ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ବିଜେଡିରୁ ଇସ୍ତଫା ଦେବା ସହଜ ଥିଲା। ହେଲେ ତାଙ୍କ ପାଇଁ ଏବେ ଚାଲେଞ୍ଜ ହେଉଛି ଓଡ଼ିଶା ରାଜନୀତିରେ ସେ କିଭଳି ପ୍ରାସଙ୍ଗିକ ହୋଇ ରହିବେ।

ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ଭବିଷ୍ୟତ କଣ? ଏହି ପ୍ରଶ୍ନଟି ଏବେ କ୍ଷମତା କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି। ଅବଶ୍ୟ ତାଙ୍କ ସ୍ୱର୍ଗତ ପିତାଙ୍କ ଏକାଦଶାହ କାର୍ଯ୍ୟ ସମ୍ପାଦନ ନହେବା ଯାଏଁ ତାଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା କହିବା କଷ୍ଟ। ଅଧିକନ୍ତୁ, ପଣ୍ଡା ଆନୁଷ୍ଠାନିକ ଭାବେ ଲୋକସଭାର ବାଚସ୍ପତିଙ୍କୁ ପତ୍ର ଲେଖିବା ପରେ ଯାଇ ବାଚସ୍ପତି ସୁମିତ୍ରା ମହାଜନ ଏହାକୁ ମଞ୍ଜୁର କରିବେ ଓ ତାପରେ ଯାଇ ଆସନଟି ଖାଲି ପଡ଼ିବ।

ଆଲୋଚନା ହେଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ପର୍ଯ୍ୟନ୍ତ ଅପେକ୍ଷା ନକରି ଚଳିତ ବର୍ଷ ଶେଷ ଆଡ଼କୁ ସାଧାରଣ ନିର୍ବାଚନ କରିବା ମୁଡ୍‌ରେ ରହିଛନ୍ତି। ଯଦି ତାହା ହୁଏ, ଖାଲି ପଡ଼ୁଥିବା କେନ୍ଦ୍ରାପଡ଼ା ଆସନ ପାଇଁ ଉପ-ନିର୍ବାଚନ ହେବା ସମ୍ଭାବନା କମ୍। କାରଣ ନିର୍ବାଚନ ପ୍ରକ୍ରିୟା ପାଇଁ ହାତରେ ଆଉ ବିଶେଷ ସମୟ ନାହିଁ। ଏଣୁ ସମ୍ଭବତଃ ନୂଆ ଲୋକସଭା ଗଠନ ହେବା ଯାଏଁ ଏହି ଆସନଟି ଖାଲି ପଡ଼ିବ।

ତେବେ ଅସଲ କଥା ହେଉଛି ବୈଜୟନ୍ତଙ୍କ ରାଜନୈତିକ ଭବିଷ୍ୟତ ଓ କାର୍ଯ୍ୟପନ୍ଥା କ’ଣ ହେବ? ଏ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି। ଗୋଟିଏ କଥା କିନ୍ତୁ ନିଶ୍ଚିତ ଭାବରେ କୁହାଯାଇପାରିବ ଯେ ସେ ବିଜେପିରେ ଯୋଗ ଦେବେ। ଏହାର ମଧ୍ୟ ଅନେକ କାରଣ ରହିଛି।

ପ୍ରଥମ କାରଣ, ଜୟ ପଣ୍ଡା କିଛିଦିନ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନକୁ ପ୍ରଶଂସା କରିଆସୁଛନ୍ତି। ଦ୍ଵିତୀୟରେ ସେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସରକାର ଓ ନେତୃତ୍ୱକୁ ସମାଲୋଚନା କରିଆସିଛନ୍ତି। ବିଜେଡିରେ ରହି ବିଜେପି ପାଇଁ ପଣ୍ଡା ଓକିଲାତି କରୁଛନ୍ତି ବୋଲି ବିଜେଡି ନେତାମାନେ ବରାବର ଅଭିଯୋଗ କରିଆସିଛନ୍ତି। ଏବେ ବୈଜୟନ୍ତ ଯେଉଁ ନୈତିକତା କଥା ଉଠାଇଛନ୍ତି ଓ ତାଙ୍କ ପିତାଙ୍କ ଶେଷ ଦର୍ଶନ ପାଇଁ ନବୀନ ଗଲେ ନାହିଁ ବୋଲି ଯେଉଁ ଦୋଷାରୋପ କରିଛନ୍ତି ତାହା ଅଧିକାଂଶ ବିଜେଡି ନେତାଙ୍କ ହୃଦବୋଧ ହୋଇ ପାରିନାହିଁ। ସେମାନଙ୍କ କହିବା କଥା ଯେ ବୈଜୟନ୍ତ ଯେଉଁ ଷଡ଼ଯନ୍ତ୍ରର ଶିକାର ହୋଇଥିବା କଥା କହୁଛନ୍ତି ତାହା କେବଳ ବାହାନା।

