ଓଡ଼ିଶାଲାଇଭ୍ ବ୍ୟୁରୋ

ଉଦ୍ୟୋଗ ପ୍ରତିଷ୍ଠା ଓ ବିକାଶ ପାଇଁ ଓଡ଼ିଶାରେ ଆସିଛି ଅନୁକୂଳ ପରିବେଶ। ଭାରତରେ ଓଡ଼ିଶା  ଏକ ପ୍ରମୁଖ ଶିଳ୍ପ ହବ୍ ଭାବେ ପରିଚୟ ହାସଲ କରିବାକୁ ଯାଉଛି।

ଦିନେ ଶିଳ୍ପ ଏବଂ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଓଡ଼ିଶା ଥିଲା ଏକ ପଛୁଆ ରାଜ୍ୟ। ହେଲେ ଆଗାମୀ ଦିନରେ ଓଡ଼ିଶା ଏକ ଅତ୍ୟାଧୁନିକ ଶିଳ୍ପ ହବ୍ ହେବାକୁ ଯାଉଛି। ଫୁଡ୍ ପ୍ରୋସେସିଂ, ଆଇଟି ଏବଂ ଆଇଟିଇଏସ, ଧାତବ ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଆଦି କ୍ଷେତ୍ରରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ଉପରେ ଏବେ ଦେଶବିଦେଶର ପ୍ରମୁଖ କମ୍ପାନିମାନଙ୍କର ନଜର। ବିଶେଷକରି ସରକାରୀ ଏବଂ ଘରୋଇ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୀତିକ ଜୋନ୍ ଓ ଔଦ୍ୟୋଗିକ ଉଦ୍ୟାନ ପ୍ରତିଷ୍ଠା ଯୋଗୁଁ ଓଡ଼ିଶା ଶିଳ୍ପ ସମୃଦ୍ଧି ଦିଗରେ ଦେଶର ଏକ ନୂଆ ଡେଷ୍ଟିନେସନ ଭାବେ ଉଭା ହୋଇଛି।

୨୦୧୬ ନଭେମ୍ବର ମାସରେ ଭୁବନେଶ୍ୱରଠାରେ ହୋଇଥିବା ‘ମେକ୍ ଇନ୍ ଓଡ଼ିଶା’ କନକ୍ଲେଭରେ ଦେଶବିଦେଶର ଅଗ୍ରଣୀ ଶିଳ୍ପ ପ୍ରତିଷ୍ଠାନର ନିର୍ଦ୍ଦେଶକ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୮୪ଟି ଶିଳ୍ପ ସଂସ୍ଥା ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ତା’ ଭିତରୁ ୫୫ଟି ସଂସ୍ଥା ୭୯,୩୬୯.୫୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାର ଏହି ପ୍ରକଳ୍ପ ଅନୁମୋଦନ କରିବା ଫଳରେ ୩୦,୦୦୦ରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି ହୋଇପାରିଛି। ୨୦୧୬ର ସଫଳତାକୁ ନେଇ ଉତ୍ସାହିତ ଥିବା ସରକାର ଚଳିତ ବର୍ଷ ନଭେମ୍ବର ମାସରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ୱିତୀୟ ସଂସ୍କରଣ କରିବାକୁ ଯାଉଛନ୍ତି। ଏହା କିଭଳି ଓଡ଼ିଶା ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବ ସେ ଦିଗରେ ସବୁପ୍ରକାର ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାରେ ବିଭିନ୍ନ ପ୍ରକାର ଶିଳ୍ପ ପ୍ରତିଷ୍ଠା ଓ ପରିଚାଳନା ପୂର୍ବ ଅପେକ୍ଷା ଅଧିକ ସହଜ ହୋଇପାରିଛି। ଶିଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମି, ସରକାରୀ ସହଯୋଗ ଏବଂ ଔଦ୍ୟୋଗିକ ପରିବେଶରେ ବେଶ୍ ଉନ୍ନତି ଆସିଥିବାରୁ ଅନେକ ଶିଳ୍ପ ସଂସ୍ଥା ଏବେ ଓଡ଼ିଶା-ମୁହାଁ ହୋଇଛନ୍ତି। ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ଧାରାରେ ଓଡ଼ିଶା ମଧ୍ୟ ଏକ ଅନୁକୂଳ ଲକ୍ଷ୍ୟସ୍ଥଳ ହୋଇପାରିଛି। ତା’ ସାଙ୍ଗକୁ ଗୋ-ସ୍ୱିଫ୍ଟ ସଫ୍ଟଓୟାର ଲାଗୁକରି ଓଡ଼ିଶା ଶିଳ୍ପ ବିଭାଗ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗେଇ ଆସୁଥିବା ଉଦ୍ୟୋଗୀମାନଙ୍କ ଆବେଦନ ପ୍ରକ୍ରିୟାକୁ ସରଳ କରିଦେଇଛନ୍ତି। ଆଗରୁ ପ୍ରକଳ୍ପ ପ୍ରତିଷ୍ଠା ସଂକ୍ରାନ୍ତ ବିଭିନ୍ନ ଅନୁମୋଦନ ଲାଗି ହାରାହାରି ୪୧୨ ଦିନ ସମୟ ଲାଗୁଥିବା ବେଳେ ଏବେ ତା’କୁ ମାତ୍ର ୨୦ ଦିନକୁ ହ୍ରାସ କରାଯାଇଛି। ଏହି ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ୍ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଧାରାକୁ ଅଧିକ ତ୍ୱରାନ୍ୱିତ କରିବାରେ ବେଶ୍ ସହାୟକ ହୋଇପାରିଛି।

