ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

୨୦୧୮ ବର୍ଷର ଇତିମଧ୍ୟରେ ପାଞ୍ଚଟି ମାସ ସରିଯାଇଛି। ଏହି ପାଞ୍ଚ ମାସ ଭିତରେ ମୋଟ୍ ୧୨ଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି।

ବର୍ଷର ପ୍ରଥମ ପାଞ୍ଚ ମାସ ବିତିଯାଇଛି। ଓଲିଉଡରେ କେତୋଟି ସିନେମା ମୁକ୍ତିଲାଭ କରିଛି, ସେଗୁଡ଼ିକ ସ୍ଥିତି କ’ଣ ଥିଲା, ଆସନ୍ତୁ ଜାଣିବା…

୨୦୧୮ର ପ୍ରଥମ ସିନେମା ହେଲା ‘ଓନ୍‌ଲି ପ୍ୟାର୍’। ସୁନୀଲ କୁମାର ଦାସଙ୍କ ପ୍ରଯୋଜିତ ଏହି ଓଡ଼ିଆ ସିନେମାରେ ବାବୁସାନ୍, ସୁପ୍ରିୟା, ମିହିର ଦାସ ଓ ଅପରାଜିତା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତାପସ ସରଘରିଆ ଏହାର ନିର୍ଦ୍ଦେଶକ। ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର। ବିଗ୍ ବଜେଟ୍ ‘ଓନ୍‌ଲି ପ୍ୟାର’ କିନ୍ତୁ ଫ୍ଲପ୍ ହୋଇଛି।

୨୦୧୮ର ଦ୍ୱିତୀୟ ଓଡ଼ିଆ ସିନେମା ହେଲା ‘ହାପିଲକି’ ତରଙ୍ଗ ସିନେ ପ୍ରଡକ୍ସନର ବ୍ୟାନରରେ ନିର୍ମିତ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ। ଏହି ଓଡ଼ିଆ ସିନେମାରେ ସମ୍ବିତ୍, ଜ୍ୟୋତି, ଏଲିନା, ସସ୍ମିତା ଓ ବବି ମିଶ୍ର ପ୍ରମୁଖ ଲିଡ୍ ରୋଲ୍‌ରେ ଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ୍ ଆନନ୍ଦ।

୨୦୧୮ର ତୃତୀୟ ସିନେମା ହେଲା ‘ଗୁଡୁ ଆଣ୍ଡ୍ ଗୁଡି’। ସୂର୍ଯ୍ୟକାନ୍ତ ସାମଲ ଏହାର ପ୍ରଯୋଜକ ଓ ଶୁଭାଷିଶ ପତି ନିର୍ଦ୍ଦେଶକ। ଏଥିରେ ସୂର୍ଯ୍ୟକାନ୍ତ, ସଲିଲ ମିତ୍ର ଓ ମିହିର ଦାସ ମୁଖ୍ୟ ଭୂମିକାରେ ଅଛନ୍ତି। ସଞ୍ଜୟ- ଶୀତୁ ଏହାର ସଙ୍ଗୀତକାର।

ତା’ ପରେ ପରଦାକୁ ଆସିଛି ‘ମନର ମାନସୀ’। ବିଭାସ, ସୋନାଲୀ, ଅଜିତ ଦାସ ଓ କେ. କେ ଏହାର ମୁଖ୍ୟ କଳାକାର।

୨୦୧୮ର ପଞ୍ଚମ ସିନେମା ହେଲା ‘ଦୀପୁ ଦ ଡ୍ୟାନ୍ସ ବୟ’ ମନୋଜ ରାଉତ ଏହାର ପ୍ରଯୋଜକ ଓ ଅରୁଣ ଦାସ ନିର୍ଦ୍ଦେଶକ। ମନୋଜ ରାଉତ, ଏଲ୍‌ସା, କୋଏଲ୍‌, ବବିମିଶ୍ର, ମୀନ କେତନ ଓ ଅଜିତ ଦାସ ଏହାର ମୁଖ୍ୟ କଳାକାର। ପ୍ରେମ ଆନନ୍ଦ ଏହାର ସଙ୍ଗୀତକାର।

