ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡି ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବୈଜୟନ୍ତ ଯେମିତି ଜାଣିଛନ୍ତି ବିଜେପିରେ ସେହିଭଳି ଜାଣିବା ଲୋକ କେହି ନାହାନ୍ତି। ଏଣୁ ବୈଜୟନ୍ତଙ୍କୁ ବିଜେପି ନେବାକୁ ଚାହୁଁଛି।

ବିଜେଡିରୁ ଇସ୍ତଫା ଦେଇଥିବା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ କିଏ ନେବ? କଂଗ୍ରେସ ନା ବିଜେପି? ରାଜନୀତି କରିଡରରେ ଏହିଭଳି ଚର୍ଚ୍ଚା ଚାଲିଥିବା ବେଳେ ପର୍ଯ୍ୟବେକ୍ଷକଙ୍କ ମତରେ ବିଜେପି ହିଁ ଏଥିରୁ ବେଶୀ ଫାଇଦା ଉଠାଇପାରିବ।

କଂଗ୍ରେସ ଓଡ଼ିଶାରେ ବଞ୍ଚିବା ପାଇଁ ସଂଗ୍ରାମ କରୁଛି। ହେଲେ କ୍ଷମତାକୁ ଫେରିବା ଏକ ଦିବା ସ୍ୱପ୍ନ। ବୈଜୟନ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଦଳରେ ଯୋଗ ଦେବା ସମ୍ଭାବନା ବହୁତ କମ। ଏଣୁ ବୈଜୟନ୍ତଙ୍କ ପାଇଁ ଏକ ମାତ୍ର ରାସ୍ତା ହେଉଛି ବିଜେପି।

ବାସ୍ତବ କ୍ଷେତ୍ରରେ ଓ ରାଜ୍ୟର ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ବିଜେପି ଓ ବୈଜୟନ୍ତ ଉଭୟେ ଉଭୟଙ୍କୁ ଦରକାର କରୁଛନ୍ତି। ବିଜେପି ଯଦି ବୈଜୟନ୍ତଙ୍କୁ ଗ୍ରହଣ କରେ ଦଳର ଫାଇଦା ହିଁ ଫାଇଦା।

ପ୍ରଥମ କଥା ହେଉଛି ବିଜେଡି ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବୈଜୟନ୍ତ ଯେମିତି ଜାଣିଛନ୍ତି ବିଜେପିରେ ସେହିଭଳି ଜାଣିବା ଲୋକ କେହି ନାହାନ୍ତି। ଦୀର୍ଘ କୋଡ଼ିଏ ବର୍ଷ ଧରି ଦଳରେ ରହିବା ପରେ ଓ ସବୁ ଉତ୍ଥାନ ପତ୍ତନକୁ ପାଖରୁ ଦେଖିଥିବା ବୈଜୟନ୍ତ ଜଣେ ଅତି ପରିପକ୍ୱ ନେତା ଏକଥା ସମସ୍ତେ ଜାଣନ୍ତି। ତାଙ୍କର ବୌଦ୍ଧିକତାକୁ କେହି କେବେ ପ୍ରଶ୍ନ କରିନାହାନ୍ତି।

ଲୋକଙ୍କ ସହିତ ବୈଜୟନ୍ତ ବରାବର ରହିଆସିଛନ୍ତି ଓ ସର୍ବସାଧାରଣରେ ତାଙ୍କର ନିର୍ମଳ ଭାବମୂର୍ତ୍ତି ରହିଛି। ଅବଶ୍ୟ ତାଙ୍କ ପରିବାରର ବ୍ୟବସାୟ ଓ ସେଥିରେ ବୈଜୟନ୍ତଙ୍କ ଭୂମିକାକୁ ନେଇ କିଛି ସନ୍ଦେହ ଓ ପ୍ରଶ୍ନ ଉଠିଛି। କିନ୍ତୁ ବିଭିନ୍ନ ଜାତୀୟ ପ୍ରସଙ୍ଗରେ ଗଣମାଧ୍ୟମରେ ଆଲୋଚନା କରିବା ସହ ବୈଜୟନ୍ତ ଦିଲ୍ଲୀରେ ବେଶ୍ ଜଣାଶୁଣା।

