ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ମହାନଦୀ ପ୍ରସଙ୍ଗ ଖୁବଶିଘ୍ର ଓଡ଼ିଶା ବନ୍ଦ ଡାକରା ଦେବ କଂଗ୍ରେସ।

ମହାନଦୀ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପିସିସି ସଭାପତି କହିଛନ୍ତି, “ଛତିଶଗଡ଼ରେ ବିଜେପି ସରକାର ଥିବାରୁ କେନ୍ଦ୍ର ବିଜେପି ସରକାର ରାଜ୍ୟକୁ ସମର୍ଥନ କରୁଛନ୍ତି। ମୋଦି ଓଡିଶା ଆସି ବି ମହାନଦୀ ପ୍ରସଙ୍ଗରେ କିଛି କହିଲେନି କି ଓଡ଼ିଶାବାସୀଙ୍କୁ ଏବାବଦରେ କୌଣସି ଆଶ୍ଵାସନା ବି ଦେଲେନି”।

ମହାନଦୀ ସମସ୍ୟା ପାଇଁ ରାଜ୍ୟ ସରକାରଙ୍କୁ ବି ଦାୟୀ କରିଛନ୍ତି ନିରଞ୍ଜନ। ସେ କହିଛନ୍ତି, “୨୦୧୫ ପର୍ଯ୍ୟନ୍ତ ରାଜ୍ୟ ସରକାର ଚୁପ୍ ହୋଇ ବସିଥିଲେ। ଠିକଣା ସମୟରେ ବନ୍ଧ ବାଡ଼ ନିର୍ମାଣ କଲେନି। ଏବେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ୨୯ଟି ଶିଳ୍ପସଂସ୍ଥା ପ୍ରୋଜେକ୍ଟ ପାଇଁ ଓଡ଼ିଶାରୁ ମୁହଁ ଫେରାଇ ଛତିଶଗଡ ଚାଲିଗଲେ। ମହାନଦୀ ପ୍ରସଙ୍ଗରେ କଂଗ୍ରେସ ଖୁବଶୀଘ୍ର ଓଡିଶା ବନ୍ଦ ଡାକରା ଦେବ”।

ମହାନଦୀ ପ୍ରସଙ୍ଗରେ ନିରଞ୍ଜନଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି। ସାଂସଦ ପ୍ରତାପ ଦେବ କହିଛନ୍ତି “ନେତୃତ୍ୱ ପରିବର୍ତ୍ତନ ପରେ କଂଗ୍ରେସର ଚିନ୍ତାଧାରାରେ ପରିବର୍ତ୍ତନ ହୋଇଛି। ପରକୁ ଦୋଷ ନଦେଇ ନିଜ କାର୍ଯ୍ୟ ନିଜେ କରନ୍ତୁ”।

“ମହାନଦୀ ଉପକୂଳରେ ଛତିଶଗଡ଼ ଯେଉଁ ଡ୍ୟାମ୍‌ ତଥା ବ୍ୟାରେଜ୍ ନିର୍ମାଣ କରିଛି ତାହା କଂଗ୍ରେସ ସରକାର ଅମଳରେ ନିର୍ମାଣ କରାଯାଇଥିଲା” ଏଭଳି ପାଲଟା ଅଭିଯୋଗ କରିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର।

Comment