କାଳିକିଙ୍କର 

ମଣିଷ ଆଜି ଭେକ ଓ ଭିକ ଭିତରେ ବିଭେଦ ଓ ବିବାଦକୁ ଆବିସ୍କାର କରିପାରିଛି। ଯିଏ ଯେତେ ଦାମିକା ପୋଷାକ ପିନ୍ଧିଲା ଅର୍ଥାତ୍ ଯାହାର ଭେକ ଯେତେ ମୂଲ୍ୟବାନ ସେ ଲୋକର ଆଜିର ସମାଜରେ ପ୍ରଭାବ ଅସାମାନ୍ୟ।

ଭେକ ଓ ଭୋକ ଦୁଇଟି ଆଧୁନିକ ସମାଜଶାସ୍ତ୍ରରେ ଦିନେ ପ୍ରମୁଖ ସ୍ଥାନ ଗ୍ରହଣ କରିବ ବୋଲି ପ୍ରସିଦ୍ଧ ଇଂରାଜୀ ଲେଖକ ଜେ.ବି.ଏସ. ହେଲଡେନ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିଲେ। ମଣିଷର ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନର ଅବଧାରଣା ଦେବାକୁ ଯାଇ ସେ କହିଥିଲେ ଯେ ଏ ତିନୋଟି ମୌଳିକ ଆବଶ୍ୟକତା ମଣିଷ ଭିତରେ ସବୁକାଳରେ ବିଦ୍ୟମାନ ରହିବ କିନ୍ତୁ ତାହା ସମୟ କ୍ରମେ ଭେକ ଓ ଭିକର ପରିଭାଷା ଭିତରେ ହୁଏତ ଆପଣାର ଅସ୍ତିତ୍ୱକୁ ଖୋଜିହେବ।

ଭେକ ଅର୍ଥାତ୍ ପୋଷାକ ପରିଚ୍ଛଦ ଯାହା ସଭ୍ୟ ମଣିଷର ଅତ୍ୟନ୍ତ ଆବଶ୍ୟକ। ଇତିହାସରେ ଆମେ ଜାଣିଛୁ ଯେ ମଣିଷ ପ୍ରଥମେ ବସ୍ତ୍ରହୀନ ଜୀବନ ବିତାଉଥିଲା ଓ କାଳକ୍ରମେ ସେ ଆପଣା ଭିତରେ ଲଜ୍ଜାବୋଧକୁ ପ୍ରଥମେ ଆବିସ୍କାର କଲା। ସେହି ଲଜ୍ଜାବୋଧରୁ ଭେକ ଅର୍ଥାତ୍ ପୋଷାକର ଜନ୍ମହେଲା ବୋଲି ଅନୁମାନ କରାଯାଇପାରେ। ମଣିଷ ପୋଷାକ ଭାବରେ ପ୍ରଥମେ ଗଛର ପତ୍ର, ଡାଳ, ଫୁଲ ଓ ତାପରେ ଗଛର ବକ୍କଳ କୁ ବ୍ୟବହାର କଲା। ଏହାହିଁ ତାର ଆଦ୍ୟପୋଷାକ।

ସେତେବେଳେ ମଣିଷ ଭିତରେ ନା ଥିଲା ବିଭେଦ ବା ବିବାଦ। କିନ୍ତୁ ସମୟକ୍ରମେ ମଣିଷ ଆଜି ଭେକ ଓ ଭିକ ଭିତରେ ବିଭେଦ ଓ ବିବାଦକୁ ଆବିସ୍କାର କରିପାରିଛି। ଯିଏ ଯେତେ ଦାମିକା ପୋଷାକ ପିନ୍ଧିଲା ଅର୍ଥାତ୍ ଯାହାର ଭେକ ଯେତେ ମୂଲ୍ୟବାନ ସେ ଲୋକର ଆଜିର ସମାଜରେ ପ୍ରଭାବ ଅସାମାନ୍ୟ। ଧନୀକ ଶ୍ରେଣୀର ଲୋକେ ଲକ୍ଷ ଲକ୍ଷ ଟଙ୍କାର ପୋଷାକ ପରିଧାନ କରନ୍ତି କିନ୍ତୁ ସାଧାରଣ ମଣିଷର ପୋଷାକ ହୁଏତ ଗୋଟିଏ ଧୋତି କି ଗାମୁଛା, ଗୋଟିଏ ଶାଢୀ କି ଗୋଟିଏ ଓଢଣା। ଅନେକ ଲୋକେ ଖୁବ୍ କମ୍ ବସ୍ତ୍ରରେ ଜୀବନ ନିର୍ବାହ କରନ୍ତି। ତାଙ୍କର ଆର୍ଥିକ ସ୍ଥିତି ଏତେ ଭଲନୁହେଁ ବୋଲି ସମାଜରେ ପ୍ରତିପାଦିତ।