ବୈଜୟନ୍ତ ଯେତେବେଳେ ବି ବିଜେପିରେ ଯୋଗ ଦିଅନ୍ତି, ବିଜେପି ପାଇଁ ନିଶ୍ଚିତ ଭାବରେ ସେ ସମ୍ପତ୍ତି ହେବେ। ପ୍ରଥମ କଥା ହେଉଛି ବୈଜୟନ୍ତଙ୍କ ପାଖରେ ଟଙ୍କା ଅଛି। ତା’ ଛଡ଼ା ତାଙ୍କ ହାତରେ ମିଡିଆ ବି ରହିଛି। ବିଜେପି ନେତାଙ୍କ ବିଶ୍ୱାସ ଯେ ତୃଣମୂଳ ସ୍ତରରେ ଭୋଟରଙ୍କୁ ପ୍ରଭାବିତ କରିବାରେ ସେ ସହାୟକ ହୋଇପାରିବେ।

ନିକଟ ଅତୀତରେ ବିଜେପୁର ଉପ-ନିର୍ବାଚନରେ ପରାଜୟ ପରେ ବିଜେପିର ମନୋବଳ ଭାଙ୍ଗିଯାଇଥିବା ବେଳେ ବୈଜୟନ୍ତ ନିଶ୍ଚିତ ଭାବରେ କାମରେ ଆସିପାରିବେ ଏହା ଚିନ୍ତା କରି ଦେଖିଛନ୍ତି ଓଡ଼ିଶା ବିଜେପିର ନେତୃବୃନ୍ଦ। କିନ୍ତୁ ଅସୁବିଧାଟି ହେଉଛି ବୈଜୟନ୍ତ ଜଣେ ଗଣନେତା ନୁହଁନ୍ତି ଓ ତାଙ୍କ ପଛରେ ବେଶୀ ଲୋକ ଅଛନ୍ତି ସେ କଥା କୁହାଯାଇପାରିବ ନାହିଁ। ତା’ ଛଡ଼ା ତାଙ୍କ ପ୍ରଭାବ କେବଳ କେନ୍ଦ୍ରାପଡ଼ାରେ ସୀମିତ।

ବିଜେଡିର ଜଣେ ଅଧେ ବରିଷ୍ଠ ନେତାଙ୍କ କହିବା କଥା ଯଦି ବୈଜୟନ୍ତ ବାରମ୍ବାର କେନ୍ଦ୍ରାପଡ଼ାରୁ ଜିତିଛନ୍ତି ତାର କାରଣ ଏହି ଆସନଟି ବିଜେଡିର ଦୁର୍ଗ। ବିଜୁ ପଟ୍ଟନାୟକ ଅତୀତରେ ଏହି ଆସନକୁ ପାଳିପୋଷି ରଖିଥିବାରୁ ଏଠାରୁ ବିଜେଡି ଛଡ଼ା ଅନ୍ୟ କେଉଁ ଦଳର ପ୍ରାର୍ଥୀ ଜିତିବା କଷ୍ଟ। ବୈଜୟନ୍ତଙ୍କ ବିଜେପିରେ ଯୋଗଦେବା ପ୍ରସଙ୍ଗରେ ଆଉ କିଛି ଅସୁବିଧା ବି ରହିଛି।

ବିଜେପି ଓଡ଼ିଶା ଭିତରେ ଏବେ ଗୋଷ୍ଠୀ କନ୍ଦଳ ପ୍ରବଳ। ବିଶେଷକରି ଯେଉଁମାନେ ଅନ୍ୟ ଦଳରୁ ଆସୁଛନ୍ତି ସେମାନଙ୍କୁ ପ୍ରାୟତଃ କୋଣଠେସା କରି ରଖାଯାଉଛି। ଉଦାହରଣ ସ୍ୱରୂପ ବିଜୟ ମହାପାତ୍ର, ଯିଏ କି ବିଜେପିରେ ଯୋଗ ଦେବା ପରଠାରୁ ଦଳ ଭିତରେ ଏକରକମ ସଢ଼ୁଛନ୍ତି। ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ମଧ୍ୟ ଅଲୋଡ଼ା ହୋଇଯାଇଛନ୍ତି। ଏଣୁ ବୈଜୟନ୍ତଙ୍କ ପାଇଁ ବିଜେପିରେ ଯୋଗ ଦେବା ବଡ଼ କଥା ନୁହେଁ। ବଡ଼ କଥା ହେଉଛି ତାଙ୍କୁ ଦଳ ଭିତରେ ଠିକ୍ ସମ୍ମାନ ଓ ସ୍ଥାନ ମିଳିବ ତ?

Comment