ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୪ଘଣ୍ଟା ମଧ୍ୟରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼  ନିଷ୍ପତ୍ତି। ଶନିବାର ଦିନ ୪ଟାବେଳେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏକେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ବେଞ୍ଚ ଶୁକ୍ରବାରଦିନ କର୍ଣ୍ଣାଟକ ମାମଲାରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ବହୁମତ ସାବ୍ୟସ୍ତ କରିବା ପାଇଁ ବିଜେପି ୭ଦିନ ସମୟ ମାଗିଥିବାବେଳେ ସୁପ୍ରିମକୋର୍ଟ ୨୪ଘଣ୍ଟା ମଧ୍ୟରେ ବହୁମତ ପରୀକ୍ଷା ଦେବାକୁ ବିଜେପିକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କାଲି ଅପରାହ୍ନ ୪ଟାରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ୟେଦ୍ୟୁରପ୍ପା।

ସ୍ପଷ୍ଟ ବହୁମତ ନଥାଇ କର୍ଣ୍ଣାଟକରେ ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ଚାଲେଞ୍ଜ କରି ଗତକାଲି ରାତିରେ କଂଗ୍ରେସ ଏବଂ ଜେଡିଏସ୍‌ ଯେଉଁ ପିଟିସନ ଦାଖଲ କରିଥିଲେ। ମାମଲାର ବିଚାର ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ସୁପ୍ରିମକୋର୍ଟର ଏକ ୩ ଜଣିଆ ବେଞ୍ଚ ଗଠନ କରିଥିଲେ। ଏହି ବେଞ୍ଚ ଗତକାଲି ସକାଳେ ୟେଦୁରପ୍ପାଙ୍କ ଶପଥଗ୍ରହଣ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନ ଥିଲେ ମଧ୍ୟ ଶୁକ୍ରବାରଦିନ ରାଜ୍ୟପାଳଙ୍କୁ ଦେଇଥିବା ଚିଠି ସୁପ୍ରିମକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ଶୁଣାଣି ଶୁକ୍ରବାରଦିନ ସକାଳ ସାଢ଼େ ୧୦ଟାବେଳେ ଆରମ୍ଭ ହୋଇଥିଲା।

କଂଗ୍ରେସ ଓ ଜେଡିଏସ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭି ଯେତେ ଶିଘ୍ର ସମ୍ଭବ ବିଧାନସଭାରେ ଶକ୍ତି ପରୀକ୍ଷା କରାଯାଉ ବୋଲି ଦାବି କରିଥିଲେ। ମାତ୍ର ବିଜେପି ପକ୍ଷରୁ ଲଢ଼ୁଥିବା ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ ଅନ୍ତତଃ ବହୁମତ ସାବ୍ୟସ୍ତ କରିବା ପାଇଁ ୟେଦୁରପ୍ପାଙ୍କୁ ୭ ଦିନ ସମୟ ଦିଆଯାଉ। ମାତ୍ର ସୁପ୍ରିମକୋର୍ଟ ଏହି ପ୍ରସ୍ତାବକୁ ଖାରଜ କରି ଶନିବାର ଅପରାହ୍ଣ ୪ଟା ସୁଦ୍ଧା ୟେଦୁରପ୍ପା ବିଧାନସଭାରେ ବହୁମତ ପରୀକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ବିଧାସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ରାଜ୍ୟପାଳ ୟେଦୁରପ୍ପାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସୁପ୍ରିମକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

Comment