ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିରୋଧୀ ମହାମେଣ୍ଟକୁ ଟକ୍କର ଦେବା ପାଇଁ ଏବେଠାରୁ ସହଯୋଗୀ ଦଳର ମାନଭଞ୍ଜନ କରିବାରେ ଲାଗିପଡ଼ିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ।

୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ରଥକୁ ରୋକିବା ପାଇଁ ସଜବାଜ ହେଉଛନ୍ତି ବିରୋଧୀ।

ସବୁ ମତଭେଦ ଭୁଲି ମୋଦି ସରକାର ବିରୋଧରେ ମହାମେଣ୍ଟ କରିବାକୁ ଏକାଠି ହେଉଛନ୍ତି ବିରୋଧୀ। ଏସବୁ ଭିତରେ ବିଜେପି ସାମ୍ନାରେ ରହିଛି ଏକ ବଡ଼ ଆହ୍ୱାନ। ବିରୋଧୀଙ୍କ ମହାମେଣ୍ଟକୁ ଟକ୍କର ଦେବା ପାଇଁ ବର୍ତ୍ତମାନ ବିଜେପି ତା’ର ସହଯୋଗୀ ଦଳମାନଙ୍କୁ ମନାଇବା ପାଇଁ ଲାଗିପଡ଼ିଛି।

ନିକଟରେ ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ୪ ଲୋକସଭା ଓ ୧୦ବିଧାନସଭା ଉପନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଏହାପରେ ଗୋଟିଏ ପରେ ଗୋଟିଏ ବିଜେପି ସହଯୋଗୀ ଦଳର ନେତାମାନେ ବିଜେପି ବିରୋଧରେ ନିଜ ଅଭିମାନ ଜାହିର କରିଛନ୍ତି।

ସେପଟେ ମହାମେଣ୍ଟ ଚିନ୍ତା ଏପଟେ ସହଯୋଗୀ ଦଳର ଅଭିମାନ ବିଜେପିକୁ ଚିନ୍ତାରେ ପକାଇଛି। କାଳେ ସହଯୋଗୀ ଦଳ ହାତରୁ ଖସିଯିବେ ତାହାକୁ ଦୃଷ୍ଟିରେ ରଖି ଅମିତ ଶାହ ସେମାନଙ୍କୁ ଭେଟୁଛନ୍ତି।

ମହାସମ୍ପର୍କ ଅଭିଯାନ ଦ୍ୱାରା ସହଯୋଗୀ ଦଳର ନେତାମାନଙ୍କୁ ଭେଟି ସେମାନଙ୍କ ଦାବି ଓ ପ୍ରସ୍ତାବକୁ ଖୁବଶିଘ୍ର ପୂରଣ କରିବା ପାଇଁ ଆଶ୍ୱାସନା ଦେଉଛନ୍ତି ଅମିତ ଶାହ।

ବୁଧବାରଦିନ ଶିବସେନା ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମହାରାଷ୍ଟ୍ରରେ କେଉଁ କାରଣ ପାଇଁ ବିଜେପି-ଶିବସେନା ମଧ୍ୟରେ ଦୂରତା ବଢ଼ିଲା ସେ ବିଷୟରେ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିବେ ଅମିତ ଶାହ। ୨୦୧୯ ନିର୍ବାଚନ ବିଜେପି-ଶିବସେନା ଯେପରି ଏକାଠି ଲଢ଼ିବେ ସେ ବିଷୟରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଶିବସେନା ପରେ ଗୁରୁବାର ଦିନ ଅମିତ ଶାହ ଚଣ୍ଡିଗଡରେ ଅକାଳି ଦଳ ଅଧ୍ୟକ୍ଷ ପ୍ରକାଶ ସିଂହ ବାଦଲଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପଞ୍ଜାବରେ ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଓ ୨୦୧୯ ଲୋକସଭା ନିର୍ବାଚନ ବିଷୟରେ ମଧ୍ୟ ଆଲୋଚନା ହେବ।

ଉପନିର୍ବାଚନରେ ବିଜେପିର ପରାଜୟ ପରେ ୩ ଜୁନରେ ଲୋକ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ରାମବିଳାଶ ପାଶୱାନ ଓ ତାଙ୍କୁ ପୁଅ ଚିରାଗ ପାଶୱାନଙ୍କୁ ଦିଲ୍ଲୀରେ ଭେଟିଥିଲେ ଅମିତ ଶାହ।

ଏହାପରେ ଗଣମାଧ୍ୟମକୁ ରାମବିଳାଶ କହିଥିଲେ ମୋଦି ସରକାର ଖୁବଶିଘ୍ର ଦେଶର ଜାତି ଓ ଜନଜାତି ଆଇନରେ ପରିବର୍ତ୍ତନ ଆଣିବା ପାଇଁ ଅଧ୍ୟାଦେଶ ଆଣିବେ। ଏହାସହ ବିହାରକୁ ବିଶେଷ ରାଜ୍ୟର ମାନ୍ୟତା ଦେବା ଉପରେ ବି ଆଲୋଚନା ହୋଇଥିଲା ବୋଲି ସେ ପ୍ରକାଶ କରିଥିଲେ।

ଉପନିର୍ବାଚନର ପରାଜୟର ସ୍ୱାଦ ଚାଖିବା ପରେ ବିଜେପି ଶିବିରରେ କିଛିଟା ଚିନ୍ତା ବଢ଼ିଯାଇଛି। ୨୦୧୯ ନିର୍ବାଚନ ଯୁଦ୍ଧ ଏକୁଟିଆ ଜିତିବା ବିଜେପି ପକ୍ଷେ ସହଜ ହେବ ନାହିଁ। ଏଥିପାଇଁ ଆବଶ୍ୟକ ସହଯୋଗୀ ଲୋଡ଼ା। ଏହାକୁ ଲକ୍ଷ୍ୟରେ ରଖି ଅମିତ ଶାହ ପୂରା ସକ୍ରିୟ ହୋଇପଡ଼ିଛନ୍ତି। ସହଯୋଗୀଙ୍କୁ ଭେଟି ସେମାନଙ୍କ ମନ କଥା ବୁଝିବା ପାଇଁ ଚେଷ୍ଟା ଚଳାଇଛନ୍ତି ଅମିତ ଶାହା। ସହଯୋଗୀଙ୍କ ମନକୁ ନବୁଝିଲେ ସେମାନେ ମହାମେଣ୍ଟକୁ ଡେଇଁ ପଡ଼ିବେ ତାହା ଅସମ୍ଭବ ବି ନୁହେଁ। ତେଣୁ ବିରୋଧୀଙ୍କୁ ରୋକିବା ପାଇଁ ପୂରା ଦମ୍‌ ଲଗାଇଛନ୍ତି ଅମିତ ଶାହ।

Comment