ସାଧୁ କି ସନ୍ୟାସୀର ଭେକ ବା ପୋଷାକ ଦେଖିଲେ ଜଣାପଡ଼େ ଯେ ସେ ଜଣେ ଭିନ୍ନ ମଣିଷ। କାମନା ବାସନାରୁ ନିଜକୁ ଦୂରେଇ ନେଇ ଈଶ୍ୱରୋନ୍ମୁଖୀ ହେଉଥିବା ଏ ମଣିଷମାନେ ହେଲେ ସାଧୁ ସନ୍ୟାସୀ। ସେମିତି ପୋଲିସ୍ କିମ୍ବା ସେନାବାହିନୀ ସମେତ ଶୃଙ୍ଖଳା ଓ ସୁରକ୍ଷାରେ ଲାଗିଥିବା ଲୋକଙ୍କ ଭେକ ବା ପୋଷାକ ଭିନ୍ନ। ଆଜିକାଲି ସ୍କୁଲ କଲେଜ ମାନଙ୍କରେ ମଧ୍ୟ ନିର୍ଦ୍ଧାରିତ ପୋଷାକ ରହିଲାଣି।  ଏହା ଭଲକଥା। ପୋଷାକ ଦେଖି କହିହେବ ଯେ ଏ ବ୍ୟକ୍ତିର ପରିଚୟ କଣ ?

ତେବେ ରାଜନେତାମାନଙ୍କର ଭେକ ବିଷୟରେ ଏ ପର୍ଯ୍ୟନ୍ତ ସେମିତି ବିଶେଷ ନିୟମ ପ୍ରାୟ ତିଆରି ହୋଇପାରିନି। ଜଣେ ନେତା କିମ୍ବା ମନ୍ତ୍ରୀ ଦିନ ଭିତରେ ଦଶଥର ପୋଷାକ ମଧ୍ୟ ପରିବର୍ତ୍ତନ କରନ୍ତି। ସେମାନଙ୍କର ପୋଷାକ ମଧ୍ୟ ବିଶେଷ ଡିଜାଇନର ତିଆରି କରାଇଥାନ୍ତି। କେତେବେଳେ କେଉଁ ପୋଷାକ ସେ ପିନ୍ଧିବେ ତାହା ମଧ୍ୟ ସେମାନେ ତାଲିକା କରନ୍ତି। ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ଆମେରିକାର ରାଷ୍ଟ୍ରପତି ସବୁଠି ଏହି ଭେକ ଭିତରେ ଏକ ସ୍ୱତନ୍ତ୍ର ଭୋକର ଆଭାସ୍ ଦେଖିବାକୁ ମିଳେ। ଦେଶର ଜନତାର ସୁଖ ଦୁଃଖର କଥା ଖୁବ୍ କରନ୍ତି ଏ ନେତାମାନେ କିନ୍ତୁ ବାସ୍ତବରେ ସେହି ଭେକ ଭିତରର ଭୋକ ବା ଲାଳସା ଥାଏ କେବଳ କ୍ଷମତା ହାସଲ କରିବା। ଆଜିକାଲି କେବଳ ପୋଷାକ ବା ଭେକ ଭିତରେ ଭୋକ ନ ଥାଏ ଏମିତିକି ଭେଳିକି ଭେଳିକି କଥାର ଭୋକରେ ସେମାନେ ଜନତାଙ୍କୁ ଭ୍ରମିତ କରିବାର ସମସ୍ତ ପ୍ରୟାସ କରନ୍ତି। ବିଚରା ଜନତା ଏମାନଙ୍କ ଭେକ ଦେଖେ, ଭେଳିକି ଭେଳିକି କଥା ଓ ଅଭିନୟ ଦେଖେ। କିନ୍ତୁ ସେମାନଙ୍କର ଭେକ ଓ ଭେଳିକି ଭିତରେ ଭୋକକୁ ଦେଖିପାରେନାହିଁ। ସେମାନେ ଭକୁଆ ସାଜନ୍ତି। ଭକୁଆ ଅର୍ଥ ପ୍ରତାରିତ ହୁଅନ୍ତି।

ଜାତିର ପିତା ମହାତ୍ମା ଗାନ୍ଧି  ସେଥିପାଇଁ ଏକ ଖୁବ୍ ସରଳ ଆହ୍ୱାନ ଦେଶବାସୀଙ୍କୁ ଦେଇଥିଲେ ଯେ କାଟି ପିନ୍ଧ ଓ କୁଟି ଖାଅ। କାଟି ପିନ୍ଧିବାର ଅର୍ଥ ନିଜେ ଚରଖାଚଳାଇ ବସ୍ତ୍ର ତିଆରି କରି ପିନ୍ଧ ଓ ବିଦେଶୀ ପୋଷାକ ବର୍ଜନ କର। ସେ ଅତ୍ୟନ୍ତ ସରଳ ଜୀବନ ଯାପନ କରୁଥିଲେ। ଏକ ଧୋତି ତିଆରି କରି ସେ ତାଙ୍କ ଅଙ୍ଗକୁ ଢାଙ୍କିଥିଲେ।  ବିଦେଶୀ ପୋଷାକ ବର୍ଜନ କଲେ। ବଂକିମହାମ୍ ପ୍ୟାଲେସରେ ସେ ଦେଶର ପ୍ରଧାନମନ୍ତ୍ରୀ ଆଗରେ ବସିଲେ, ସେ ନେତାଙ୍କର ଆଖି ଝଲସି ଗଲା।  ଗାନ୍ଧି ଏକ ଅନନ୍ୟ ଛାପ ଛାଡ଼ିଲେ। ତାଙ୍କ ଭିତରେ ଭୋକଥିଲା ଦେଶର ବିକାଶ, ଜନତାର କଲ୍ୟାଣ। କିନ୍ତୁ ଆଜି ସେ ଭୋକ ଓ ଭେକ ବଦଳିଯାଇଛି। ସ୍ୱାଧୀନ ଭାରତରେ ନେତାମାନେ ବିଦେଶୀ ପୋଷାକକୁ ଆଦରିଲେ, ବିଦେଶୀ ଚଳଣୀକୁ ପସନ୍ଦ କଲେ, ବିଦେଶୀ ସଂସ୍କୃତି ଭିତରେ ଏ ଦେଶର ଅସ୍ମିତାକୁ ଜଳାଞ୍ଜଳି ଦେବାରେ ଲାଗିଲେ।