ରାଜ୍ୟରେ ଶିଳ୍ପ ସମୃଦ୍ଧି ପାଇଁ ନୂତନ ଶିଳ୍ପ ନୀତି ୨୦୧୫ ଲାଗୁ ହୋଇଛି। ଏହା ଦେଶର ଏକ ଉଦ୍ୟୋଗ-ଅନୁକୂଳ ଶିଳ୍ପ ନୀତି ଅନୁସାରେ ପରିଚିତ। ରାଜ୍ୟରେ ନିମ୍ନମୁଖୀ ତଥା ଆନୁସଙ୍ଗିକ ପ୍ରକଳ୍ପ କ୍ଷେତ୍ରରେ ନିବେଶଜନିତ ଅଭିବୃଦ୍ଧି ସାଧନ ଲାଗି ଶିଳ୍ପ ବିଭାଗ ଗୁରୁତ୍ୱ ଦେଇଆସୁଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନାଲକୋ ସହାୟତାରେ ଅନୁଗୁଳୁଠାରେ ଏକ ଆଲୁମିନିୟମ୍ ପାର୍କ ପ୍ରତିଷ୍ଠା ପାଇଁ କାର୍ଯ୍ୟ ଜାରି ରହିଛି। ଏ ବାବଦରେ ୧୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ଲାଗି ୧୦ରୁ ଅଧିକ ପ୍ରସ୍ତାବ ଆସିଛି। ସେହିପରି ବେସରକାରୀ ଶିଳ୍ପ ଉଦ୍ୟାନ (ଇଣ୍ଡଷ୍ଟ୍ରିଆଲ୍ ପାର୍କ) ପ୍ରତିଷ୍ଠା ଲାଗି ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍, ବେଦାନ୍ତ ଓ ଟାଟାଷ୍ଟିଲ୍ ନିମିତ୍ତ ଅନ୍ୟ ଉଦ୍ୟୋଗକାରୀଙ୍କ ଦ୍ୱାରା ବିଭିନ୍ନ ଡାଉନଷ୍ଟ୍ରିମ୍ ଶିଳ୍ପ ଉଦ୍ୟାନ ପ୍ରତିଷ୍ଠା ଲାଗି ସମ୍ଭାବନା ରହିଛି।