ବୈଜୟନ୍ତ ମଧ୍ୟ ଜଣେ ଜାତୀୟ ସ୍ତରର ନେତା। ଓଡ଼ିଶାରେ ତାଙ୍କ ଭଳି କମ ନେତା ଅଛନ୍ତି ଯାହାଙ୍କର ଭବିଷ୍ୟତ ଦୃଷ୍ଟି ରହିଛି । ସେ ଚାହିଁଲେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣିପାରିବେ। କିନ୍ତୁ ଅସୁବିଧା ହେଉଛି ତାଙ୍କ ପଛରେ ସେହିଭଳି ରାଜନୈତିକ ସଂଗଠନ ନାହିଁ କି ଜନ ସମର୍ଥନ ନାହିଁ।

ବୈଜୟନ୍ତ ବିଜେପିରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ନୂଆ ଭାରତ’ ର କଳ୍ପନାରେ ସେ ମହତ ଯୋଗଦାନ କରିପାରିବେ। ବିଜେପି ୨୦୧୪ ନିର୍ବାଚନରେ ମାତ୍ର ଗୋଟିଏ ଆସନ ଜିତିଥିବା ବେଳେ ୨୦୧୯ରେ ଡଜନେ ପ୍ରାୟ ଆସନରେ ଜିତିବା ଲକ୍ଷ୍ୟ ରଖିଛି। ଆଉ ଏଥିପାଇଁ ବୈଜୟନ୍ତଙ୍କ ଭଳି ଜଣେ ନେତା ନିହାତି ଦରକାର। ପରୋକ୍ଷରେ କହିଲେ, ବୈଜୟନ୍ତଙ୍କ ସମେତ ବିଜେଡିରୁ ଆଉ କିଛି ନେତା ଓ କର୍ମୀ ନ ଆସିଲେ ବିଜେପିର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ।

କୁହାଯାଉଛି ବୈଜୟନ୍ତ ହିଁ ଶାସକ ବିଜେଡିର ଅସନ୍ତୁଷ୍ଟମାନଙ୍କୁ ଏକାଠି କରିପାରିବେ। ତାଛଡା ଯେଉଁମାନେ ବାଡ଼ ଡେଇଁବା ପାଇଁ ଚାହିଁ ବସିଛନ୍ତି ସେମାନେ ବୈଜୟନ୍ତଙ୍କ ଭଳି ଜଣେ ନେତା ପାଇଲେ ହିଁ ଡେଇଁବେ, ନଚେତ ନାହିଁ। ବୈଜୟନ୍ତଙ୍କୁ ଦଳରେ ନିଆଗଲେ ଓଡ଼ିଶାରେ ବିଜେପି ଯେଉଁ ପରିଚୟ ସଙ୍କଟ ଦେଇ ଗତି କରୁଛି ଓ ଦଳର ବରିଷ୍ଠ ନେତାଙ୍କ ଭିତରେ ଯେଉଁ ଗୋଷ୍ଠୀ କନ୍ଦଳ ରହିଛି ତାହା ଅନେକ ପରିମାଣରେ ଦୂର ହୋଇପାରିବ।

ନବୀନ ମ୍ୟାଜିକକୁ କାଟିବାକୁ ହେଲେ ଜଣେ ବିଜେଡି ଷ୍ଟ୍ରଙ୍ଗମ୍ୟାନ ଦରକାର। କେନ୍ଦ୍ର ବିଜେପି ନେତୃତ୍ୱ ଯେତେ ଶୀଘ୍ର ଏହି କଥାକୁ ବୁଝିବେ, ଦଳ ସେତେ ଲାଭରେ ରହିବ।

Comment