ଭାସ୍କର ପରିଛା

ଚାରି ବର୍ଷ ପରେ ସରକାରଙ୍କ କାର୍ଯ୍ୟକଳାପକୁ କଷଟି ପଥରରେ କଷାଯାଏ ଗୋଟିଏ କଥା ସାମ୍ନାକୁ ଆସିବ ଯେ ମୋଦି ସରକାର ଅନେକ ସାହସିକ ପଦକ୍ଷେପ ନେଇଛନ୍ତି।

କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରକୁ ପାଞ୍ଚ ବର୍ଷ ଚାଲିଲା। ଚାରି ବର୍ଷ ତଳେ ଯେତେବେଳେ ଏହି ସରକାର କ୍ଷମତାକୁ ଆସିଲେ ସେହି ସମୟରେ ଲୋକଙ୍କ ଆଶା ଆକାଶ ଛୁଆଁ ହୋଇଥିଲା। ବିଗତ ତିରିଶି ବର୍ଷ ଭିତରେ ଦେଶର ଅନ୍ୟ କୌଣସି ଦଳକୁ ଏକେଲା ଏତେ ସମର୍ଥନ ମିଳିନଥିଲା ଯେମିତିକି ମୋଦି ସରକାରକୁ ମିଳିଥିଲା।

ଏହିଭଳି ଏକ ମଜଭୁତ ସରକାରଠୁ ବହୁତ କିଛି ଆଶା କରାଯାଉଥିଲା। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହଯୋଗୀଙ୍କୁ ଏହି ଭରସା ଦେଇଥିଲେ ଯେ ଦେଶରେ ଭଲ ଦିନ ଆସୁଛି। ଯଦି ଚାରି ବର୍ଷ ପରେ ସରକାରଙ୍କ କାର୍ଯ୍ୟକଳାପକୁ କଷଟି ପଥରରେ କଷାଯାଏ ଗୋଟିଏ କଥା ସାମ୍ନାକୁ ଆସିବ ଯେ ମୋଦି ସରକାର ଅନେକ ସାହସିକ ପଦକ୍ଷେପ ନେଇଛନ୍ତି। ଏଥିରେ ନୋଟବନ୍ଦୀ ଓ ଜିଏସଟି ସବୁଠାରୁ ବଡ଼ ନିଷ୍ପତ୍ତି।

ନୋଟବନ୍ଦୀ ସହିତ ଏକ ବଡ଼ ରିସ୍କ ମୋଦି ସରକାର ନେଇଥିଲେ। ନୋଟବନ୍ଦୀର ସଫଳତା ଓ ଏ ସଂକ୍ରାନ୍ତ ତଥ୍ୟ ମିଳିବା ଅବଶ୍ୟ ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଭାବେ କୁହାଯାଇପାରିବ ଯେ ଦେଶରେ ନଗଦ କାରବାର ସ୍ଥାନରେ ଡିଜିଟାଲ ପେମେଣ୍ଟ ସ୍ଥାନ ନେଇଛି। ବଡ଼ ବଡ଼ ମଲ କଥା ଛାଡ଼ନ୍ତୁ, ଛୋଟ ଛୋଟ ଖୁଚୁରା ଦୋକାନରେ ମଧ୍ୟ ଡିଜିଟାଲ ପେମେଣ୍ଟ ଓ ଅନଲାଇନ ଟ୍ରାଞ୍ଜାକ୍ସନ ବହୁ ପରିମାଣରେ ବଢ଼ିଛି। କଳାଧନ ରୋକିବା ପାଇଁ ଏହା ଜରୁରୀ ଥିଲା।

ଠିକ୍ ସେହିଭଳି ପ୍ରାରମ୍ଭିକ ଉତ୍ଥାନ ପତ୍ତନ ସତ୍ତ୍ବେ ଜିଏସଟି ଦେଶର ଅର୍ଥ ବ୍ୟବସ୍ଥାର ଚରିତ୍ରକୁ ବଦଳାଇ ଦେଇପାରିଛି। ଫ୍ୟାକ୍ଟ୍ରି ଠାରୁ ଆରମ୍ଭ କରି ସାଧାରଣ ଗ୍ରାହକଙ୍କ ପର୍ଯ୍ୟନ୍ତ ଅଧିକାଂଶ ନେଣଦେଣ ଏବେ ଅନ ରେକର୍ଡରେ ହେଉଛି। ଏହି ଦୁଇଟି ବଡ଼ ନିଷ୍ପତ୍ତି ଫଳରେ ଟ୍ୟାକ୍ସ ପରିସର ଭିତରକୁ ଆସୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆଗକୁ ମଧ୍ୟ ଏହା ବଢ଼ିବ ଏହା ନିଶ୍ଚିତ।

କୂଟନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସକ୍ରିୟତା ଯୋଗୁଁ ବିଶ୍ୱ ଦରବାରରେ ଭାରତର ଛବି ସୁଦୃଢ଼ ହୋଇଛି। ପ୍ରଧାନମନ୍ତ୍ରୀ ଯେଉଁଭଳି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ଔପଚାରିକ ଏବଂ ଅଣଔପଚାରିକ ଢଙ୍ଗରେ ଭେଟୁଛନ୍ତି ଓ ସମ୍ପର୍କ ସ୍ଥାପନ କରୁଛନ୍ତି ତାହା ଏକ ନୂଆ ଘଟଣା।ଏହାର ଲାଭ ଏୟା ହୋଇଛି ଯେ ସମଗ୍ର ଦୁନିଆରେ ବିଛେଇ ହୋଇଥିବା ଭାରତୀୟ ମାନଙ୍କୁ ଏକ ନୂଆ ପରିଚୟ ମିଳିଛି।

କିନ୍ତୁ ଅବଶୋଷର ବିଷୟ ଯେ ନିଜର ସବୁଠୁ ବଡ଼ ପ୍ରତିଶୃତି ପାଳନ କରିବାରେ ମୋଦି ସରକାର ପୂରା ବିଫଳ ହୋଇଛନ୍ତି।ନିର୍ବାଚନ ଇସ୍ତାହାରରେ ମୋଦି ଦୁଇ କୋଟି ନିଯୁକ୍ତି ଦେବାର ସଂକଳ୍ପ କରିଥିଲେ।କିନ୍ତୁ ବାସ୍ତବତା ଆଉ କିଛି ଆଖିରେ ପଡୁଛି।ସରକାରଙ୍କ ଚିନ୍ତା ଓ ଯୁକ୍ତି ହେଉଛି କେବଳ ଚାକିରୀକୁ ହିଁ ରୋଜଗାରର ପନ୍ଥା ବୋଲି ଧରାନଯାଉ।କିନ୍ତୁ ଏହା ସେତେବେଳେ ସମ୍ଭବ ଯେତେବେଳେ ରୋଜଗାରର ସାଧନ ଉପଲବ୍ଧ ହେବ। ଷ୍ଟାର୍ଟଅପ୍ ନୀତି ଜରିଆରେ ଏ ଦିଗରେ ଅବଶ୍ୟ କିଛି ଉଦ୍ୟମ ହୋଇଛି।ହେଲେ ଏହି ହାୱା ଦୁଇ ବର୍ଷରୁ ଅଧିକ ସମୟ ଚାଲି ପାରିଲା ନାହିଁ। ସବୁଠାରୁ ବେଶୀ ରୋଜଗାର ଦେଉଥିବା ରିଏଲ ଇଷ୍ଟେଟ ସେକ୍ଟରର ଅବସ୍ଥା ଅତ୍ୟନ୍ତ ଖରାପ।ଏହି ଦଶନ୍ଧିରେ ସବୁଠାରୁ ବେଶୀ ମଧ୍ୟବର୍ଗୀୟ ଚାକିରୀ ଟେଲିକମ ସେକ୍ଟରରୁ ମିଳୁଥିଲା, ଯାହାକି ଅଚାନକ ସମସ୍ୟାଗ୍ରସ୍ତ ହୋଇପଡିଛି।ଆମେରିକାର ସଂରକ୍ଷଣବାଦୀ ମନୋଭାବ ଯୋଗୁଁ ବିପିଓ ସେକ୍ଟର ଆଗରୁ ହିଁ ଖରାପ ଅବସ୍ଥାକୁ ଆସିଯାଇଛି।ଇ-କମର୍ସରେ ଦେଶୀ କମ୍ପାନି ସବୁ ଗାଏବ ହୋଇଯାଇଛନ୍ତି।

ଏହିଭଳି ଏକ ନକାରାତ୍ମକ ପୃଷ୍ଠଭୂମିରେ ମୋଦି ସରକାରଙ୍କ ପାଖରେ ଏବେ ଆଉ ଗୋଟିଏ ବର୍ଷ ସମୟ ଅଛି। ଏହି ସମୟ ମଧ୍ୟରେ ଯଦି ସରକାର ଜନସାଧାରଣଙ୍କ କିଛି ଅସୁବିଧା ଓ କଷ୍ଟ ଦୂର କରିପାରିବେ ନିଜ ଗୁଣଗାନ ନିଜେ କରିବାର ଆବଶ୍ୟକତା ପଡିବ ନାହିଁ। ସେହି କାମ ଲୋକେ କରିବେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭର ପରାମର୍ଶଦାତା ସମ୍ପାଦକ)

Comment