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥର ରଜବଜାରରେ ଯେଉଁ ତିନିଟି ଓଡ଼ିଆ ଛବି ପରଦାକୁ ଆସିବ ବୋଲି କୁହାଯାଉଛି, ତାହା ହେଲା ‘ସୁନ୍ଦରଗଡ଼ର ସଲମାନ୍ ଖାନ୍‌’, ‘ପ୍ରେମକୁମାର’ ଏବଂ ‘ଫୋର୍ ଇଡିଏଟ୍ସ’ ।

ଏବେ ଆସନ୍ତୁ ସଂକ୍ଷେପରେ ଜାଣିବା ଏହି ଫିଲ୍ମଗୁଡ଼ିକ ସମ୍ପର୍କରେ…

ସୁନ୍ଦରଗଡ଼ ସଲମାନ୍ ଖାନ୍‌

ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଛି ଏଥର ରଜବଜାରର ଫିଲ୍ମ ‘ସୁନ୍ଦରଗଡ଼ ସଲମାନ୍ ଖାନ୍‌’। ଏଥିରେ ଟାଇଟଲ୍ ରୋଲ୍‌ରେ ଅଛନ୍ତି ଷ୍ଟାରସନ୍ ବାବୁସାନ୍‌। ତାଙ୍କ ବିପକ୍ଷରେ ଏହି ସିନେମାରେ ନାୟିକା ଭୂମିକାରେ ନଜର ଆସିବେ ନ୍ୟୁକମ୍‌ର ଦିବ୍ୟା। ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ଏହା ହେଉଛି ସୁପରଷ୍ଟାର ବାବୁସାନ୍‌ଙ୍କର ପଞ୍ଚମ ସିନେମା।

ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ବାବୁସାନ୍‌ ଆଗରୁ ଲଭଷ୍ଟେସନ ଲଭ ପାଇଁ ‘କୁଛ୍‌ଭି କରେଗା’, ‘ସିଷ୍ଟର ଶ୍ରୀଦେବୀ’ ଓ ‘ହିରୋ ନଂ-୧’ ଓଡ଼ିଆ ଛବିରେ ହିରୋ ବନିଛନ୍ତି।

ରଜ ବଜାରର ଏହି ସିନେମାର ନିର୍ଦ୍ଦେଶନ ଦେଉଛନ୍ତି ଅଶୋକ ପତି। ଏହା ହେଉଛି ତରଙ୍ଗ ସିନେ ପ୍ରଡକ୍ସନରେ ଅଶୋକଙ୍କର ଚତୁର୍ଥ ଓଡ଼ିଆ ସିନେମା। ଆଗରୁ ସେ ଏହି ବ୍ୟାନର ଲଭଷ୍ଟେସନ, ଲଭ୍ ପାଇଁ କୁଛ୍‌ଭି କରେଗା ଓ ସିଷ୍ଟର ଶ୍ରୀଦେବୀ ଆଦି ସିନେମାର ନିର୍ଦ୍ଦେଶନା ଦେଇଥିଲେ।

ରଜ ବଜାରର ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ର ସଂଳାପ ଲେଖିଛନ୍ତି ଅଭିଜ୍ଞ ରଣଜିତ ପଟ୍ଟନାୟକ। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମଦାର। ଏହି ଫିଲ୍ମରେ ମିହିର ଦାସ, ଉଷସୀ ମିଶ୍ର, ଡକ୍ଟର ଅନନ୍ତ ଆଚାର୍ଯ୍ୟ ଓ ପପୁ ପମ୍‌ପମ୍‌ ବି ଅଭିନୟ କରିଛନ୍ତି।

ପ୍ରେମକୁମାର

ଏଥର ରଜବଜାରକୁ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଏକ ଫିଲ୍ମ ଆସୁଛି। ଏହି ଫିଲ୍ମର ଟାଇଟଲ୍ ହେଲା ‘ପ୍ରେମ କୁମାର’

