ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳରେ ନିପା ଭାଇରସ୍ ୧୪ ଜଣଙ୍କ ଜୀବନ ନେବା ପରେ ଓଡ଼ିଶା ସରକାର ୩ ଜଣିଆ ଟିମ୍ ଗଠନ କରିଛନ୍ତି।

କେରଳରେ ନିପା ଭାଇରସ ଆତଙ୍କ ଖେଳାଇବା ପରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କତା ମୂଳକ ପଦକ୍ଷେପ ନେଇଛି। ୩ ଜଣିଆ ଟିମ୍ ଗଠନ କରି ଏହି ଭାଇରସ୍ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ପରାମର୍ଶ ଦିଆଯାଇଛି। ବାଦୁଡ଼ିଠାରୁ ସଂକ୍ରମିତ ହେଉଥିବା ଏହି ଭୂତାଣୁର ମୁକାବିଲା ପାଇଁ ପରାମର୍ଶ ପୁସ୍ତିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ।

କେରଳରେ ଏହି ନିପା ଭାଇରସ ୧୪ ଜଣଙ୍କ ଜୀବନ ନେଇଛି। କେରରୁ କର୍ଣ୍ଣାଟକକୁ ଏହି ଭାଇରସ୍ ବ୍ୟାପିଛି। ଏହାକୁ ନେଇ ସାରା ଦେଶବାସୀ ଆତଙ୍କିତ ହୋଇଯାଇଛନ୍ତି। ଏହି ଭାଇରସ୍ ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ବାହାରି ନାହିଁ। ଏଣୁ ଏଥିପାଇଁ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ଭାଇରସର ମୁକାବିଲା ପାଇଁ ସଜାଗ ରହିବାକୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 ‘ନିପାଭାଇରସ୍ ?

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି, ‘ନିପା’ ଭାଇରସ୍ ବାଦୁଡ଼ିଠାରୁ ସଂକ୍ରମିତ ହୋଇଥାଏ। ବାଦୁଡ଼ି ଯେଉଁ ଫଳ ଖାଏ ସେହି ଫଳ ଖାଇଲେ ମଣିଷ ଓ ପଶୁପକ୍ଷୀଙ୍କୁ ମଧ୍ୟ ନିପା ଭାଇରସ୍ ଆକ୍ରମଣ କରିଥାଏ।

ନିପାଭାଇରସ୍‌ର ସୃଷ୍ଟି

୧୯୯୮ରେ ପ୍ରଥମଥର ପାଇଁ ମାଲେସିଆର କାମ୍ପୁଗ ସୁଗଇରେ ପ୍ରଥମେ ‘ନିପା’ ଭାଇରସ୍‌ ଆକ୍ରାନ୍ତ ଘଟଣା ସାମ୍ନାକୁ ଆସିଥିଲା। ସ୍ଥାନ ଅନୁଯାୟୀ ଏହି ଭାଇରସ୍‌ର ନାଁ ଦିଆଯାଇଥିଲା ‘ନିପା’। ଶେଷଥର ପାଇଁ ୨୦୦୪ରେ ବାଲାଂଦେଶରେ ‘ନିପା’ ଭାଇରସ୍ କାୟା ବିସ୍ତାର କରିଥିଲା।

ନିପାଭାଇରସ ସଂକ୍ରମଣର ଲକ୍ଷଣ

‘ନିପା’ ଭାଇରସରେ ଆକ୍ରାନ୍ତ ବ୍ୟକ୍ତି ନିଶ୍ଵାସ ନେବାରେ କଷ୍ଟ ଅନୂଭବ କରିଥାଏ।  ମସ୍ତିଷ୍କ ପୋଡ଼ାଜଳା ହୁଏ, ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା, ଜ୍ଵର ହେବା ଆଦି ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ। ଡାକ୍ତରଙ୍କ କହିବା ଅନୁଯାୟୀ ମାତ୍ର ୨୪ ଘଣ୍ଟା ଭିତରେ ‘ନିପା’ ଭାଇରସ୍ ଶରୀରର ବିଭିନ୍ନ ଅଙ୍ଗକୁ ଆକ୍ରମଣ କରି ରୋଗୀକୁ କୋମାକୁ ନେଇଯାଏ। ସଠିକ୍ ସମୟରେ ଚିକିତ୍ସା କରାଗଲେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ବଞ୍ଚିବା ସମ୍ଭାବନା କମ୍ ଥାଏ।

କେମିତି ନିଜକୁ ସୁରକ୍ଷିତ ରଖିବେ

ଏପର୍ଯ୍ୟନ୍ତ ‘ନିପା’ ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ପାଇଁ କୌଣସି ଭାକସିନ୍‌ ବାହାରି ନାହିଁ। ଖଜୁରୀ କୋଳି ଖାଇବାଠାରୁ ଦୂରେଇ ରହିବା ଉଚିତ। ଗଛରୁ ତଳେ ପଡ଼ିଥିବା ଫଳ ଖାଇବା ଉଚିତ ନୁହେଁ। ଆକ୍ରାନ୍ତ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ଏହି ଭାଇରସ୍ ଖୁବ୍ ଶିଘ୍ର ଡେଉଁ ଥିବାରୁ ରୋଗୀଠାରୁ ଦୂରେଇ ରହିବା ଆବଶ୍ୟକ।

Comment