ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ଓଲିଉଡର ଚାରି ଜଣ ଟପ୍ ହିରୋଙ୍କ ହିରୋଇନ୍ ବନିଛନ୍ତି। ଆଗରୁ ଏହି ସୁଯୋଗ କେବଳ ଅର୍ଚ୍ଚିତାଙ୍କୁ ମିଳିଛି।

ରିଆଲିଟି ସୋ ‘କିଏ ହବ ମୋ ହିରୋଇନ’ର ପ୍ରଥମ ସିଜିନ୍‌ର ବିଜୟିନୀ ଥିଲେ ଆଜିକାର ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ସାମନ୍ତରାୟ। ଏହା ପରେ ଏଲିନାଙ୍କୁ ତରଙ୍ଗ ସିନେ ପ୍ରଡକ୍ସନ୍ ‘ଇଶ୍କ୍ ତୁ ହିଁ ତୁ’ ସିନେମାର ନାୟିକା ଭାବେ ଚୁକ୍ତିବଦ୍ଧ କରିଥିଲା। ଏହାପରେ ଏଲିନା ଆଉ ଅଟକି ନାହାନ୍ତି।

ଆସନ୍ତୁ ଜାଣିବା ଏଲିନା କେଉଁ ଟପ୍ ନାୟକଙ୍କ ସହ କାମ କରିଛନ୍ତି।

ଅରିନ୍ଦମ୍-ଏଲିନା

ଓଲିଉଡର ଆକସନ୍ ହିରୋ ଅରିନ୍ଦମ୍‌ଙ୍କ ବିପକ୍ଷରେ ଏଲିନା ନଜର ଆସିଥିଲେ ତାଙ୍କର ପ୍ରଥମ ସିନେମା ‘ଇଶ୍କ୍‌ ତୁ ହିଁ ତୁ’ରେ। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦର୍ଶକ ଅରିନ୍ଦମ୍-ଏଲିନାଙ୍କ ଯୋଡ଼ିକୁ ପସନ୍ଦ ବି କରିଥିଲେ। ହେଲେ ‘ଇଶ୍କ୍ ତୁ ହି ତୁ’ ପରେ ଆଉ ପରଦାକୁ ଆସିନାହାନ୍ତି ଅରିନ୍ଦମ୍-ଏଲିନା।

ଅନୁଭବ- ଏଲିନା

ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହିତ ବି ଖୁବଶିଘ୍ର ସ୍କ୍ରିନ୍‌ ସେଆର୍ କରିବାର ସୁଯୋଗ ପାଇଥିଲେ ଏଲିନା। ଏଲିନା ସାମନ୍ତରାୟଙ୍କୁ ତାଙ୍କର ତୃତୀୟ ସିନେମାରେ ହିଁ ମିଳିଥିଲା ଏଭଳି ସୌଭାଗ୍ୟ।

ଏଲିନାଙ୍କ ତୃତୀୟ ଓଡ଼ିଆ ସିନେମା ହେଲା ‘ଜଗା ହାତରେ ପଘା’। ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଅନୁଭବଙ୍କ ପ୍ରେମିକା ଭୂମିକାରେ ନଜର ଆସିଥିଲେ ଓଲିଉଡ଼ର ଲୋକପ୍ରିୟ ନାୟିକା ଏଲିନା। ଏହି ସିନେମାରେ ବୁଦ୍ଧାଦିତ୍ୟ ଓ ଝିଲିକ୍ ବି ଅଭିନୟ କରିଥିଲେ। ମୁରଲୀ କ୍ରିଷ୍ଣା ଏହାର ନିର୍ଦ୍ଦେଶନା ଦେଇଥିଲେ। ‘ଜଗା ହାତରେ ପଘା’ରେ ଅନୁଭବଙ୍କ ବିପକ୍ଷରେ ଝିଲିକ୍ ବି କାମ କରିଥିଲେ। ‘ଜଗା ହାତରେ ପଘା’ ବ୍ୟତୀତ ଅନୁଭବ-ଏଲିନା ‘ଅଭୟ’ ଓ ‘କାବୁଲା ବାରବୁଲା’ରେ ବି ଏକାଠି ନଜର ଆସିଛନ୍ତି।

ବାବୁସାନ୍- ଏଲିନା

ଓଲିଉଡର ଲୋକପ୍ରିୟ ନାୟିକା ଏଲିନା ସାମନ୍ତରାୟ ୨୦୧୫ରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଆଉ ବର୍ଷକ ପରେ ଅର୍ଥାତ୍ ୨୦୧୬ରେ ତାଙ୍କୁ ମିଳିଥିଲା ଓଲିଉଡ ସୁପରଷ୍ଟାର ବାବୁସାନ୍‌ଙ୍କ ସାଥ୍।

୨୦୧୬ରେ ରିଲିଜ୍ ହୋଇଥିଲା ଏକ ସୁପରହିଟ୍ ଫିଲ୍ମ । ଏହାର ଟାଇଟଲ୍ ହେଲା ‘ଲଭ ଷ୍ଟେସନ’। ଏହି ଫିଲ୍ମର ପ୍ରଯୋଜନା କରିଥିଲେ ତରଙ୍ଗ ସିନେ ପ୍ରଡକ୍ସନ୍ସ ଓ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ଅଶୋକ ପତି।

ସବ୍ୟସାଚୀ-ଏଲିନା

ଓଲିଉଡର ସୋବର ବୟ ସବ୍ୟସାଚୀଙ୍କ ସହିତ କାମ କରିବାକୁ ଲୋକପ୍ରିୟ ନାୟିକା ଏଲିନାଙ୍କୁ ପ୍ରାୟ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ସେ ୨୦୧୭ରେ ସାର୍ଥକ୍ ମ୍ୟୁଜିକ୍‌ର ନୂଆ ସିନେମା ‘ଟୋକାଟା ଫସିଗଲା’ ପାଇଁ ଚୁକ୍ତିବଦ୍ଧ ହୋଇଥିଲେ।

ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ‘ଟୋକାଟା ଫସିଗଲା’ରେ ଏଲିନା ପ୍ରଥମେ ସବ୍ୟସାଚୀଙ୍କ ସାଥ୍ ପାଇଥିଲେ। ଏହାର ନିର୍ଦ୍ଦେଶକ ହେଲେ ରମେଶ ରାଉତ। ଏହି ସିନେମାଟି ଏଯାଏଁ ମୁକ୍ତିଲାଭ କରିନାହିଁ।

ତେଣେ ସବ୍ୟସାଚୀ ଓ ଏଲିନାଙ୍କ ଯୋଡ଼ି ଅନ୍ୟ ଏକ ଓଡ଼ିଆ ଫିଲ୍ମରେ ବି ଜୋରସୋରରେ କାମ କରୁଛନ୍ତି। ଏହି ଫିଲ୍ମର ଟାଇଟଲ୍ ହେଲା ‘ଫୋର୍ ଇଡିଅଟ୍ସ’। ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ବସନ୍ତ ସାହୁ।

Comment