ସେହିପରି ୨୦୩୦ ସୁଦ୍ଧା ରାଜ୍ୟରେ ଉତ୍ପାଦିତ ମୌଳିକ ଧାତୁ କ୍ଷେତ୍ରରେ ଶତକଡ଼ା ୫୦ ଭାଗରୁ ଅଧିକ ମୂଲ୍ୟଯୁକ୍ତ ଉତ୍ପାଦନ ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ଡାଉନଷ୍ଟ୍ରିମ୍ ଏବଂ ଆନ୍ସିଲାରୀ ଶିଳ୍ପ ପ୍ରତିଷ୍ଠା ଲାଗି ଯୋଜନା ଓ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଦେଶବିଦେଶର ଶିଳ୍ପ ସଂସ୍ଥାଠାରୁ ପ୍ରସ୍ତାବ ସରକାରଙ୍କ ପାଖକୁ ଆସିଛି ଏବଂ ତାହା ମଧ୍ୟରୁ ଅନେକ ପର୍ଯ୍ୟାୟକ୍ରମେ ଅନୁମୋଦିତ ହୋଇଛି। ଏହି ଧାରାରେ ଓଡ଼ିଶାରେ ଆଗାମୀ ଦିନରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶର ସମ୍ଭାବନା ସୃଷ୍ଟି ହୋଇଛି।

ଏକ ସ୍ଥିର ସରକାର, ଶିଳ୍ପ-ଅନୁକୂଳ ନୀତି, ରାଜ୍ୟର ୪୮୦ କିଲୋମିଟର ବ୍ୟାପି ବେଳାଭୂମିରେ ଗୋପାଳପୁର, ପାରାଦ୍ୱୀପ ଏବଂ ଧାମରା ଭଳି ତିନୋଟି ପ୍ରମୁଖ ବନ୍ଦର, ବ୍ୟାପକ ଖଣିଜ ସମ୍ପଦ, ବିଦୁ୍ୟତ ଶକ୍ତି, କୁଶଳୀ ମାନବସମ୍ବଳ ଆଦି ଥିବାରୁ ଓଡ଼ିଶା ଆଧୁନିକ ଶିଳ୍ପ ବିକାଶ ପାଇଁ ଏକ ଆକର୍ଷଣ ହୋଇପାରିଛି। ରାଜ୍ୟରେ ଆଇଆଇଟି, ଆଇଆଇଏମ୍, ଏମ୍ସ ଏବଂ ଏନଆଇଟି ଭଳି ଜାତୀୟ ସ୍ତରର ଶିକ୍ଷା ଓ ତାଲିମ ଅନୁଷ୍ଠାନ ରହିଛି। ଓଡ଼ିଶାର ପରିବେଶ ଏବଂ ଜନସାଧାରଣ ମଧ୍ୟ ଉଦ୍ୟୋଗ ବିକାଶ କ୍ଷେତ୍ରରେ ଏକ ସକରାତ୍ମକ ଦିଗ ବୋଲି ବିଚାର କରାଯାଉଛି। ଏ ସବୁ ଛଡ଼ା ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶିଳ୍ପ ପାଇଁ ସୃଷ୍ଟି କରିଥିବା ଏକ ଲକ୍ଷ ଏକରରୁ ଅଧିକ ପରିମାଣର ଲ୍ୟାଣ୍ଡବ୍ୟାଙ୍କ୍ ଶିଳ୍ପ ବିକାଶ କ୍ଷେତ୍ରରେ ଏକ ବିରାଟ ସମ୍ଭାବନା ସୃଷ୍ଟି କରିଛି।

