ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରୋଇ ବିଦ୍ୟାଳୟଗୁଡ଼ିକ ବେଆଇନ ଭାବେ ଆଦାୟ କରୁଥିବା ଫି’ ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ସରକାର ଖୁବଶୀଘ୍ର ନିୟମ ଆଣିବାକୁ ଯାଉଛନ୍ତି।

ଘରୋଇ ସ୍କୁଲଗୁଡ଼ିକ ମନଇଚ୍ଛା ଆଦାୟ କରୁଥିବା ଫି’ ଉପରେ ଲାଗିବ ଅଙ୍କୁଶ। କେନ୍ଦ୍ର ସରକାର ଖୁବଶୀଘ୍ର ଏହା ଉପରେ ନିୟମ ଆଣିବାକୁ ଯାଉଛନ୍ତି।

ଉତ୍ତରପ୍ରଦେଶ ସରକାର ଘରୋଇ ବିଦ୍ୟାଳୟଗଗୁଡ଼ିକ ପାଇଁ ଫି’  ନିର୍ଦ୍ଧାରଣ ନେଇ ଯେପରି ନିୟମ ପ୍ରଣୟନ କରିଛନ୍ତି, ସେହି ଢ଼ାଞ୍ଚାରେ କେନ୍ଦ୍ର ସରକାର ସମଗ୍ର ଦେଶରେ ଘରୋଇ ବିଦ୍ୟାଳୟଗୁଡ଼ିକ ପାଇଁ ଫି’ ନିର୍ଦ୍ଧାରଣ ନିୟମ ଆଣିବାକୁ ଯାଉଛନ୍ତି।

ରାଜ୍ୟ ସରକାର ଘରୋଇ ସ୍କୁଲ ପାଇଁ ଫି ନିର୍ଦ୍ଧାରଣ କରିବେ। ଘରୋଇ ବିଦ୍ୟାଳୟଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜିକୃତ ହୋଇଥିବାରୁ କେନ୍ଦ୍ର ସରକାର ଏ ନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ସମସ୍ତଙ୍କୁ ସୁହାଇଲା ଭଳି ପଦକ୍ଷେପ ଗ୍ରହଣ କରିବେ।

ଗତ ଏପ୍ରିଲ ମାସରେ ଉତ୍ତରପ୍ରଦେଶ ସରକାର ଏକ ଅଧ୍ୟାଦେଶ ବଳରେ ଘରୋଇ ସ୍କୁଲଗୁଡ଼ିକ ମନଇଛା ଫି’ବୃଦ୍ଧି ଉପରେ ଅଙ୍କୁଶ ଲଗାଇଥିଲେ। ଏଥିରେ ଘରୋଇ ସ୍କୁଲ ୮ ପ୍ରତିଶତରୁ ଅଧିକ ଫି ବୃଦ୍ଧି କରି ପାରିବେ ନାହିଁ ବୋଲି ନିୟମ ରହିଛି। ୨୦୧୫-୧୬ରେ ଲାଗୁ କରାଯାଇଥିବା ଏହି କଟକଣାକୁ ଭିତ୍ତି କରି ନେଇ କେନ୍ଦ୍ର ସରକାର ଫି’ ନିୟନ୍ତ୍ରଣ ନିୟାମକ ଆଣିବାକୁ ଯାଉଛନ୍ତି। ଏହି ନିୟମ ବାର୍ଷିକ ଜଣେ ଛାତ୍ରଠାରୁ ୨୦ ହଜାର ଟଙ୍କାରୁ ଅଧିକ ଫି’ ଆଦାୟ କରୁଥିବା ବିଦ୍ୟାଳୟ ପାଇଁ ଲାଗୁ ହେବ।

ଉତ୍ତରପ୍ରଦେଶ ସରକାର ଏଭଳି କଟକଣା ଜାରି କରି ସଫଳତା ପାଇବା ପରେ ସବୁ ରାଜ୍ୟରେ ଏକାପ୍ରକାର କଟକଣା ଲାଗୁ କରିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି।

ଉତ୍ତରପ୍ରଦେଶ ଜାରି କରିଥିବା ଅଧ୍ୟାଦେଶରେ ବାର୍ଷିକ ସ୍କୁଲ୍‍ ଫି’ ଓ କ୍ୟାପିଟେସନ୍‍ ଫି’ରେ ମନଇଚ୍ଛା ବୃଦ୍ଧି ଉପରେ କଟକଣା ଜାରି କରାଯାଇଥିବା ବେଳେ କେନ୍ଦ୍ର ସରକାର ସେଥିରେ ଆଉ ଦୁଇ ନୂଆ କଟକଣା ଯୋଡ଼ିବାକୁ ଚାହୁଁଛନ୍ତି। ସେହି ଦୁଇ ଅତିରିକ୍ତ ନିୟମ କାର୍ଯ୍ୟକାରୀ ହେଲେ ସ୍କୁଲ୍‍ କର୍ତ୍ତୃପକ୍ଷ ପ୍ରତିବର୍ଷ ନାମ ଲେଖା ଫି’ ଆଦାୟ କରିପାରିବେ ନାହିଁ କି ପ୍ରତିବର୍ଷ ସ୍କୁଲ୍‍ ୟୁନିଫର୍ମ ବଦଳାଇ ପାରିବେ ନାହିଁ। ତିନିଥର ନିୟମ ଉଲ୍ଲଂଘନ କରିଥିବା ସ୍କୁଲ୍‍ର ଅନୁମତି ପ୍ରତ୍ୟାହାର କରାଯିବ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡ଼କର ଫି ନିୟନ୍ତ୍ରଣ ପାଇଁ ଏକ ବ୍ୟବସ୍ଥା କରିବା ପାଇଁ ଯୋଜନା କରୁଥିବା ଜଣେ ବରିଷ୍ଠ ଅଧିକାର ସୂଚନା ଦେଇଛନ୍ତି।

Comment