ଏଥର ରଜ ବଜାରର ସିନେମା ‘ପ୍ରେମକୁମାର’ ଏକ ଆକସନ୍ ଓ ରୋମାଣ୍ଟିକ୍ ଫିଲ୍ମ। ଏହି ସିନେମାରେ ଅନୁଭବଙ୍କ ସହ ସ୍କ୍ରିନ ସେଆର କରିଛନ୍ତି ଶିବାନୀ। ଶିବାନୀ ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ସିନେମା ସିଷ୍‌ଟର ଶ୍ରୀଦେବୀରେ ଡେବ୍ୟୁ କରିଥିଲେ।

‘ପ୍ରେମ କୁମାର’ ହେଉଛି ଶିବାନୀଙ୍କ ଏଭଳି ଫିଲ୍ମ ଯେଉଁଥିରେ ସେ ସୁପରଷ୍ଟାର ଅନୁଭବଙ୍କ ବିପକ୍ଷରେ ନଜର ଆସିବେ। ଏହା ହେଉଛି ଅନୁଭବଙ୍କର ତରଙ୍ଗ ସିନେ ପ୍ରଡକ୍ସନରେ ଚତୁର୍ଥ ସିନେମା। ଆଗରୁ ଏହି ବ୍ୟାନରର ଫିଲ୍ମ ଗପ ହେଲେ ବି ସତ, ଜଗା ହାତରେ ପଘା, ଏବଂ

ଅଭୟ ଏ କମନ୍ ମ୍ୟାନ୍ ଆଦି ସିନେମାରେ ହିରୋ ବନିଥିଲେ ସୁପରଷ୍ଟାର ଅନୁଭବ। ‘ପ୍ରେମ କୁମାର’ର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ। ଯିଏକି ଏହି ବ୍ୟାନରର ଫିଲ୍ମ ‘ଇଶ୍କ ତୁ ହିଁ ତୁ’, ‘ତୁ ମୋ’ ଲଭ୍ ଷ୍ଟୋରି’ ଓ ‘ହିରୋ ନଂ-୧’ ଆଦିର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରେମ ଆନନ୍ଦ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ।

ଫୋର୍ ଇଡିଏଟ୍ସ

ଲୋକପ୍ରିୟ ପ୍ରଯୋଜକ ଅକ୍ଷୟ କୁମାର ପରିଜା, ଜଣାଶୁଣା ବିତରକ ପ୍ରଯୋଜକ ପ୍ରକାଶ ଏଣ୍ଟରଟେନମେଣ୍ଟ ଓ ଜି ସାର୍ଥକର ମିଳିତ ଆନୁକୂଲ୍ୟରେ ନିର୍ମିତ ହେଉଛି ‘ଫୋର୍ ଇଡିଅଟ୍ସ’ । ଏହା ବି ରଜବଜାରକୁ ସରଗରମ କରିବ ବୋଲି ଆଶା କରାଯାଉଛି।

‘ଫୋର୍ ଇଡିଅଟ୍ସ’ ଏକ ରୋମାଣ୍ଟିକ୍ କମେଡ଼ି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ବରିଷ୍ଠ ନିର୍ଦ୍ଦେଶକ ବସନ୍ତ ସାହୁ। ରଜନୀ ରଞ୍‌ଜନ ଏହାର ସଂଳାପ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ।

‘ଫୋର ଇଡିଅଟ୍ସ’ରେ ଦର୍ଶକ ଚାରିଟି ଯୋଡ଼ିଙ୍କୁ ଦେଖିବାକୁ ପାଇବେ। ଏମାନେ ହେଲେ ସବ୍ୟସାଚୀ-ଏଲିନା, ଆକାଶ- ପୁନମ୍ ମିଶ୍ର, ପପୁପମ୍‌ପମ୍‌- ଲିପ୍‌ସା ମିଶ୍ର ଏବଂ କୁନା ତ୍ରିପାଠୀ- ଚାନ୍ଦିନୀ। ଏହି ତିନିଟି ସିନେମା ରଜ ବଜାରରେ ରିଲିଜ୍ ହେଲେ ରଜ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି।

Comment