ରାଜ୍ୟରେ ଡିଫେନ୍ସ ଇଣ୍ଡଷ୍ଟ୍ରି କରିଡର ଏବଂ ଏରୋନଟିକାଲ୍ ୟୁନିଭର୍ସିଟି ପ୍ରତିଷ୍ଠା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭାରତର ସାମରିକ ବିକାଶ ଏବଂ ମହାକାଶ ଗବେଷଣା କ୍ଷେତ୍ରକୁ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସୁଛି। କୋରାପୁଟର ସୁନାବେଡ଼ାରେ ଥିବା ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍), ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ୍ ରେଞ୍ଜ୍ ବାଲେଶ୍ୱରର ଡିଆରଡିଓ ଲାବୋରାଟୋରି ଏବଂ ବଲାଙ୍ଗୀର ଜିଲ୍ଲାର ସଇଁତଳ ସ୍ଥିତ ଅଡାନ୍ସ ଫ୍ୟାକ୍ଟି୍ର ଭାରତର ସାମରିକ ମାନଚିତ୍ରରେ ସ୍ଥାନ ପାଇଛି। ତେଣୁ ଓଡ଼ିଶାରେ ଏକ ସାମରିକ ଶିଳ୍ପ କରିଡର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚିଠିରେ ଲେଖିଛନ୍ତି।

ଓଡ଼ିଶା ଖୁବ୍ ଶୀଘ୍ର ଏକ ନିର୍ଦ୍ଦିଷ୍ଟ ଡିଫେନ୍ସ ଏବଂ ଏରୋସ୍ପେସ୍ ମ୍ୟାନୁଫ୍ୟାକ୍ଚରିଂ ନୀତି ପ୍ରଣୟନ କରିବାକୁ ଯାଉଛି। ଏହି ନୀତି ଅନୁଯାୟୀ ରାଜ୍ୟରେ ସାମରିକ ଓ ମହାକାଶ ବିଜ୍ଞାନଜନିତ ପ୍ରମୁଖ ଏବଂ ଆନୁସଂଗିକ ଉଦ୍ୟୋଗ ପ୍ରତିଷ୍ଠା ଲାଗି କ୍ଲଷ୍ଟର ସୁବିଧା କରାଯିବ। ଓଡ଼ିଶାରେ ଅନେକ ଶିଳ୍ପ ଅନୁକୂଳ ଉପାଦାନ ରହିଥିବାରୁ ଏଠାରେ ଏ ଧରଣର ଉଦ୍ୟୋଗ ପ୍ରତିଷ୍ଠା ହେଲେ ଉତ୍ପାଦନ ଖର୍ଚ୍ଚ କମ୍ ରହିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି କୋରାପୁଟ ସ୍ଥିତ ହାଲ୍ ସହିତ ସହଭାଗିତାରେ ଦେଶର ପ୍ରସ୍ତାବିତ ଏରୋନଟିକାଲ ବିଶ୍ୱବିଦ୍ୟାଳୟକୁ ଓଡ଼ିଶାରେ ପ୍ରତିଷ୍ଠା କରିବାକୁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି।

ଇସ୍ପାତ ଓ ଆଲୁମିନିୟମ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଆ ଆଜି ଦେଶରେ ଏକ ନମ୍ବର ରାଜ୍ୟ। ସେହିପରି ଆଇଟି କ୍ଷେତ୍ରରେ ମଧ୍ୟ ଓଡ଼ିଶା ନିଜ ପାଇଁ ସମ୍ମାନଜନକ ସ୍ଥିତି ସୃଷ୍ଟି କରିଛି। ଆଗାମୀ ଦିନରେ ରାଜ୍ୟରେ ଅଢେ଼ଇ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ସହ ୩୦ ଲକ୍ଷ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ରାଜ୍ୟରେ ବଡ଼ ଓ ମଧ୍ୟମ ଧରଣର ବିଭିନ୍ନ ଧାତବ ଶିଳ୍ପ, କେମିକାଲ୍ସ, ପ୍ଲାଷ୍ଟିକ୍ ଓ ପେଟ୍ରୋକେମିକାଲ୍ସ, ଆଇଟି, ଇଲେକ୍ଟେ୍ରାନିକ୍ସ ମ୍ୟାନୁଫ୍ୟାକ୍ଚରିଂ, କୃଷି ଓ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଏବଂ ଟେକ୍ସାଟାଇଲ୍ସ ଓ ପୋଷାକ ଶିଳ୍ପ ପ୍ରତିଷ୍ଠା ଉପରେ ସରକାର ଜୋର୍ ଦେଉଛନ୍ତି।

Comment