ଖୁବ୍ ଶାନ୍ତ ମନୋସ୍ଥିତିରେ ବିଚାର କଲେ ଜଣାଯାଏ ଯେ ଆମେ ଆଜି କେଉଁମାନଙ୍କ ଦ୍ୱାରା ଶାସିତ ହେଉଛୁ। ଆମେ ଭେକ ଦେଖି ବୁଝିବାରେ ଲାଗିଲୁଣି ଯେ କିଏ କେତେ ସତ କିଏ କେତେ ମିଛ। ଧିରେ ଧିରେ ଏ ଦେଶର ଜନତା ଭେକ ଓ ଭୋକକୁ ଚିହ୍ନିବାରେ ପ୍ରୟାସ କଲାଣି। ସେଥିପାଇଁ ଆଜିକାଲି ଏକଜିଟ୍ ପୋଲ ଫେଲ ମାରୁଛି। ଭଣ୍ଡ ସାଧୁ ଓ ନେତା ଧରାପଡ଼ି ଜେଲ୍ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ବାଚନ ହାରୁଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ହାରୁଛନ୍ତି। ଭେକ ଭିତରେ କିନ୍ତୁ ଯେତେ ଭୋକ ରହିଛି ସେ ସବୁ ଭୋକ ଧିରେ ଧିରେ ଜନତା ଜାଣିବେ ଓ ବୁଝିବେ। ଯେତେପର୍ଯ୍ୟନ୍ତ ବୁଝିପାରିବେ ନାହିଁ ସେତେପର୍ଯ୍ୟନ୍ତ ଆମଦେଶକୁ ପ୍ରକୃତ ଲୋକତନ୍ତ୍ର ଆସିପାରିବ ନାହିଁ।

ମହାତ୍ମାଗାନ୍ଧି କହିଲେ କୁଟି ଖାଅ ଅର୍ଥାତ୍ ପରିଶ୍ରମରେ ଜିଇଁବା ଶିଖ। କିନ୍ତୁ ମଣିଷମାନେ ସହଜ ଅର୍ଥ କେମିତି ରୋଜଗାର ହେବ, ରାତିକରେ ହାତୀଏ ଧନ କେମିତି ଆସିବ, ଆଖି ପିଚୁଳାକେ ରାଜସିଂହାସନ କେମିତ ପ୍ରାପ୍ତ ହେବ ସେହି ଯୋଜନାରେ ବ୍ୟସ୍ତ। ଶ୍ରମୟେବ ଜୟତେ, ସତ୍ୟୟେବ ଜୟତେ ହେଉଛି ଆମଦେଶର ମୂଳମନ୍ତ୍ର। କିନ୍ତୁ ସତ୍ୟ ଓ ଶ୍ରମର ଭୋକକୁ ଭୁଲିବାରେ ଲାଗିଲେଣି ଏ ଦେଶର ଜନତା। ଏକ ବିଶେଷ ପରିବର୍ତ୍ତନର ଆବଶ୍ୟକତା ରହିଛି ତେବେ ଯାଇ ଏ ଦେଶରେ ସମସ୍ତଙ୍କୁ ସମାନ ଭେକ ଓ ସମାନ ଭିକ ପ୍ରାପ୍ତ ହେବ।

ତା’ ନହେଲେ ଏମିତି ଭେକ ଭିତରେ ଲୁଚି ଲୁଚି ଆମ ଅସ୍ତିତ୍ୱକୁ ଦୋହଲାଇ ଚାଲିଥିବ ଯେତେ ଭୋକ।

(ଏହା ହେଉଛି ଲେଖକଙ୍କର ନିଜସ୍ୱ ପରିଚୟ। ଏଥିରେ ଓଡ଼ିଶାଲାଇଭ୍ ସମ୍ପାଦନା ମଣ୍ଡଳୀର କୌଣସି ସଂପୃକ୍ତି ନାହିଁ)

Comment