ଏହାପରେ ଟି ଗଣେଶଙ୍କ ନିର୍ଦ୍ଦେଶିତ ‘ହତ୍ୟା’ ରିଲିଜ୍ ହୋଇଥିଲା। ଏଥିରେ ଅର୍ପଣ, ଅନ୍ୱେଷା, ବାଙ୍କୁ, ମନୋଜ ମିଶ୍ର ଓ ଇଲୁ ବାନାର୍ଜୀ ପ୍ରମୁଖ ଲିଡ୍ ରୋଲ୍‌ରେ ଅଛନ୍ତି। ଏସ୍. ଚନ୍ଦ୍ରକାନ୍ତ ଏହାର ସଙ୍ଗୀତ ନିର୍ଦ୍ଦେଶକ। ୨୦୧୮ର ସପ୍ତମ ଓଡ଼ିଆ ସିନେମା ହେଲା ‘ଅଜାତ ଶତ୍ରୁ’। ନବାଗତ ସୋହମ୍ ସିଂହ ଏହାର ପ୍ରଯୋଜକ ଓ ବିଶ୍ୱଭୂଷଣ ମହାପାତ୍ର ନିର୍ଦ୍ଦେଶକ। ଏଥିରେ ସୋହମ୍ ସିଂହ, ସାଧ୍‌ଭି ସିଂହ, ଦେବଯାନୀ ଓ ମନୋଜ ମିଶ୍ର ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ଏପ୍ରିଲ୍ ୧୩ ତାରିଖରେ ଦୁଇଟି ଓଡ଼ିଆ ସିନେମା ପରଦାକୁ ଆସିଥିଲା। ଏଥିମଧ୍ୟରୁ ଗୋଟିଏ ହେଲା ‘ଦିୱାନା ହେଲି ତୋ ପାଇଁ’। ଶ୍ରୀତମ୍ ଦାସ ଏହାର ନିର୍ଦ୍ଦେଶକ। ଅଶୋକ କୁମାର ଦାଶ ଏହାର ପ୍ରଯୋଜକ। ସିଦ୍ଧାନ୍ତ, ମୁନ୍ନା, ରୀୟା ଦେ, ଶ୍ରୀତମ୍ ଦାସ, ଉଷସୀ ମିଶ୍ର ଓ ପପୁ ପମ୍‌ପମ୍‌ ଏହାର ମୁଖ୍ୟ କଳାକାର। ଅଭିଜିତ ମଜୁମଦାର ଏହାର ସଙ୍ଗୀତକାର। ଫିଲ୍ମଟି ହିଟ୍ ହୋଇଛି।

ସେହି ସମାନ ତାରିଖରେ ‘ଓଲେ ଓଲେ ଦିଲ୍‌ ବୋଲେ’ ଟାଇଟଲରେ ଏକ ଓଡ଼ିଆ ସିନେମା ରିଲିଜ୍ ହୋଇଥିଲା। ବିଭୂତିଭୂଷଣ ଷଡଙ୍ଗୀ ଏହାର ନିର୍ମାତା ଓ କୈଳାସ ମହାପାତ୍ର ନିର୍ଦ୍ଦେଶକ। ଏଥିରେ ସିଦ୍ଧାନ୍ତ, ଜ୍ୟୋତି, ଝିଲିକ୍ ଓ ମିହିର ଦାସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ପ୍ରେମ ଆନନ୍ଦ ଏହାର ସଙ୍ଗୀତ ନିର୍ଦ୍ଦେଶକ।

୨୦୧୮ର ଦଶମ ଓଡ଼ିଆ ଛବି ହେଲା ‘ଯୋଗୀ’। ଶ୍ରୀଧର ମାର୍ଥା ଏହାର ପ୍ରଯୋଜକ ଓ ନିରଞ୍ଜନ ବେହେରା ନିର୍ଦ୍ଦେଶକ। ଏଥିରେ ହର ରଥ, ବିଜୟ ମହାନ୍ତି, ସ୍ମିତା ମହାନ୍ତି, ଆର୍ଯ୍ୟନ୍ ଦାଶ କୁମାର, ନିକିତା ମିଶ୍ର ଓ ମନୋଜ ମିଶ୍ର ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଦୀପକ କୁମାର ଏହାର ସଙ୍ଗୀତକାର।

ଏ ବର୍ଷର ଏକାଦଶ ଓଡ଼ିଆ ସିନେମା ହେଲା ‘ଶକ୍ତି’। ରୋନକ ସାହୁ ଓ ମୀନତି ସାହୁଙ୍କ ପ୍ରଯୋଜିତ ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ। ଏଥିରେ କରଣ୍, ସୂରମୟୀ, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ଓ ପିଣ୍ଟୁ ନନ୍ଦ ପ୍ରମୁଖ ଅଭିନୟ କରିଥିଲେ। ଅଭିଜିତ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶକ।

୨୦୧୮ର ଦ୍ୱାଦଶ ଓଡ଼ିଆ ଛବି ହେଲା ‘ଲଭ୍ ପ୍ରମିଜ୍’। ସନ୍ତୋଷ ବିଶ୍ୱାଳ ଏହାର ନିର୍ଦ୍ଦେଶକ। ଏଥିରେ ରାକେଶ୍ ଓ ଜୟା ଲିଡ୍ ରୋଲ୍‌ରେ ଅଛନ୍ତି। ପ୍ରେମ ଆନନ୍ଦ ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶକ।

Comment